Latest Odisha News

BREAKING NEWS

ଅଲକାଏଦା ହାତରେ ଆମେରିକା ହତିଆର !

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପରେ ଶାସନକୁ ଆସିଥିବା ତାଲିବାନ ହାତରେ ଲାଗିଥିଲା ଅସ୍ତ୍ରଶସ୍ତ୍ରର ଭଣ୍ଡାର। ଏସବୁକୁ ଆମେରିକା ସେନା ଆଫଗାନିସ୍ତାନରେ ଛାଡି ଆସିଥିଲେ । ପ୍ରଶ୍ନ ଉଠୁଛି ଏସବୁ ହତିଆର କୁଆଡେ ଗଲା? କୁହାଯାଉଛି, ତାଲିବାନ୍ ରାଜରେ ଏସବୁ ଅସ୍ତ୍ରଶସ୍ତ୍ରକୁ ରଖାଯାଇଛି କିମ୍ବା ବିକ୍ରି କରାଯାଇଛି କିମ୍ବା ଚୋରା ଚାଲାଣ କରାଯାଇଛି। ଏସବୁ ଅସ୍ତ୍ରଶସ୍ତ୍ର ଅଲକାଏଦା ପରି ଆତଙ୍କବାଦୀ ସଂଗଠନକୁ ସପ୍ଲାଏ କରାଯାଇଥିବା ଜାତିସଂଘ ଆଶଙ୍କା କରୁଛି । ହତିଆର ଫେରାଇ ନେବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏଥିପାଇଁ ରାଜି ହେବ ତ ତାଲିବାନ୍?

ଦୁଇ ଦଶକ ଧରି ରହିଥିଲା ଆମେରିକା ସେନା

୯/୧୧ଘଟଣା ପରେ ଓ୍ବାର ଅନ୍ ଟେରର ଘୋଷଣା କରିଥିଲା ଆମେରିକା । ଏହାପରେ ୨୦୦୧ରେ ଆମେରିକା ସେନା ଆଫଗାନିସ୍ତାନରେ ପହଞ୍ଚିଥିଲା । ଅଲକାଏଦାକୁ ଶରଣ ଦେଇଥିବା ତାଲିବାନୀ ସରକାରକୁ ଶେଷ କରିବାକୁ ପୂରା ଜୋର ଲଗାଇଥିଲା ସେନା । ତାଲିବାନ୍ ହଟିବା ପରେ ବି ସେଠାରେ ହିଁ ରହିଥିଲା ସେନା । ୨୦୨୧ଅଗଷ୍ଟରେ ସେନା ସେଠାରୁ ପୂର୍ଣ୍ଣ ରୂପରେ ହଟି ଯାଇଥିଲା । ତେବେ ୨୦ବର୍ଷ ଧରି ଆଫଗାନିସ୍ତାନରେ ରହିବା ଯୋଗୁଁ ସେଠାରେ ଅନେକ ହତିଆର ଜମା କରି ସାରିଥିଲା ଆମେରିକା ସେନା । ପୁଣି ଥରେ ତାଲିବାନ କ୍ଷମତାକୁ ଆସିବା ପରେ ଏସବୁ ହତିଆରର ଭଣ୍ଡାର ପାଇଥିଲା ।

ତାଲିବାନ ହାତରେ ଅସ୍ତ୍ର ଭଣ୍ଡାର

ଆମେରିକା ସରକାରଙ୍କ ବିଭିନ୍ନ ସଂସ୍ଥାର ଅନୁମାନ, ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ସେଠାରେ ଥିବା ୭ବିଲିୟନ ଡଲାର ମୂଲ୍ୟର ସୈନ୍ୟ ଉପକରଣ ଉପରେ ତାଲିବାନ କବଜା କରିଥିଲା । ୨୦୨୧ରେ ସେନା କାବୁଲ ଛାଡିବା ବେଳେ, ପେଣ୍ଟାଗନ ସେଠାରେ ହତିଆରକୁ ନିଷ୍କ୍ରିୟ କରିଥିବା ପେଣ୍ଟାଗନ କହିଥିଲା । ତେବେ ଏହାପରେ ପରେ ତାଲିବାନ ସବୁ ଅସ୍ତ୍ରଶସ୍ତ୍ର ସହ ନିଜ ସେନା ପ୍ରସ୍ତୁତ କରିଥିଲା । ଏପରିକି ଆମେରିକୀୟ ହତିଆର ଦମରେ ଆଖପାଖର ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଭୟ ସୃଷ୍ଟି କରିଥିବା କୁହାଯାଉଛି ।

କୁଆଡେ ଗଲା ହତିଆର?

ଫେବ୍ରୁଆରୀରେ ଆସିଥିବା ଜାତିସଂଘ ରିପୋର୍ଟ ଅନୁସାରେ, ତାଲିବାନ୍ ଅଲକାଏଦା, ଜୈସ ତହରିକ-ଏ-ତାଲିବାନ ପାକିସ୍ତାନ, ଇସଲାମିକ ମୁଭମେଣ୍ଟ ଅଫ୍ ଉଜବେଗିସ୍ତାନ, ୟମନର ଅଂସାରୁଲ୍ଲା ପରି ଆତଙ୍କବାଦୀ ସଂଗଠନକୁ ହତିଆର ବିକ୍ରି କରିଛି । ଏହାଛଡା ଆମେରିକାର ୨୦ପ୍ରତିଶତ ହତିଆରକୁ ନିଜ କମାଣ୍ଡରଙ୍କୁ ଦେଇଛି ତାଲିବାନ୍ । କମାଣ୍ଡରଙ୍କ କବଜାକୁ ଆସିଥିବା ହତିଆରର କଳାବଜାରୀ ହୋଇଥିବା କୁହାଯାଉଛି । ତେବେ ଏହାକୁ ଅସ୍ବୀକାର କରିଛି ତାଲିବାନ । ଏସବୁ ଅସ୍ତ୍ରଶସ୍ତ୍ରକୁ ସେ କେବଳ ନିଜ ସୁରକ୍ଷା କ୍ଷେତ୍ରରେ ଉପଯୋଗ କରୁଥିବା କହିଆସିଛି । ଆମେରିକୀୟ ଅସ୍ତ୍ରଶସ୍ତ୍ର ପ୍ରସଙ୍ଗ ଅନେକ ଥର ହ୍ବାଇଟ୍ ହାଉସରେ ଉଠିଛି । ବିଶେଷ କରି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠୁ ହତିଆର ଫେରାଇ ନେବା କଥା କହୁଛନ୍ତି ।

ହତିଆର ଫେରାଇବ ତାଲିବାନ୍ !

ଟ୍ରମ୍ପ ହତିଆର ଫେରାଇ ନେବାକୁ କହୁଛନ୍ତି, ତେବେ ଏହା ଏତେ ସହଜ ହେବନି । ଆଫଗାନିସ୍ତାନରେ କ୍ଷମତାରେ ରହିଥିଲେ ବି ଅନେକ ବାହ୍ୟ ଶକ୍ତି ସହ ଲଢେଇ କରୁଛି ତାଲିବାନ । ତେଣୁ କୌଣସି ସ୍ଥିତିରେ ହତିଆର ଫେରାଇବା ମୁଡରେ ନାହିଁ ତାଲିବାନ । ଫରେନ୍ ପଲିସିର ରିପୋର୍ଟ ଅନୁସାରେ, ଆମେରିକାକୁ ନିଜ ହତିଆର ଫେରାଇ ନେବା ପାଇଁ ହୁଏତ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ । ଗତ କିଛି ଦିନ ହେଲା ଆଫଗାନିସ୍ତାନ ସହ ଆମେରିକାର ସଂପର୍କ ସୁଧୁରୁଛି । ଦେଶକୁ କୁଟନୈତିକ ମାନ୍ୟତା ନେଇ ନିଜ ହତିଆର ଫେରାଇ ନେବାକୁ ଉଦ୍ୟମ କରିପାରେ ଆମେରିକା । ଏବେବି ତାଲିବାନକୁ ଆତଙ୍କବାଦୀ ସଂଗଠନ ମାନିବା ସହ କାବୁଲଠାରୁ ଦୂରତା ରଖିଆସିଛନ୍ତି ଅନେକ ଦେଶ । ତେଣୁ ଆମେରିକା କାବୁଲକୁ ସ୍ବୀକାର କଲେ, ବାକି ଦେଶ ବି ଦ୍ବିପାକ୍ଷିକ ସଂପର୍କ ପାଇଁ ହାତ ବଢାଇ ପାରନ୍ତି । ତେବେ ଆମେରିକାକୁ ନିଜ ହତିଆର ତାଲିବାନଠାରୁ କିଣିବାକୁ ପଡିବ ନା କୁଟନୀତିରେ ସମସ୍ୟାର ସମାଧାନ ହୋଇଯିବ, ତାଉପରେ ନଜର ରହିଛି ।

Comments are closed.