ମୁମ୍ବାଇ: ଅଜିଙ୍କ୍ୟ ରାହାନେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ ଟ୍ରଫିର ଫାଇନାଲରେ ମୁମ୍ବାଇ ପ୍ରବେଶ କରିଛି । ବରୋଦାକୁ ୬ ୱିକେଟରେ ହରାଇ ମୁମ୍ବାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୨୦୨୨ରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ଅପରପକ୍ଷରେ ଷଷ୍ଠ ଥର ପାଇଁ ବରୋଦା ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ବରୋଦା ପ୍ରଥମେ ବ୍ୟାଟିଂ ୨୦ ଓଭରରେ ୭ ୱିକେଟ ହରାଇ ୧୫୮ ରନ କରିଥିଲା । କୃଣାଳ ପାଣ୍ଡ୍ୟା ସର୍ବାଧିକ ୩୦ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ କରିବାକୁ ସକ୍ଷମ ହୋଇଥିଲେ ।
ମୁମ୍ବାଇ ୧୫୯ ରନର ଲକ୍ଷ୍ୟକୁ ୧୭.୨ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ରାହାନେ ୫୬ ବଲରେ ୧୧ ଚୌକା ଓ ୫ ଛକା ସହାୟତାରେ ୯୮ ରନର ଇନିଂସ ଖେଳିଥିଲେ । ଶ୍ରେୟାଶ ଆୟାର ୩୦ ବଲରେ ଦ୍ରୁତ ୪୬ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୧ ରନ କରିବାକୁ ସକ୍ଷମ ହୋଇଥିଲେ । ସୁର୍ଯ୍ୟାଂଶ ଶେଡଗେ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ମଧ୍ୟପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହରେ ବିଜେତା ଫାଇନାଲରେ ମୁମ୍ବାଇକୁ ଭେଟିବ ।