Latest Odisha News

BREAKING NEWS

‘ମି ଠୁ’ ପରେ ତନୁଶ୍ରୀଙ୍କ ନୂଆ ଅଭିଯୋଗ, କହିଲେ ହତ୍ୟା କରିବା ପାଇଁ ଚାଲିଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, ‘ମି ଠୁ’ ଖୁଲାସା ହେବା ପରେ ତାଙ୍କୁ ବାରମ୍ବାର ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ସୂଚନା ଥାଉକି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମି ଠୁ ଅଭିଯାନ ଅନ୍ତର୍ଗତ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିପୂର୍ବରୁ ତନୁଶ୍ରୀ ଦତ୍ତା କହିଛନ୍ତି ଯେ ଯଦି ତାଙ୍କର କୌଣସି କ୍ଷତି ହୁଏ ତେବେ ଏଥିପାଇଁ ନାନା ପାଟେକର ଏବଂ ତାଙ୍କର ବଲିଉଡ଼ ମାଫିଆ ବନ୍ଧୁ ଦାୟି ରହିବେ।

ଏଫଏମ କନାଡା ସହ ସାକ୍ଷାତକାରରେ ତନୁଶ୍ରୀ କହିଛନ୍ତି, ଯେତେବେଳେ ସେ ଉଜ୍ଜୈନରେ ଥିଲେ ସେହି ସମୟରେ ବହୁତ ଥର ତାଙ୍କର କାର ର ବ୍ରେକ୍ ଫେଲ୍ କରିଦିଆଯାଇଥିଲା। ଯେଉଁପାଇଁ ଥରେ ତାଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡିଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ।

ଏହା ବ୍ୟତିତ ତନୁଶ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ତାଙ୍କ ଘରେ ଜଣେ ମହିଳା କାମ କରିବାକୁ ଆସିଥିଲେ, ତାଙ୍କୁ ମଧ୍ୟ ଷଡ଼ଯନ୍ତ୍ର କରି ତନୁଶ୍ରୀଙ୍କ ଘରେ ପଠାଯାଇଥିଲା। କାରଣ ଉକ୍ତ କାମ କରୁଥିବା ମହିଳା ଯେବେଠାରୁ ତନୁଶ୍ରୀଙ୍କ ଘରେ ଆସିଲେ ସେବେଠାରୁ ଅଭିନେତ୍ରୀ ଆସ୍ତେ ଆସ୍ତେ ଅସୁସ୍ଥତା ଅନୁଭବ କରୁଥିଲେ ।

ସୂଚନା ଥାଉକି, ତନୁଶ୍ରୀ ଦତ୍ତା ମି ଠୁ କ୍ୟାମ୍ପେନ ବେଳେ ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ୨୦୦୮ ମସିହାରେ ସିନେମା ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂ ସେଟରେ ଅଭିନେତା ନାନା ପାଟେକର ତାଙ୍କୁ ଯୌନ ଶୋଷଣ କରିଥିଲେ। ଏନେଇ ତନୁଶ୍ରୀ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ତେବେ ନାନା ପାଟେକର ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ଏହି ଘଟଣା ପରେ ତନୁଶ୍ରୀ ଦତ୍ତା ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ରେକ୍ ନେଇଥିଲେ।

Leave A Reply

Your email address will not be published.