ଅହମ୍ମଦାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାଜିବ ବୋଲି ଅନୁମାନ କରାଯାଉଛି । କଳା ଓ ନାଲି ମାଟିକୁ ବ୍ୟବହାର କରି ପିଚ ପ୍ରସ୍ତୁତ କରାଯାଇଛି । ଏଥିରେ ପେସ ଓ ବାଉନ୍ସ ରହିବ । ରିପୋର୍ଟ ମୁତାବକ ବଲ କମ ଟର୍ଣ୍ଣ କରିବ । ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଓ ଆଲେକ୍ସ ହ୍ୱାର୍ଫ ଅମ୍ପାୟରିଂ ଦାୟିତ୍ୱ ତୁଲାଇବେ । ଫାଇନାଲ ମ୍ୟାଚର ପିଚ ଫ୍ରେଶ ରହିବ । ଏଠାରେ କେବଳ ଫେବୃୟାରୀ ୯ରେ ଗୋଟିଏ ମ୍ୟାଚ ଖେଳା ଯାଇଥିଲା ।
ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୧୩ ରନ କରିଥିଲା । ଜବାବରେ କାନାଡା ୧୫୬ ରନ ସଂଗ୍ରହ କରିଥିଲା । ଅହମ୍ମଦାବାଦରେ ବିଶ୍ୱକପର ଅନ୍ୟ ୫ଟି ମ୍ୟାଚ ଖେଳାଯାଇଛି । କେଉଁଥିରେ କଳା ମାଟି ପିଚ ବ୍ୟବହାର କରାଯାଇନି । ଏହି ସମସ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୌଣସି ଟିମ ୨୦୦ ରନ ସଂଗ୍ରହ କରିପାରି ନାହାନ୍ତି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନ ଥିଲା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨ଟି ଏବଂ ଚେଜ କରିବା ଟିମ ସମାନ ସଂଖ୍ୟକ ମ୍ୟାଚରେ ବିଜୟୀ ହୋଇଛି ।