Latest Odisha News

ଦାଦାଗିରି ପାଇଁ ଅଡୁଆରେ ପଡ଼ିଲେ ସାଂସଦ

ଭୁବନେଶ୍ୱର: ଦାଦାଗିରି ପାଇଁ ଅଡ଼ୁଆରେ ସାଂସଦ । ଗୁଣ୍ଡାଗିରି ନୁହେଁ, ଅଭିନେତାରୁ ବିଜୁ ଜନତା ଦଳର ସାଂସଦ ବନିଥିବା ଅନୁଭବ ମହାନ୍ତିଙ୍କ ନୂଆ ରିଆଲିଟି ସୋ’ରେ ମାଙ୍କଡ଼ ଧରିଥିବା ଜଣେ ମହିଳାଙ୍କ ସହିତ ଫୋଟୋ ଉଠେଇ ଓ ସୁଟିଂ କରି ଏବେ ଅଡ଼ୁଆରେ । ମାଙ୍କଡ଼ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଏକ ସଂରକ୍ଷିତ ପ୍ରାଣୀ । ହନୁମାଙ୍କଡ଼କୁ ବନ୍ୟପ୍ରାଣୀ ସଂରକ୍ଷିତ ଲିଷ୍ଟରେ ତଫସିଲ ୨ (schedule 2) ଅନ୍ତର୍ଭୁକ୍ତ କରାଯାଇଛି । ସେଥିପାଇଁ ମାଙ୍କଡ଼ ନାଚକୁ କେଉଁ କାଳୁ ନିଷିଦ୍ଧ ଘୋଷଣା କରାଯାଇଛି । ଏଥି ସହିତ ସାପ ଖେଳ, ଭାଲୁ ନାଚ ଆଦି ମଧ୍ୟ ଅନେକ ବର୍ଷ ହେଲାଣି ବ୍ୟାନ ହେଇ ସାରିଲାଣି । ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ପାଳନ କରିବାକୁ ଯାଇ ଦେଶର ସମସ୍ତ ସର୍କସରୁ ସବୁ ଭାରତୀୟ ବନ୍ୟ ପ୍ରାଣୀଙ୍କୁ ବ୍ୟବହାରକୁ ମଧ୍ୟ ବ୍ୟାନ କରା ଯାଇଛି । ଏଇ ଭଳି ପରିସ୍ଥିତିରେ ସଂସଦରେ ଆଇନ ପ୍ରଣୟନରେ ଭୂମିକା ଗ୍ରହଣ କରୁଥିବା ଜଣେ ସାଂସଦ ମାଙ୍କଡ଼ ନାଚକୁ ପ୍ରୋତ୍ସାହନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି ।

ଯାଜପୁର ଜିଲ୍ଲାର ମୋନାଲିସା ଭଦ୍ର , ତାଙ୍କ ସ୍ୱାମୀ ଓ ପିଲାଙ୍କ ସହିତ ଯାଜପୁରରୁ କାରରେ ମାଙ୍କଡ଼ ଛୁଆକୁ ନେଇକି ଆସି, ଜି ସାର୍ଥକ ଟିଭି ଚ୍ୟାନେଲ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କ ରିଏଲିଟି ସୋ’ ଦାଦାଗିରିରେ ଭାଗ ନେଇଥିଲେ । ସେଇ ସମୟରେ ସାଂସଦ ହସ ହସ ମୁହଁରେ ମୋନାଲିସା ଭଦ୍ର ହନୁ ମାଙ୍କଡ଼ ଛୁଆଟିକୁ ହାତରେ ଧରିଥିବା ବେଳେ ତାଙ୍କ ସହିତ ପୋଜ ଦେଇଥିଲେ । ସେହି ଭିଡ଼ିଓକୁ ବଦ୍ରି ନାରାୟଣ ଭଦ୍ର ନିଜର ୟୁଟ୍ୟୁବ ଏବେ ଫେସବୁକ ଆକାଉଣ୍ଟରେ ପୋଷ୍ଟ କଲା ପରେ ଲକ୍ଷ ଲକ୍ଷ ଲୋକ ତାକୁ ଦେଖିବା ପରେ ଭିଡ଼ିଓଟି ଭାଇରାଲ ହେଇଯାଇଛି । ୟୁଟ୍ୟୁବ ଏବଂ ଫେସବୁକରୁ ଭଦ୍ର ଦମ୍ପତ୍ତି ସାଂସଦ ଓ ମାଙ୍କଡ଼ ଭିଡ଼ିଓରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର ନିଶ୍ଚୟ କରିବେ । ଅର୍ଥାତ, ମାନ୍ୟବର ସାଂସଦ ମହୋଦୟ ଭିଡ଼ିଓ ମାଧ୍ୟମରେ ଦେଶକୁ ବାର୍ତା ଦେଲେକି ମାଙ୍କଡ଼କୁ ସାର୍ଟ ପ୍ୟାଣ୍ଟ ପିନ୍ଧେଇ ଘରେ ରଖିଲେ, କାରରେ ନେଇ ସହରକୁ ସହର ବୁଲିଲେ, ହୋଟେଲରେ ଖାଇଲେ ଓ ଖୋଇଲେ, ଏବଂ ମାଙ୍କଡ଼କୁ ଘରେ ପୋଷିଲେ ଚଳିବ । ଖାଲି ଚଳିବ ନାହିଁ ଯେ, ସେଇ ଭିଡ଼ିଓକୁ ୟୁଟ୍ୟୁବ ଓ ଫେସବୁକରେ ପୋଷ୍ଟ କରି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିହେବ । ଅନ୍ୟ ଅର୍ଥରେ ବିଜୁ ଜନତା ଦଳର ମାନ୍ୟବର ସାଂସଦ ମାଙ୍କଡ଼ ନାଚ ପାଇଁ ଏକ ପ୍ରକାରାନ୍ତରେ ମୋନାଲିସାଙ୍କୁ ଏକ ଅଲିଖିତ ଲାଇସେନ୍ସ ଦେଇଦେଲେ । ଖାଲି ସେତିକି ନୁହେଁ, ଟିଭି ବା ଫିଲ୍ମରେ ସୁଟିଂ ମାଙ୍କଡ଼ଙ୍କୁ ବ୍ୟବହାର କରିହେବ ବୋଲି ମଧ୍ୟ ମାନ୍ୟବର ସାଂସଦ ଦୁନିଆକୁ ଦେଖେଇ ଦେଲେ ।

ହେଲେ, ଆଇନ ଆଖିରେ ଏଇଟା ଗୁରୁତର ଅପରାଧ । ମାଙ୍କଡ଼କୁ ପୋଷି ଓଡ଼ିଶା ଏବଂ ଭାରତରେ ଅନେକ ଲୋକ ଅତୀତରେ ଗିରଫ ହୋଇଛନ୍ତି । ଏଣୁ, ସାଂସଦଙ୍କର କର୍ତ୍ତବ୍ୟ ଥିଲା ସେ ମୋନାଲିସାଙ୍କୁ ବୁଝେଇ ଥାନ୍ତେ ଯେ, ମାଙ୍କଡ଼ ଏକ ସଂରକ୍ଷିତ ବନ୍ୟ ପ୍ରାଣୀ ହୋଇଥିବାରୁ ତାକୁ ଆପଣ ପୋଷି ପାରିବେ ନାହିଁ । ସାଂସଦ ଙ୍କର କର୍ତ୍ତବ୍ୟ ଏଇଟା ଥିଲା କି ସେ ଜ଼ୀ ସାର୍ଥକ ଚ୍ୟାନେଲକୁ ମନା କରିଥାନ୍ତେ ଯେ କୌଣସି ସିରିଏଲ ବା ଫିଲ୍ମ ରେ କୌଣସି ଭାରତୀୟ ବନ୍ୟ ପ୍ରାଣୀଙ୍କୁ ସୁଟିଂ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ । ହେଲେ ମାନ୍ୟବର ସାଂସଦ ଓଲଟା କାମ କଲେ । ମାଙ୍କଡ଼କୁ ପୋଷିବା, ମାଙ୍କଡ଼କୁ ଧରିବା, ଆଦି କାମ ଶୀକାର ଅନ୍ତର୍ଭୁକ୍ତ ବୋଲି ସାଂସଦ ଚାହିଁଥିଲେ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ବୁଝେଇ ପାରିଥାନ୍ତେ । ସେଇ ଭିଡ଼ିଓ ଜ଼ୀ ଟିଭି ପ୍ରସାରଣ କରିଥିଲେ ଦେଶର ଜନ ସାଧାରଣ ସଚେତନ ହେଇଥାନ୍ତେ । ହେଲେ ସାଂସଦଙ୍କ ଯୋଗୁଁ ମାଙ୍କଡ଼ଙ୍କୁ ଘରେ ପୋଷି ହେବ ବୋଲି ଦେଶକୁ ବାର୍ତ୍ତା ଗଲା ।

ଏନେଇ ମୋନାଲିସା ଭଦ୍ର, ତାଙ୍କ ସ୍ୱାମୀ ବଦ୍ରୀ ନାରାୟଣ ଭଦ୍ର, ସହିତ ମାନ୍ୟବର ସାଂସଦଙ୍କ ବିରୁଦ୍ଧରେ ବନ୍ୟ ପ୍ରାଣୀ ଆଇନର ସଙ୍ଗିନ ଦଫା ଲଗେଇ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କୁ ଇମେଲ ମାଧ୍ୟମରେ ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ବନ୍ୟପ୍ରାଣୀ ଆଇନ ଅନୁଯାୟୀ ମୋନାଲିସା ଓ ତାଙ୍କ ସ୍ୱାମୀ ମାଙ୍କଡ଼ ଶୀକାର କରିଥିବା ଅପରାଧ ରେ ଦୋଷୀ, ସେଇ ସମାନ ଆଇନର Section 52 (Attempts and abetment) ଅନୁସାରେ ମାଙ୍କଡ଼ ଶୀକାର ପାଇଁ ପ୍ରୋତ୍ସାହନ ଦେବା ଅପରାଧରେ ମାନ୍ୟବର ସାଂସଦଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଶୁଭେନ୍ଦୁ ମଲ୍ଲିକ ଅନୁରୋଧ କରିଛନ୍ତି । ତାଙ୍କ ଅଭିଯୋଗର ଏକ ନକଲ ସେ ଓଡ଼ିଶାର ୫ଞ ସେକ୍ରେଟାରୀଙ୍କୁ ମଧ୍ୟ ଦେଇଛନ୍ତି ।

ଖାଲି ସେତିକି ନୁହେଁ, ମାନ୍ୟବର ସାଂସଦ ସିରିଏଲ ସୁଟିଂ ବେଳେ Motor Vehicle Act, ୧୯୮୮ ର ଖୋଲା ଖୋଲି ଉଲ୍ଲଙ୍ଘନ କରିବା ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ସେଇ ଭିଡ଼ିଓରେ ଦେଖା ଯାଉଚି କି, ସାଂସଦ ଅନୁଭବ ମୋନାଲିସା ବୁଲେଟ ଚଳେଇବା ବେଳେ ତାଙ୍କ ପଛରେ ବସିଛନ୍ତି । ହେଲେ ନା ସାଂସଦ ନା ମୋନାଲିସା କେହି ବି ମୁଣ୍ଡରେ ହେଲମେଟ ଲଗେଇ ନାହାନ୍ତି । ଜଣେ ସାଂସଦଙ୍କର ଏଇ ଭଳି ଭିଡ଼ିଓ ସମାଜକୁ କି ବାର୍ତ୍ତା ଦେଉଛି ।

ତେବେ, ଯେଉଁ ମାଙ୍କଡ଼ ଛୁଆ ସହିତ ମାନ୍ୟବର ସାଂସଦ ଫୋଟୋ ସେସନ କରିଥିଲେ, ସେଇ ମାଙ୍କଡ଼ ଛୁଆଟି ଅଳ୍ପ ଦିନରେ ମରିଗଲା । କାରଣ ମୋନାଲିସା ତାକୁ ଯାହା ସବୁ ଖାଇବାକୁ ଓ ପିଇବାକୁ ଦେଇଥିଲେ ସେଗୁଡିକ ମାଙ୍କଡ଼ଙ୍କ ପାଇଁ ଅଖାଦ୍ୟ ଥିଲା । ମାଙ୍କଡ଼ମାନେ ହୋଟେଲରେ ଟିଫିନ ଖାଆନ୍ତି ନାହିଁ କି ମାଙ୍କଡ଼ ମାଜା ବା ଅନ୍ୟ କିଛି ମୃଦୁ ପାନୀୟ କିଣି ତା ଛୁଆକୁ ପିଆଏ ନାହିଁ । ମାଙ୍କଡ଼ ଛୁଆକୁ କାରରେ ନେବା ଆଣିବା କରିବା ମଧ୍ୟ ତାର ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହେଲା । ସାଂସଦ ସୁଟିଂ କରିବେ ବୋଲି ମାଙ୍କଡ଼ ଛୁଆ ମରିବ, ମୋନାଲିସା ସେଇ ଭିଡ଼ିଓ ଦେଖେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ ଏହା କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।

ଖାଲି ସେତିକି ନୁହେଁ, ମୋନାଲିସା ଓ ତାଙ୍କ ସାମୀ ଭଦ୍ର ଫେସବୁକରେ ଭାଗବତ ସାଙ୍କଚୁଆରୀ ଆଣ୍ଡ ଫରେଷ୍ଟ ବୋଲି ଏକ ପେଜ ଖୋଲିଛନ୍ତି । ସେଇ ପେଜରେ ସରକାରୀ ଦଳ ସାଂସଦଙ୍କ ଭିଡ଼ିଓ ପୋଷ୍ଟ ମଧ୍ୟ କରାଯାଇଛି । ଏହା ଦ୍ୱାରା ଲୋକମାନଙ୍କୁ ଭୁଆଁ ବୁଲାଯାଉଛି ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ । ସାଙ୍କଚୁଆରୀ ହେବା ପାଇଁ କେନ୍ଦ୍ର ସରକାରୀ ନୋଟିଫିକେସନ ଜାରି କରିଥାନ୍ତି, ଏବଂ ଏଥିପାଇଁ ଅନେକ ନିୟମ କାନୁନ ରହିଅଛି । ଭାରତରେ ସମସ୍ତ ସାଙ୍କଚୁଆରୀର ମାଲିକ ହେଲେ ସରକାର । କୌଣସି ଘରୋଇ ବ୍ୟକ୍ତିଙ୍କୁ ସାଙ୍କଚୁଆରି ପାଇଁ ଅନୁମତି ମିଳିନାହିଁ କି ମିଳିବ ନାହିଁ । ହେଲେ ଯାଜପୁରରେ ମୋନାଲିସା ଭଦ୍ର ଓ ବଦ୍ରି ନାରାୟଣ ଭଦ୍ର ଦମ୍ପତ୍ତିଙ୍କର ଏହି ବେଆଇନ ସାଙ୍କଚୁଆରୀ ପେଜରେ ସରକାରୀ ଦଳର ସାଂସଦଙ୍କ ଭିଡ଼ିଓ ପୋଷ୍ଟ ହେବା ନିଶ୍ଚୟ ଉଦବେଗଜନକ । ସଂସଦ ହେଇ ସେ ଆଇନକୁ ରକ୍ଷା କରିବେ କଣ, ଅନେକ ଆଇନକୁ ଭାଙ୍ଗିବା ପାଇଁ ପ୍ରତ୍ୟକ୍ଷ ଭାବରେ ଭଦ୍ର ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ନିଶ୍ଚିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ଭଦ୍ର ଦମ୍ପତ୍ତି, ଜି ସାର୍ଥକ ଟିଭି, ଏବଂ ସାଂସଦ ଅନୁଭବଙ୍କ ବିରୂଦ୍ଧରେ କି କାର୍ୟ୍ୟାନୁଷ୍ଠାନ ବନ ବିଭାଗ କିମ୍ବା ପରିବହନ ବିଭାଗ ଗ୍ରହଣ କରିବ, ତାହା ଦେଖିବା ବାକି ରହିଲା ।

Comments are closed.