Nuclear Energy: ୨୦୪୭ ସୁଦ୍ଧା ୧୦୦ GW ପରମାଣୁ ଶକ୍ତି! ଲାଲକିଲ୍ଲାରୁ ମୋଦୀଙ୍କ ବଡ଼ ଘୋଷଣା, ଚାଲିବ ୫ ନୂଆ ରିଆକ୍ଟର!
ନୂଆଦିଲ୍ଲୀ: ଭାରତର ଶକ୍ତି ସୁରକ୍ଷାକୁ ଆହୁରି ମଜବୁତ କରିବା ଦିଗରେ ବଡ଼ ଲକ୍ଷ୍ୟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୮୦ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରି ସେ କହିଛନ୍ତି, ୨୦୪୭ ସୁଦ୍ଧା ଭାରତ ୧୦୦ GW ପରମାଣୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି। ଏଥିସହ ଆଗାମୀ ୬ରୁ ୭ ବର୍ଷ ମଧ୍ୟରେ ୫ଟି ନୂଆ ପରମାଣୁ ରିଆକ୍ଟରକୁ କାର୍ଯ୍ୟକ୍ଷମ କରିବା ଦିଗରେ ଦେଶ ଆଗେଇ ଚାଲିଛି ବୋଲି ସେ କହିଛନ୍ତି।
ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ଚଳିତ ବର୍ଷ ଏକ ବଡ଼ ସଫଳତା ହାସଲ କରିଛି ବୋଲି ମୋଦୀ କହିଛନ୍ତି। ତାମିଲନାଡୁର କଳପକ୍କମସ୍ଥିତ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର (PFBR) କ୍ରିଟିକାଲିଟି ହାସଲ କରିଛି। ଏହା ଭାରତକୁ ପରମାଣୁ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରମାଣୁ ଶକ୍ତିକୁ ଦେଶର ଭବିଷ୍ୟତ ଶକ୍ତି ଆବଶ୍ୟକତା ପୂରଣ ସହ ଶକ୍ତି ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେ ଉଲ୍ଲେଖ କରିଛନ୍ତି।
ପରମାଣୁ ଶକ୍ତି କ୍ଷେତ୍ରରେ ନୂଆ ପଦକ୍ଷେପ ପାଇଁ ସରକାର ସଂସଦରେ ଶାନ୍ତି ଆକ୍ଟ (SHANTI Act) ପାରିତ କରିଥିବା ମୋଦୀ କହିଛନ୍ତି। ଦେଶର ଦୀର୍ଘମିଆଦୀ ଶକ୍ତି ଆବଶ୍ୟକତା ପୂରଣ ଓ ଆତ୍ମନିର୍ଭରତା ପାଇଁ ଏହି କ୍ଷେତ୍ରରେ ଆହୁରି କାମ କରାଯିବ ବୋଲି ସେ କହିଛନ୍ତି। ଦେଶର ଶକ୍ତି କ୍ଷେତ୍ରର ଅନ୍ୟାନ୍ୟ ସଫଳତା ବିଷୟରେ ମଧ୍ୟ ମୋଦୀ ଉଲ୍ଲେଖ କରିଛନ୍ତି। ୨୦୧୪ ପୂର୍ବରୁ ଦେଶର ପ୍ରାୟ ୭୦ଟି ସହରରେ ପାଇପ୍ ଗ୍ୟାସ୍ ଉପଲବ୍ଧ ଥିବାବେଳେ ଏବେ ଏହା ୭୦୦ଟି ସହରକୁ ବୃଦ୍ଧି ପାଇଛି। ପାଇପ୍ ଗ୍ୟାସ୍ ପାଉଥିବା ଘର ସଂଖ୍ୟା ମଧ୍ୟ ପ୍ରାୟ ୨୦-୨୨ ଲକ୍ଷରୁ ବଢ଼ି ୧.୭୫ କୋଟି ନିକଟରେ ପହଞ୍ଚିଛି ବୋଲି ସେ କହିଛନ୍ତି।
ସେହିପରି ଭାରତର ସୋଲାର ଶକ୍ତି କ୍ଷମତା ୨୦୧୪ରେ ୨ GWରୁ ବଢ଼ି ୧୬୦ GW ହୋଇଛି। ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା’ ଅଧୀନରେ ୫୦ ଲକ୍ଷରୁ ଅଧିକ ଘର ସୋଲାର ଶକ୍ତି ଆପଣାଇଛନ୍ତି ବୋଲି ମୋଦୀ କହିଛନ୍ତି। ପଶ୍ଚିମ ଏସିଆ ସଙ୍କଟ ପ୍ରସଙ୍ଗ ଉଠାଇ ମୋଦୀ କହିଛନ୍ତି, ଏଭଳି ଅନିଶ୍ଚିତ ପରିସ୍ଥିତିରେ ଭାରତରେ ଗ୍ୟାସ୍, ଇନ୍ଧନ କିମ୍ବା ୟୁରିଆର କୌଣସି ଅଭାବ ନାହିଁ। ଦେଶର ପର୍ଯ୍ୟାପ୍ତ ଶକ୍ତି ଯୋଗାଣ ବଜାୟ ରହିଛି ବୋଲି ସେ କହିଛନ୍ତି।
ଭାରତୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ମଧ୍ୟ ମୋଦୀ ଜୋର ଦେଇଛନ୍ତି। ଟେକ୍ସଟାଇଲ୍, ମେସିନାରୀ ଓ ଔଷଧ ଭଳି ଭାରତୀୟ ଉତ୍ପାଦ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବା ପାଇଁ ଗୁଣବତ୍ତା ଓ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ମୋଦୀଙ୍କ କହିବା ଅନୁସାରେ, ଭାରତର ବଢ଼ୁଥିବା ଆତ୍ମନିର୍ଭରତା ଦେଶକୁ ବିଶ୍ୱସ୍ତରୀୟ ଅନିଶ୍ଚିତତା ସମୟରେ ମଧ୍ୟ ମଜବୁତ ଭାବେ ଠିଆ ହେବାରେ ସହାୟତା କରିଛି। ଭାରତ ୪୦ଟି ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
