Latest Odisha News

BREAKING NEWS

ହେମାଙ୍କ କଂଗ୍ରେସକୁ ଘର ବାହୁଡ଼ା: ତାରାଙ୍କ ସମେତ ଜିଲ୍ଲା କଂଗ୍ରେସ ନେତାଙ୍କ ନାପସନ୍ଦ

ଭୁବନେଶ୍ୱର: ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗଙ୍କ କଂଗ୍ରେସକୁ ଘର ବାହୁଡ଼ା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏବେ ଘରେ ପଶୁ ପଶୁ ଚାଳ ବାଜିବା ପରି ନିଜ ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ସୃଷ୍ଟି ହେବା ସୂଚନା ମିଳୁଛି ।

ହେମା ଗମାଙ୍ଗଙ୍କ କଂଗ୍ରେସକୁ ବାହୁଡ଼ିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତନ ତାରା ବାହିନୀପତି କହିଛନ୍ତି, ହେମା ଗମାଙ୍ଗ ପୁଣି କଂଗ୍ରେସକୁ ଫେରିବା ଏକ ପ୍ରତିକୂଳାତ୍ମକ ଖବର ନହେଲେ ମଧ୍ୟ ସେ କୌଣସି ଦଳୀୟ ପଦ ପଦବୀ ପ୍ରତି ଲାଳାୟିତ ହେବା ଉଚିତ ନୁହେଁ ।

“ହେମା ଗମାଙ୍ଗ ୨୦୧୪ ମସିହାରେ କଂଗ୍ରେସ ପରିତ୍ୟାଗ କରି ବିଜେଡ଼ିରେ ମିଶିବା ପରେ କୋରାପୁଟ ଜିଲ୍ଲାର ଜନସାଧାରଣ ସେବେଠାରୁ ତାଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି । ସେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ହାରିଥିଲେ । ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କେହି ବି କଂଗ୍ରେସ ଛାଡୁ ବା ଯୋଗ ଦେଲେ ମଧ୍ୟ ଦଳରେ କୌଣସି ଫରକ ପଡ଼ିବ ନାହିଁ,” ବୋଲି ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ତାରା ବାହିନୀପତିଙ୍କ ଏହି ବୟାନର ଜବାବ ଏପର୍ଯ୍ୟନ୍ତ ଦେଇନାହାନ୍ତି ।

ହେମାଙ୍କ କଂଗେସକୁ ବାହୁଡ଼ିବା ନେଇ ଓଡ଼ିଶ। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ, ହେମା କଂଗ୍ରେସକୁ ଫେରିବା ଏକ ଖୁସିର ଖବର, କାରଣ କଂଗ୍ରେସ ଦଳ ହିଁ ତାଙ୍କର ପ୍ରକୃତ ସ୍ଥାନ । ମାତ୍ର ସେ ଦଳର ଶୃଙ୍ଖଳା ଓ ନିୟକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଉଚିତ ।

ନୂଆଦିଲ୍ଲୀଠାରେ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଏହି ପୂର୍ବତନ ସାଂସଦ କହିଥିଲେ, ସେ ବରିଷ୍ଠ ନେତୃବର୍ଗ ମାନଙ୍କ ସହିତ ସାକ୍ଷାତ କରି କଂଗ୍ରେସରେ ଯୋଗ ଦେବା ନେଇ ଅବଗତ କରିଛନ୍ତି । “ମୁଁ ଏନେଇ ଅନେକ ନେତା ମାନଙ୍କ ସହିତ ସାକ୍ଷାତ କରି ସାରିଛି ଏବଂ ଆହୁରି କିଛି ବରିଷ୍ଠ କଂଗ୍ରେସ ନେତୃବର୍ଗଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିବି,”ବୋଲି ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ହେମା ଗମାଙ୍ଗ ।

Leave A Reply

Your email address will not be published.