କଳାହାଣ୍ଡି: ଜାପାନୀ ମିଆଜାକି ଆମ୍ବ ଫଳାଇ ଚର୍ଚ୍ଚାରେ ଜଣେ ଶିକ୍ଷକ। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କାନ୍ଦୁଲଗୁଡାର ସଫଳ ଆମ୍ବ ଚାଷୀ ତଥା ଶିକ୍ଷକ ରକ୍ଷାକର ଭୋଇ ନିଜ ବାଡିରେ ମିଆଜାକି ଆମ୍ବ ଫଳାଇ ଏବେ ଚର୍ଚ୍ଚାରେ। ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ। ଆମ୍ବର ଦାମ୍ ଏତେ ଅଧିକ ଯେ ଆମ୍ବ ବିକ୍ରି କରି ରାତାରାତି ହୋଇଗଲେ ଧନୀ। ଏହାକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ତାଙ୍କ ବାଡିରେ ନାହିଁନଥିବା ଭିଡ ଜମୁଛି। ଏହି ଆମ୍ବ କିଲୋ ପିଛା ୩ ଲକ୍ଷ ଟଙ୍କାରୁ ଅଧିକ।
ରକ୍ଷାକର ଭୋଇ ଜଣେ କାନ୍ଦୁଲଗୁଡା ଗାଁର ପ୍ରାଥମିକ ଶିକ୍ଷକ। ହାଇଦ୍ରାବାଦରୁ ସେ ୧୨ ବର୍ଷ ତଳେ ଏହି ଗଛ ଆଣି ନିଜ ବାଡ଼ିରେ ଲଗେଇଥିଲେ। କିଛି ବର୍ଷ ହେବ ଏହା ଫଳୁଥିଲା, ହେଲେ ଚଳିତ ବର୍ଷ ସେ ଏହି ଆମ୍ବର ଗୁଣ ବିଷୟରେ ଜାଣିପାରିଥିଲେ। ନିଜ ଘର ବାଡିରେ ଶହ ଶହ ପ୍ରଜାତିର ଆମ୍ବ ଏବଂ ଔଷଧ ବୃକ୍ଷ ରୋପଣ କରିଛନ୍ତି। ଗତ ୨୦ ବର୍ଷ ହେବ ନିରବଛିନ୍ନ ଭାବରେ ସେ ନିଜ ବାଡିରେ ଏହି କାର୍ଯ୍ୟ କରି ଆସୁଛନ୍ତି। ପରିବେଶ ସନ୍ତୁଳନ ପାଇଁ ସେ ବାଡିରେ ଲଗେଇଛନ୍ତି ଶହଶହ ଗଛ।
ଏବେ ଆମ୍ବ ଚାଷ ଦେଇଛି ପରିଚୟ। ତେବେ ଏହି ଜାପାନୀ ଆମ୍ବର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ୨.୫ ରୁ ୩ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଅନେକ ଔଷଧୀୟ ଗୁଣ ଥିବା ଏହି ଜାପାନୀ ପ୍ରଜାତିର ମିଆଜାକି ଆମ୍ବର ମୂଲ୍ୟ ଲକ୍ଷାଧିକ ଟଙ୍କା ଥିବା ପ୍ରଚାର ହେବା ପରେ ଶିକ୍ଷକ ରକ୍ଷାକର ଭୋଇଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାନ୍ଦୁଲଗୁଡ଼ା ଗ୍ରାମର ଶିକ୍ଷକ ରକ୍ଷାକର ଭୋଇ ବିଶ୍ୱର ବ୍ୟୟବହୁଳ ଆମ୍ବ ତଥା ଜାପାନୀ ପ୍ରଜାତିର ‘ମିଆଜାକି’ ନାମକ ଆମ୍ବ ଚାଷ କରି ସଫଳତା ହାସଲ କରିଛନ୍ତି। ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ବିରଳ ପ୍ରଜାତିର ଆମ୍ବର ବିଶେଷ ଚାହିଦା ରହିଛି। ଏକ ଦୁର୍ଗମ ଅଞ୍ଚଳରେ ଏଭଳି କିସମର ଆମ୍ବ ଲଗାଇ ସେ ଯୁବ ଚାଷୀଙ୍କୁ ଚାଷ କରି ଲାଭବାନ ହେବାର ନୂଆ ଦିଶା ଦେଖାଇଛନ୍ତି।
Comments are closed.