ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟ ଚୂଡାନ୍ତ ହେବା ପରେ ଏବେ ଟିମ ଇଣ୍ଡିଆର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଭାରତ ସ୍ଥାନ ପାଇଥିବା ଗ୍ରୁପ ୧କୁ ଗ୍ରୁପ ଅଫ ଡେଥ କୁହାଯାଉଛି । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ ସହ ଭାରତ ମୁକାବିଲା କରିବ । ସବୁଠାରୁ ମଜା କଥା ସମସ୍ତ ଟିମ ଗ୍ରୁପ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଛନ୍ତି । ଟି୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ଉଭୟ ଟିମ ମଧ୍ୟରେ ୪ ଥର ମ୍ୟାଚ ଆୟୋଜିତ ହୋଇଛି । ୱେଷ୍ଟଇଣ୍ଡିଜ ୩ ଥର ଏବଂ ଭାରତ ଥରେ ବିଜୟୀ ହୋଇଛି । ଭାରତ ପାଇଁ ସେମିଫାଇନାଲ ପ୍ରବେଶ ରାସ୍ତା କଠିନ ହୋଇଛି । ସମସ୍ତ ବିଭାଗରେ ଟିମ ଇଣ୍ଡିଆକୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡିବ ।
ଅଭିଷେକ ଶର୍ମାଙ୍କ ଫର୍ମ ଏବଂ ଫିଲ୍ଡିଂ ସମସ୍ୟା ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଅଭିଷେକଙ୍କ ଫର୍ମ ନେଇ ଅବଶ୍ୟ ଟିମ ମ୍ୟାନେଜମେଂଟ ଚିନ୍ତା ବ୍ୟକ୍ତ କରିନି । ସେ ଫର୍ମକୁ ଫେରିବା ସହ ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି । ଫେବୃୟାରୀ ୨୨ରେ ଭାରତ-ଦକ୍ଷିଣ ଆଫ୍ରିକା, ୨୩ରେ ଜିମ୍ବାୱେ-ୱେଷ୍ଟଇଣ୍ଡିଜ, ୨୬ରେ ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା, ଭାରତ-ଜିମ୍ବାୱେ ଓ ମାର୍ଚ୍ଚ ୧ରେ ଜିମ୍ବାୱେ-ଦକ୍ଷିଣ ଆଫ୍ରିକା, ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ । ସୁପର ୮ର ଗ୍ରୁପ ୨ରେ ଇଂଲଣ୍ଡ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ରହିଛନ୍ତି ।