Latest Odisha News

ଅଗ୍ନି-5 ମିସାଇଲକୁ ନେଇ ବଢିଲା ପାକିସ୍ତାନର ଚିନ୍ତା !

ନୂଆଦିଲ୍ଲୀ: ଭାରତର ଅଗ୍ନି-5 ମିସାଇଲକୁ ନେଇ ପାକିସ୍ତାନରେ ବଢୁଛି ଭୟ। ଇସଲାମାବାଦସ୍ଥିତ ଥିଙ୍କ ଟ୍ୟାଙ୍କ ଷ୍ଟ୍ରାଟେଜିକ ଭିଜନ ଇନଷ୍ଟିଚ୍ୟୁଟ ବା ଏସଭିଆଇ ଏନେଇ ଶହବାଜ ସରିଫ ସରକାର ଓ ସେନା ମୁଖ୍ୟ ଅସିମ ମୁନିରଙ୍କୁ ଚେତାବନୀ ଦେଇଛି। ଭାରତର ଲମ୍ବା ଦୂରତା ବିଶିଷ୍ଟ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ୍, ଆଇସିବିଏମର ପରୀକ୍ଷଣ ପାକିସ୍ତାନ ପାଇଁ ବିପଦ ଘଣ୍ଟି ହୋଇପାରେ। ଚଳିତ ମାସ ଶେଷ ଆଡକୁ ହେବାକୁ ଥିବା ଏହି ପରୀକ୍ଷଣ ଆଞ୍ଚଳିକ ସୁରକ୍ଷା ଉପରେ ପ୍ରଭାବ ପକାଇବ ବୋଲି ଏସଭିଆଇ କହିଛି।

ଅଗ୍ନି-5…ରେଞ୍ଜରୁ ବେଜିଂରୁ କରାଚୀ

ଶତ୍ରୁ ଦେଶର ନିଦ ହଜାଇଛି ଅଗ୍ନି-5। ଘଣ୍ଟାକୁ 29ହଜାର 401 କିଲୋମିଟର ବେଗରେ ଏହା ଗତି କରିବ। ଯାହା ଧ୍ବନିର ଗତିଠାରୁ 24ଗୁଣା ଅଧିକ। ଏହାର ମାରକ କ୍ଷମତା 5ହଜାର କିଲୋମିଟର ରହିଥିବା ବେଳେ ପରବର୍ତ୍ତୀ ସମୟରେ 8ହଜାର କିଲୋମିଟର ପର୍ଯ୍ୟନ୍ତ ବଢାଯାଇପାରେ। ଏହାର ଅର୍ଥ ଭାରତରୁ ଛଡା ଯାଇଥିବା ମିସାଇଲ୍ ମାତ୍ର କେଇ ମିନିଟ ଭିତରେ ବେଜିଂରୁ କରାଚୀ ପର୍ଯ୍ୟନ୍ତ ଯେକୌଣସି ସହରକୁ ଟାର୍ଗେଟ୍ କରିପାରିବ। ଏକାସାଙ୍ଗରେ ଏହା ଏକାଧିକ ଠିକଣାକୁ ନିଶାନା କରିପାରିବ। ଏମଆଇଆରଭି ଟେକ୍ନୋଲୋଜି ଏହାକୁ ବିପଜ୍ଜନକ ହତିଆରରେ ପରିଣତ କରିଛି। ସେଥିପାଇଁ ଅଗ୍ନି-5କୁ ଦିବ୍ୟାସ୍ତ୍ର କୁହାଯାଉଛି। ତେଣୁ ଭାରତ ନିଜ ଲମ୍ବା ଦୂରତାର ମିସାଇଲ୍ ଶୃଙ୍ଖଳାର ପରମାଣୁ ସକ୍ଷମ ଅଗ୍ନି-5 ଓ ଅଗ୍ନି-6ର ପରୀକ୍ଷଣକୁ ନଜର ଅନ୍ଦାଜ କରାଯାଇ ପାରିବନି ବୋଲି ଏସଭିଆଇ କହିଛି।

ଭାରତର କ୍ଷମତା ବଢାଇଲା ଚିନ୍ତା

2016ରେ ମିସାଇଲ୍ ଟେକ୍ନୋଲୋଜି କଣ୍ଟ୍ରୋଲ ରେଜିମ୍ ବା ଏମଟିସିଆରର ସଦସ୍ୟତା ମିଳିବା ପରଠୁ ଭାରତ ମିସାଇଲ୍ ବିକାଶ ବଢାଇଥିବା ଇସଲାମାବାଦର ଥିଙ୍କ ଟ୍ୟାଙ୍କ ଏସଭିଆଇ କହିଛି। ଏହାଦ୍ବାରା ଭାରତ ଉନ୍ନତ ଟେକ୍ନୋଲୋଜି ଓ ଉପକରଣ ସହଜରେ ପାଇଛି। ଆମେରିକା ଓ ଇସ୍ରାଏଲଠାରୁ ଡ୍ରୋନ୍ ହାସଲ କରିଛି ଭାରତ। ଗତ ମେ ମାସରେ ପାକିସ୍ତାନ ସହ ସଂଘର୍ଷ ବେଳେ ଏହାକୁ ବ୍ୟବହାର କରାଯାଇଥିଲା। 8ହଜାର କିଲୋମିଟରରୁ ଅଧିକ ମାରକ କ୍ଷମତା ଓ ପରମାଣୁ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ରର ବିକାଶରୁ ବିଶ୍ବସ୍ତରରେ ଆଧିପତ୍ୟ ବିସ୍ତାର ଇଚ୍ଛା ସ୍ପଷ୍ଟ ହେଉଥିବା ଏସଭିଆଇ କହିଛି। ଏହାଦ୍ବାରା ପୂରା ପାକିସ୍ତାନ, ବେଜିଂ ସମେତ ବିଶ୍ବର ବହୁ ବଡ଼ ସହର ମିସାଇଲ୍ ରେଞ୍ଜରେ ଆସିବ।

ସମୁଦ୍ରରେ ବି ବଢୁଛି ଶକ୍ତି

ସମୁଦ୍ରରେ ବି ବଢୁଛି ଭାରତୀୟ ନୌସେନାର ଶକ୍ତି। ଭାରତ ସବମରିନ୍ ଲଞ୍ଚଡ ବାଲିଷ୍ଟିକ ମିସାଇଲ୍ ଓ ପରମାଣୁ ଶକ୍ତି ଦ୍ବାରା ପରିଚାଳିତ ବୁଡାଜାହାଜ ଦ୍ବାରା ଭାରତ ମହାସାଗରରେ ନିଜ ଶକ୍ତି ବଢାଉଥିବା ଇସଲାମାବାଦସ୍ଥିତ ଥିଙ୍କ ଟ୍ୟାଙ୍କ କହିଛି। ଏବେ ଉନ୍ନତ ଅଗ୍ନି ମିସାଇଲ୍ ପ୍ରଣାଳୀ ପରୀକ୍ଷଣ କରିବା ବିରୋଧୀଙ୍କୁ ସନ୍ଦେଶ ଦେଉଛି ଭାରତ। ଏନେଇ ପାକିସ୍ତାନ ସରକାର ଓ ସେନାକୁ ଚେତାବନୀ ଦେଇଛି ଏସଭିଏମ୍। ଭାରତର ଏହି ପଦକ୍ଷେପ ଆଞ୍ଚଳିକ ସ୍ଥିରତାକୁ ଦୁର୍ବଳ କରିପାରେ। ତେଣୁ ଅନ୍ତର୍ଜାତୀୟସ୍ତରରେ ଭାରତକୁ ରୋକିବା ଆବଶ୍ୟକ ବୋଲି ଏସଭିଏମ୍ ପକ୍ଷରୁ କୁହାଯାଇଛି।

ଅପରେସନ୍ ସିନ୍ଦୂରରେ ଭାରତଠାରୁ ମାତ୍ ଖାଇଥିବା ପାକିସ୍ତାନ ଏବେ ଭାରତର ବଢୁଥିବା ସାମରିକ ଶକ୍ତିକୁ ନେଇ ଚିନ୍ତାରେ। ଆଲୋଚନା ମାଧ୍ୟମରେ ଦୁଇ ଦେଶ ଦ୍ବିପାକ୍ଷିକ ପ୍ରସଙ୍ଗର ସମାଧାନ କରିବା ଉଚିତ୍ ବୋଲି ଇସଲାମାବାଦର ଥିଙ୍କଟ୍ୟାଙ୍କ କହିଛି।

Comments are closed.