ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ନୂତନ ଭାବେ ଗଠିତ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ସଂକଳ୍ପ ପାରିତ ହୋଇଛି। ଏହି ପ୍ରସ୍ତାବ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ବେଚ୍ଛାକୃତ ଅବସର ଗ୍ରହଣ (VRS) କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱେଚ୍ଛାକୃତ ଅବସର ତଥା ଭିଆରଏସ କିମ୍ବା ବଦଳି। ଏ ଦୁଇଟି ମଧ୍ୟରୁ ଗୋଟିଏ ବାଛିବାକୁ ହେବ। ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ କାମ କରୁଥିବା ଅଣ ହିନ୍ଦୁ କର୍ମଚାରୀଙ୍କ ପାଇଁ ଏଭଳି ନିର୍ଦ୍ଦେଶ ଆସିଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରିବାକୁ ସେ ମନା କରି ଦେଇଛନ୍ତି।
ସୂଚନାନୁସାରେ, ଟିଟିଡିର ନୂତନ ନିଷ୍ପତ୍ତି ବୋର୍ଡର ୭୦୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ପ୍ରଭାବିତ କରିବ। କହିରଖୁ ଯେ, ୧୪୦୦୦ ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ TTD ରେ କାମ କରନ୍ତି। ତେବେ ସୂଚନାନୁସାରେ, ଅଣ-ହିନ୍ଦୁମାନେ ସଂଗଠନ ମଧ୍ୟରେ କାର୍ଯ୍ୟ ଜାରି ରଖିଛନ୍ତି। ଜୁନ୍ ୨୦୨୪ରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଆନ୍ଧ୍ରପ୍ରଦେଶରେ ଏକ ନୂତନ ସରକାର ଗଠନ କରାଯାଇଥିଲା। ହିନ୍ଦୁ କର୍ମଚାରୀମାନେ ଅନ୍ୟ ଧର୍ମରୁ ସେମାନଙ୍କ ସହକର୍ମୀଙ୍କୁ ଚିହ୍ନଟ କରୁଥିବା ଅଭିଯୋଗ ପରେ ଏହା ହୋଇଥିଲା।
TTD ର ଏହି ନିଷ୍ପତ୍ତି ସମ୍ବିଧାନର ଧାରା ୧୬(୫) ଉପରେ ଆଧାରିତ। ସମ୍ବିଧାନର ଏହି ଧାରା ଧାର୍ମିକ ପ୍ରକୃତିର ଅନୁଷ୍ଠାନଗୁଡ଼ିକୁ ସେମାନଙ୍କର ଧର୍ମର ସଦସ୍ୟମାନଙ୍କୁ ନିଯୁକ୍ତି ଦେବାର ଅଧିକାର ଦେଇଥାଏ। ଆନ୍ଧ୍ରପ୍ରଦେଶର ଚାରିଟେବୁଲ୍ ଏବଂ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଓ ଏଣ୍ଡୋମେଣ୍ଟସ୍ ସବୋର୍ଡେଟ୍ ସର୍ଭିସ୍ ନିୟମର ନିୟମ ୩ରେ ମଧ୍ୟ କୁହାଯାଇଛି ଯେ ଧାର୍ମିକ ଅନୁଷ୍ଠାନର କର୍ମଚାରୀମାନେ ହିନ୍ଦୁ ଧର୍ମ ସ୍ୱୀକାର କରିବାକୁ ହେବ। ନଭେମ୍ବର ୨୦୨୩ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମଧ୍ୟ ସେବା ସର୍ତ୍ତକୁ ବାଧ୍ୟତାମୂଳକ କରିବା ପାଇଁ ଟ୍ରଷ୍ଟ ବୋର୍ଡର କ୍ଷମତା ଅଛି ବୋଲି କହିଥିଲେ।