Latest Odisha News

ବର୍ଷାପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା

ମାଲକାନଗିରି : ବର୍ଷା ପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା । ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନା ସହ ବିଚ୍ଛିନ୍ନ ହୋଇଯାଇଛି  । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଫୁଲିଥିବାରୁ ଏହି ନଦୀର ପଛୁଆ ପାଣି ମାଡ଼ଇାସି ଭୟଙ୍କର ରୂପଧାରଣ କରିଛି ମାଲକାନଗିରିର ସିଲେରୁ ଓ ସାବେରୀ ନଦୀ ।

ଫଳରେ ଜଳବନ୍ଦୀ ଗାଁଠୁ ସହର, ଜାତୀୟ ରାଜପଥରୁ ହାଟ ବଜାର । ମୋଟୁ ନିକଟ ଏନ୍ଏଚ୍ ଉପରେ ୧୦ ଫୁଟ୍ ଉଚ୍ଚରେ ପାଣି ଚାଲିଥିବାରୁ ଅଟକି ରହିଛି ଶହ ଶହ ଟ୍ରକ୍ ।  ଆଜିକୁ ୫ ଦିନ ହେଲା ଲଗାଣ ବର୍ଷା ବର୍ଷୁଛି ଏହି ଇଲାକାରେ । ଫଳରେ ଗୋଦାବରୀର ପଛୁଆ ପାଣି ଯୋଗୁଁ କେଉଁଠି ଘରଭିତରେ ପାଣି ପଶିଲାଣି ତ କେଉଁଠି ପାଣି ଭିତରେ ଘର ରହିଯାଇଛି । ଅନେକ ଲୋକଙ୍କ ଘର ଭିତରେ ପଶିଛି ୩ରୁ ୪ଫୁଟ ଲେଖାଏଁ ପାଣି । ଯେଉଁଥିପାଇଁ ମୋଟୁ ସହ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କିଏ ଦେଶୀ ଡଙ୍ଗା ସହାୟତାରେ ନିଜ ନିଜ ଆସବାବ ପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲି ଆସୁଛନ୍ତି, ଆଉ କାହା ଗୃହପାଳିତ ପଶୁପକ୍ଷୀ ଭାସିଯାଇଥିବା ଅଭିଯୋଗ ହୋଇଛି ।

ଜାତୀୟ ରାଜପଥ ୩୨୬ ଦେଇ ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼କୁ ଯାଇଥାନ୍ତି ଲୋକେ । ହେଲେ ୧୦ ଫୁଟ ଉପରେ ପାଣିଚାଲୁଛି ଏଇଠି । ମାଇଲ ମାଇଲ୍ ଧରି ଅଟକି ଯାଇଛି ମାଲ ବୋଝେଇ ଟ୍ରକ, ବସ୍ । ଫଳରେ ଯାତ୍ରୀଙ୍କ ସମେତ ଦୂରଦୂରାନ୍ତରୁ ଆସିଥିବା ଟ୍ରକ ଡ୍ରାଇଭର ଏଇଠି ପଡ଼ିରହିଛନ୍ତି । ମାଲକାନଗିରି ଜିଲ୍ଲାରେ ଏଭଳି ସ୍ଥିତି ଗତ ୩୬ ବର୍ଷ ଭିତରେ ହୋଇନାହିଁ ।

ବନ୍ୟା ଦ୍ୱାରା ପଡ଼ିଇା ଏବଂ କାଲିମେଳା ବ୍ଲକର ୧୧ଟି ଗାଁ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ୮୦ଟି ପରିବାରର ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ମୋଟ ୬ଟି ପଞ୍ଚାୟତ ପାଣିଘେରରେ ଥିବା କହିଛି ଜିଲ୍ଲା ପ୍ରଶାସନ । ତେବେ ସ୍ଥିତି ଉପରେ ନଜର ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ବନ୍ୟାପାଣି ଆସିବା ସହ ସିଲେରୁ ଏବଂ ସାବେରୀ ନଦୀପାଣି ଯୋଗୁଁ ଗୋଦାବରୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଆଉ ଗୋଦାବରୀର ପଛୁଆ ପାଣି ମୋଟୁ ଅଞ୍ଚଳ ପାଇଁ କାଳ ସାଜିଛି ।

Leave A Reply

Your email address will not be published.