Latest Odisha News

BREAKING NEWS

ହିନ୍ଦୁ ଧର୍ମରୁ କିଏ କାହାକୁ ବାହାର କରିଦେଇ ପାରିବ କି ? ଏହାକୁ ନେଇ ଭାରତରେ କଣ ରହିଛି ନିୟମ

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଶଙ୍କରାଚାର୍ଯ୍ୟଙ୍କୁ ସର୍ବୋଚ୍ଚ ଧର୍ମଗୁରୁ ଭାବେ ଗ୍ରହଣ କରାଯାଏ, ଯାହାଙ୍କ କଥା ସନ୍ତ ସମାଜ ଓ ଧର୍ମାନୁଷ୍ଠାୟୀମାନେ ଅନୁସରଣ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ଧର୍ମରୁ ନିଷ୍କାସିତ କରିବାର ଘୋଷଣା କରିଛନ୍ତି। ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ସଂସଦରେ ମନୁସ୍ମୃତି ସମ୍ପର୍କରେ ଭୁଲ ମନ୍ତବ୍ୟ ଦେଇଥିଲେ, ଯାହା ସନାତନ ଧର୍ମ ଅନୁସରଣକାରୀଙ୍କ ମନକୁ ଆଘାତ ଦେଇଛି। ସେ କହିଛନ୍ତି, ଏ ସମ୍ପର୍କରେ ରାହୁଲଙ୍କୁ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା, କିନ୍ତୁ ତାଙ୍କ ତରଫରୁ କୌଣସି ଜବାବ ମିଳିନଥିବାରୁ ତାଙ୍କୁ ହିନ୍ଦୁ ଧର୍ମରୁ ନିଷ୍କାସନ କରାଯାଇଛି।  ତେବେ, ଏହି ଘୋଷଣା ପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି- କେହି କାହାକୁ ହିନ୍ଦୁ ଧର୍ମରୁ ନିଷ୍କାସିତ କରିପାରେ କି? ଏହି ସମ୍ପର୍କରେ ଭାରତରେ କୌଣସି ନିୟମ ଅଛି କି? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା।

ଶଙ୍କରାଚାର୍ଯ୍ୟଙ୍କ ପଦବୀ ହିନ୍ଦୁ ଧର୍ମରେ ସର୍ବୋଚ୍ଚ ହେଲେ ମଧ୍ୟ ସେ କାହାକୁ ହିନ୍ଦୁ ଧର୍ମରୁ ବାହାର କରିବାର ଅଧିକାର ନାହିଁ। ଯିଏ କୁଳରେ ଜନ୍ମ ନେଇଛି, କର୍ମ ଦ୍ୱାରା କିମ୍ବା ଧର୍ମ ଗ୍ରହଣ କରି ହିନ୍ଦୁ ହୋଇଛି, ତାଙ୍କୁ କେହି ବାହାର କରିପାରିବେ ନାହିଁ। କୌଣସି ବ୍ୟକ୍ତି ହିନ୍ଦୁ ଧର୍ମର ବିରୋଧ କଲେ, ଭଗବାନଙ୍କୁ ବିଶ୍ୱାସ କଲେ କିମ୍ବା ନ କଲେ, ତାହା ତାଙ୍କର ବ୍ୟକ୍ତିଗତ ଇଚ୍ଛା ଉପରେ ନିର୍ଭର କରେ। କେବଳ ସେ ନିଜ ଇଚ୍ଛାରେ ଧର୍ମ ତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରିପାରେ। କାହାକୁ ଜୋର ଜବରଦସ୍ତ ହିନ୍ଦୁ ଧର୍ମରୁ ବାହାର କରାଯାଇପାରିବ ନାହିଁ।

ହିନ୍ଦୁ ଧର୍ମରେ କାହାକୁ ବାହାର କରିବାର କୌଣସି ଔପଚାରିକ ପ୍ରକ୍ରିୟା କିମ୍ବା ନିୟମ ନାହିଁ। ଅତୀତରେ ଧର୍ମର ନିୟମ ଅନୁପାଳନ ନ କରୁଥିବା ବ୍ୟକ୍ତିମାନଙ୍କୁ ସାମାଜିକ ବହିଷ୍କାର କରାଯାଉଥିଲା, କିନ୍ତୁ ହିନ୍ଦୁ ଧର୍ମରୁ ସମ୍ପୂର୍ଣ୍ଣ ନିଷ୍କାସନର କୌଣସି ଉଦାହରଣ ଇତିହାସରେ ମିଳେ ନାହିଁ। ବିଶେଷଜ୍ଞମାନେ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ବ୍ୟକ୍ତିଗତ ସ୍ୱାଧୀନତାକୁ ଗୁରୁତ୍ୱ ଦିଆଯାଏ ଏବଂ ଧର୍ମ ଗ୍ରହଣ କିମ୍ବା ତ୍ୟାଗ ବ୍ୟକ୍ତିର ନିଜସ୍ୱ ନିଷ୍ପତ୍ତି ଉପରେ ନିର୍ଭର କରେ।

ଶଙ୍କରାଚାର୍ଯ୍ୟଙ୍କ ଏହି ଘୋଷଣା ସୋସିଆଲ ମିଡିଆ ଓ ରାଜନୈତିକ ମହଲରେ ବିବାଦ ସୃଷ୍ଟି କରିଛି। କେହି ଏହାକୁ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦ ଭାବେ ଦେଖୁଛନ୍ତି, ତେବେ ଅନେକେ ଏହାକୁ ଅଯୌକ୍ତିକ ଓ ଅନାବଶ୍ୟକ ବୋଲି ମନ୍ତବ୍ୟ ଦେଇଛନ୍ତି। ଭାରତୀୟ ସମ୍ବିଧାନ ଧର୍ମୀୟ ସ୍ୱାଧୀନତାକୁ ମୌଳିକ ଅଧିକାର ଭାବେ ଦେଖିଥାଏ । କୌଣସି ବ୍ୟକ୍ତିଙ୍କୁ ତାଙ୍କ ଧର୍ମରୁ ବାହାର କରିବାର କୌଣସି ଆଇନଗତ ବ୍ୟବସ୍ଥା ଭାରତରେ ନାହିଁ। ତେଣୁ ଶଙ୍କରାଚାର୍ଯ୍ୟଙ୍କ ଘୋଷଣାର କୌଣସି ଆଇନଗତ ମାନ୍ୟତା ନାହିଁ, ଏହା କେବଳ ଧାର୍ମିକ ମତାମତ ଭାବେ ବିବେଚିତ ହୋଇପାରେ।

 

Comments are closed.