Latest Odisha News

ଗୃହ ବିଭାଗର ଶ୍ୱେତପତ୍ର ଜାରି: ରାଜ୍ୟରେ ଅଧିକ ଦୁଷ୍କର୍ମ ମାମଲା, ଚିନ୍ତା ବଢ଼ାଇଛି ସାଇବର୍‌ ଅପରାଧ

ଭୁବନେଶ୍ୱର: ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୪ର ଶ୍ୱେତପତ୍ରରେ ଦର୍ଶାଯାଇଛି ଯେ, ୨୦୨୪ରେ ଅର୍ଥନୈତିକ ଅପରାଧ ଶାଖା ମୋଟ୍ ୧୩ଟି ମାମଲା ରୁଜୁ ହୋଇଛି। ସେହିପରି ରାଜ୍ୟରେ ଅଧିକ ରହିଛି ଦୁଷ୍କର୍ମ ମାମଲା। ଚିନ୍ତା ବଢ଼ାଇଛି ସାଇବର୍‌ ଅପରାଧ।

୨୦୨୪ରେ ମୋଟ୍‌ ଆପରାଧିକ ମାମଲା ୨ ଲକ୍ଷ ଟପିଛି । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲା ବେଳେ ୨୦୨୪ରେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରା‌ଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି। ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ବେତପତ୍ରରେ ତଥ୍ୟ ଦିଆଯାଇଛି ଯେ ସାଇବର୍‌ ଅପରାଧ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇ ଦେଇଛି।

୨୦୨୩ରେ ସାଇବର୍‌ ଅପରାଧ ମାମଲା ୨୩୪୮ ଥିଲା ବେଳେ ୨୦୨୪ରେ ତାହା ୨୫୦୧ରେ ପହଞ୍ଚିଛି। ସେଥିରୁ ମାତ୍ର ୨୭୨ଟି ଅର୍ଥାତ୍‌ ୧୧% ମାମଲାରେ ଚାର୍ଜସିଟ୍‌ ହୋଇଛି। ୭୫୦ ଜଣ ଅଭିଯୁକ୍ତ ଏହି ଅପରାଧରେ ସଂପୃକ୍ତ ଥିଲା ବେଳେ ୫୮୧ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି। ୨୦୨୪ରେ ମୋଟ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ ୨୯୮୬ ମାମଲା ସତ୍ୟ ବୋଲି ସରକାର ସ୍ବୀକାର କରିଛନ୍ତି। ତେବେ ଚାର୍ଜସିଟ୍‌ ହାର ୬୪% ରହିଛି ଅର୍ଥାତ୍‌ ୧୯୪୮ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି । ମୋଟ ମାମଲାକୁ ହିସାବକୁ ନେଲେ ରାଜ୍ୟରେ ପ୍ରତିଦିନ ୮ରୁ ଅଧିକ ଦୁଷ୍କର୍ମ ମାମଲା ହେଉଛି ବୋଲି ଧରିବାକୁ ପଡ଼ିବ।

ସେହିପରି ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍‌ ହାର ଆହୁରି ଦୁର୍ବଳ। ୨୦୨୪ରେ ୧୨୮୫ଟି ହତ୍ୟା ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୨୧୫ଟି ସତ ବୋଲି ସ୍ବୀକାର କରାଯାଇଛି। ଏହା ମଧ୍ୟରୁ ୫୪୨ଟି ଅର୍ଥାତ୍‌ ୪୫% ମାମଲାରେ ଚାର୍ଜସିଟ୍‌ ହୋଇଛି। ଦଙ୍ଗା ଘଟଣାରେ ମଧ୍ୟ ୪୩% ମାମଲାରେ ଚାର୍ଜସିଟ୍‌ ହୋଇଛି। ତଥ୍ୟ କହୁଛି, ୨୩୩ କୋଟି ୯୮ ଲକ୍ଷ ଟଙ୍କା ଚୋର ନେଇଯାଇଛନ୍ତି। କିନ୍ତୁ ଉଦ୍ଧାର ପରିମାଣ ମାତ୍ର ୫୧ କୋଟି ୧୮ ଲକ୍ଷ ଟଙ୍କା। ସେହିଭଳି ରାଜ୍ୟରେ ୧୨୩୭୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦% ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

୨୦୨୪ରେ ମାଓବାଦୀଙ୍କ ଦ୍ୱାରା କେବଳ ୪ଟି ଘଟଣା ଘଟିଛି। ୬,୩୦୭ଟି ପ୍ରତାରଣା ମାମଲା ରୁଜୁ ହୋଇଛି। ଅର୍ଥାତ ରାଜ୍ୟରେ ମାଓବାଦୀଙ୍କ କାର୍ୟ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ଶ୍ବେତପତ୍ରରେ ଦର୍ଶାଯାଇଛି। ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ଦୁଇ ଗୁଣା ଭିଡିଓ ଭାଇରାଲ୍ ହୋଇଥିବା ନେଇ ମାମଲା ଆସିଛି । କିନ୍ତୁ ସମସ୍ତଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନି।

Comments are closed.