Latest Odisha News

BREAKING NEWS

ଏପଟେ ଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବ, ସେପଟେ ଜମ୍ମୁରେ ଆତଙ୍କୀ ହମଲା!

ଶ୍ରୀନଗର: ଗୋଟିଏ ପଟେ ମୋଦୀ ସରକାରର ତୃତୀୟ ପାଳି ପାଇଁ ଶପଥ ଗ୍ରହଣ ଉତ୍ସବ ପାଇଁ ସାରା ଦେଶର ନଜର ରାଷ୍ଟ୍ରପତି ଭବନ ଉପରେ କେନ୍ଦ୍ରୀତ ଥିଲା। ଅନ୍ଯପଟେ ଜମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ଏକ ମନ୍ଦିରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ବସଟି ଖାଲରୁ ଖସି ପଡ଼ିଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ୧୦ ମିନିଟରେ ରିଆସିର ଶିବ ଖୋରି ମନ୍ଦିରରୁ କଟରା ଅଭିମୁଖେ ଫେରୁଥିବା ବସ୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।

ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ପୁଲିସ ରାତି ୮ଟା ୧୦ ସୁଦ୍ଧା ସମସ୍ତ ଯାତ୍ରୀଙ୍କୁ ବାହାର କରିଥିଲା। ପୋଲିସ ଅଧିକାରୀ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତଙ୍କୁ ରିଆସି, ଟ୍ରେୟଥ ଓ ଜମ୍ମୁର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସ୍ଏସପି) ରିୟାସୀ ମୋହିତା ଶର୍ମା କହିଛନ୍ତି ଯେ ଗୁଳିଚାଳନା ଯୋଗୁଁ ଡ୍ରାଇଭର ବସର ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲେ।

ଘଟଣାସ୍ଥଳରେ ପୁଲିସ, ଭାରତୀୟ ସେନା ଓ ସିଆରପିଏଫର ମିଳିତ ଅପରେସନ୍ ମୁଖ୍ୟାଳୟ ସ୍ଥାପନ କରାଯାଇ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ରାଜୌରୀ, ପୁଞ୍ଚ ଓ ରିଆସିର ଉପର ମୁଣ୍ଡରେ ଲୁଚି ରହିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.