Latest Odisha News

BREAKING NEWS

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଅଣ-ପଞ୍ଜୀକୃତ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର: ତାମିଲନାଡୁରେ ଘଟିଥିବା ଭୟଙ୍କର ଗ୍ୟାସ ଟ୍ରାଜେଡି ଓଡ଼ିଶାର ଶ୍ରମିକ ମହଲରେ ଶୋକର ଛାୟା ଖେଳି ଯାଇଛି। ଏହି ଦୁଃଖଦ ଘଟଣାରେ ୧୪ ଜଣ ଓଡ଼ିଆ ଶ୍ରମିକଙ୍କ ଅକାଳ ବିୟୋଗ ପରେ ଏବେ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ବିନା ପଞ୍ଜୀକରଣରେ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଦଲାଲଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

 

ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, “ବିଭିନ୍ନ ପ୍ରଲୋଭନ ଦେଖାଇ ଅସାମାଜିକ ବ୍ୟକ୍ତିମାନେ ନିରୀହ ଶ୍ରମିକ ଏବଂ ନାବାଳିକାଙ୍କୁ ରାଜ୍ୟ ବାହାରକୁ ନେଉଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ।” ତାମିଲନାଡୁ ଘଟଣାରେ ସମ୍ପୃକ୍ତ ଥିବା ଦଲାଲଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଚଳାଇଛି।

 

ଶ୍ରମିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଣିକି ପ୍ରତ୍ୟେକ ପଞ୍ଚାୟତରେ କେଉଁ ପରିବାରରୁ କେତେଜଣ ଶ୍ରମିକ ବାହାରକୁ କାମ କରିବାକୁ ଯାଇଛନ୍ତି, ତାହାର ପୂର୍ଣ୍ଣାଙ୍ଗ ତଥ୍ୟ ରଖିବାକୁ ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କେଉଁଠାରେ କାମ କରୁଛନ୍ତି ଏବଂ ସେଠାରେ କିଭଳି ପରିସ୍ଥିତିରେ ଅଛନ୍ତି, ସେନେଇ ମଧ୍ୟ ନିୟମିତ ତଦାରଖ କରାଯିବ।

 

କେବଳ ଦଲାଲଙ୍କ ଉପରେ ଚଢ଼ାଉ ନୁହେଁ, ବରଂ ଓଡ଼ିଶାର ଶ୍ରମିକ ସମସ୍ୟାର ସମାଧାନ ପାଇଁ ସରକାର ଏକ ‘ଗ୍ରାଉଣ୍ଡ ସର୍ଭେ’ କରିବାକୁ ଯାଉଛନ୍ତି। ଏଥିପାଇଁ ବ୍ଲକ ଉନ୍ନୟନ ଅଧିକାରୀ ମାନଙ୍କୁ ସ୍ୱତନ୍ତ୍ର ଫର୍ମାଟ୍ ପ୍ରଦାନ କରାଯାଇଛି। ଏହି ସର୍ଭେ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କର ତଥ୍ୟ ସଂଗ୍ରହ କରାଯିବ ଏବଂ ସେମାନଙ୍କ ଦକ୍ଷତା ଅନୁଯାୟୀ ନିଜ ଅଞ୍ଚଳରେ କିଭଳି ନିଯୁକ୍ତି ସୁଯୋଗ ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ।

 

ତାମିଲନାଡୁ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକମାନଙ୍କ ଚିକିତ୍ସା ପାଇଁ ସେଠାକାର ସରକାରଙ୍କ ସହ ଓଡ଼ିଶା ପ୍ରଶାସନ ସମ୍ପର୍କରେ ରହିଛି। ଶ୍ରମିକଙ୍କ ପରିବାରକୁ ନ୍ୟାୟ ଦେବା ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

Comments are closed.