Latest Odisha News

BREAKING NEWS

ଅବହେଳିତ ଅବସ୍ଥାରେ ପଡ଼ିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ

ପୁରୀ : ଐତିହ୍ୟ ସମ୍ପନ୍ନ ମୂଷାନଦୀର ରହିଛି ପୌରାଣିକ ମହତ୍ତ୍ବ । ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ । ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଏବେ ସଙ୍କୁଚିତ ହୋଇ ପୋତିହେବାକୁ ବସିଲାଣି ମୂଷାନଈ। ପୂର୍ବରୁ ଅଠରନଳା ନଦୀ ନାମରେ ପରିଚିତ ଥିବା ଏହି ନଦୀ ହୁଳୁହୁଳିଆ ପୋଲ ଓ ଅଠରନଳା ତଳେ ଦେଇ ମଙ୍ଗଳା ନଦୀରେ ମିଶିଛି । କିନ୍ତୁ ଏବେ ମାଫିଆଙ୍କ କବଳରେ ପଡି ନିଜର ଅସ୍ଥିତ୍ୱ ହରାଉଛି ଏହି ମୂଷାନଈ ।

ଅବଢ଼ା ଯୋଜନାରେ ଅନ୍ତର୍ଭୁକ୍ତ ଏହି ମୂଷାନଦୀ, ରିଭରଫ୍ରଣ୍ଟ ବିକାଶ ପାଇଁ ଯୋଜନା କରାଯାଇଥିବା ବେଳେ ଗତବର୍ଷ ଏହାର ଉନ୍ନତିକରଣ ପାଇଁ ୨୫୦ କୋଟି ଟଙ୍କାର ଅଟକଳ କରାଯାଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ବ୍ଲୁ ପ୍ରିଣ୍ଟ ଅନୁଯାୟୀ ୪୬ ଏକର ଜମି ଅଧିଗ୍ରହଣ ହେବାକୁ ଯୋଜନା କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ଏକତୃତୀୟାଂଶ ଜମି ଅଧିଗ୍ରହଣ ସରିଛି । ଅନ୍ୟପଟେ ଦୀର୍ଘ ଏକବର୍ଷ ପରେ ମଧ୍ୟ ଉନ୍ନତିକରଣ କାର୍ଯ୍ୟ ତ୍ଵରାନ୍ବିତ କରିବାରେ ବିଫଳ ହୋଇଛି ପ୍ରଶାସନ । ଦଳକାଢ଼ିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଫଳ ଶୁନ୍ୟ ରହିଛି ।

ପୁରୀ ସହରର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥାର ମଧ୍ୟ ଏହା ଏକ ପ୍ରମୁଖ ଉତ୍ସ। ମୂଷାନଦୀକୁ ନରେନ୍ଦ୍ର ପୋଖରୀର ଜଳ ନିଷ୍କାସନ ପାଇଁ ରହିଛି ସ୍ୱତନ୍ତ୍ର ବାଟ । ଏହି ପ୍ରକଳ୍ପର ଦାୟିତ୍ୱ ନେଇଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଏହି ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ କାମ କରିବାକୁ ଚୁକ୍ତି ସରିଥିବା କଥା  କହିଛନ୍ତି  । ପ୍ରଥମ ପର୍ଯ୍ୟାୟରେ  ମଙ୍ଗଳାନଦୀରୁ ମୂଷାନଦୀ ୩.୨ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିଛି ।

ଦ୍ଵିତୀୟ ପର୍ଯ୍ୟାୟରେ ଅଠରନଳାରୁ ଆଳିକିଆ ଦେଇ କାଞ୍ଚିନଦୀ ୭କିମି ପର୍ଯ୍ୟନ୍ତ ଏହି ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି  ଓବିସିସି ଅଧିକାରୀ କହିଛନ୍ତି । ସେପଟେ ପୁରୀ ଜିଲ୍ଲାପାଳ ବାରମ୍ବାର ଦଳ କାଢ଼ିବାରେ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ ତାର ସ୍ଥାୟୀ ସମାଧନ ବାହାର କରାଯାଇଛି ବୋଲି ସେ କହିଛନ୍ତି।

Comments are closed.