Latest Odisha News

ଗୁରୁଶିଷ୍ୟଙ୍କ ଅନନ୍ୟ ଏ ସମ୍ପର୍କ; ଶିକ୍ଷକଙ୍କ ବଦଳି ପରେ କିଛି ଏମିତି କଲେ ଛାତ୍ରଛାତ୍ରୀ……..

ମଞ୍ଚେରିଆ: ଆମେ ଅନେକ ଥର ଗୁରୁ ଶିଷ୍ୟଙ୍କର କାହାଣୀ ଶୁଣିଛେ । ଅନେକ ଫିଲ୍ମ ବି ଦେଖିଛେ । ଯାହା ହୃଦୟସ୍ପର୍ଶୀ ଅଟେ । ତେବେ ପୂର୍ବକାଳେ ଗୁରୁ ଶିଷ୍ୟଙ୍କର ଏକ ନିବିଡ ସଂପର୍କ ଥିଲା । ତାହା ଦ୍ରୋଣ- ଏକଲବ୍ୟଙ୍କର ହେଉ କି ଦ୍ରୋଣ ଅର୍ଜୁନଙ୍କର ତାହା ବାସ୍ତବରେ ହୃଦୟସ୍ପର୍ଶୀ ଥିଲା । ଗୁରୁଙ୍କ ଯାହା କହୁଥିଲେ ତାହା ଶିଷ୍ୟଙ୍କ ପାଇଁ ବେଦର ଗାର ହେଉଯାଉଥିଲା, ଗୁରୁଙ୍କ ପାଇଁ କିଛି ବି କରୁଥିଲେ ଶିଷ୍ୟ । କିନ୍ତୁ ଏବେକା ଦୁନିଆରେ ଗୁରୁ-ଶିଷ୍ୟଙ୍କର ସଂପର୍କ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି । କିନ୍ତୁ ଏଭଳି ସ୍ଥିତିରେ ଗୁରୁ ଶିଷ୍ୟଙ୍କର ଏକ ଏମିତି କାହାଣୀ ଯାହା ଆପଣକୁ ଭାବପ୍ରବଣ କରିଦେବ । କିଛି ଏମିତି ଘଟଣା ଘଟିଛି ତେଲେଙ୍ଗାନାରେ । ପିଲାମାନଙ୍କର ପ୍ରିୟ ଶିକ୍ଷକଙ୍କର ଅନ୍ୟ ସ୍କୁଲକୁ ବଦଳି ହେବା ପରେ ଶିକ୍ଷକଙ୍କ ପାଇଁ ସ୍କୁଲ ଛାଡିଦେଲେ ୧୩୩ ପିଲା । ସବୁଠୁ ରୋଚକ କଥା ହେଉଛି ସେମାନେ ପୁଣି ତାଙ୍କ ଶିକ୍ଷକ ବଦଳି ହୋଇଥିବା ନୂଆ ସ୍କୁଲରେ ଯାଇ ନାମ ଲେଖାଇଛନ୍ତି । ଶୁଣିବାକୁ ଅତ୍ୟନ୍ତ କୌତୁହଳ ନା ।

ତେବେ ସ୍କୁଲ ହେଉକି କଲେଜ ଜୀବନ । ସବୁଠି ଆମର କେହି କେହି ନା କେହି ଜଣେ ପ୍ରିୟ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ରହିଥାନ୍ତି । ସେମାନେ ଆମକୁ ବିଦାୟ ଦେଲା ବେଳେ କିମ୍ବା ଆମେ ତାଙ୍କୁ ବିଦାୟ ଦେଲା ବେଳେ ଆମକୁ ଅତ୍ୟନ୍ତ ଦୁଃଖ ଅନୁଭବ ହୁଏ । ଅନେକ ସମୟରେ ଆମେ ଆମର ପ୍ରିୟ ଶିକ୍ଷକଙ୍କ ପାଇଁ କିଛି ସ୍ବତନ୍ତ୍ର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ବି କରିଥାଉ । କିନ୍ତୁ ଏଠି ଛାତ୍ରଛାତ୍ରୀମାନେ ସେମିତି କିଛି ବି କରିନାହାନ୍ତି । ସେମାନେ ସିଧା ଶିକ୍ଷକଙ୍କ ପଛେ ପଛେ ସେ ବଦଳି ହୋଇଯାଇଥିବା ବିଦ୍ୟାଳୟକୁ ଚାଲିଯାଇଛନ୍ତି ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନା ରାଜ୍ୟ ସ୍ଥିତ ମଞ୍ଚେରିଆ ଜିଲ୍ଲା ଜନନାରାମର ପୋନାକାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର । ଆଉ ସେ ଶିକ୍ଷକ ଜଣଙ୍କ ହେଉଛନ୍ତି ଜେ ଶ୍ରୀନିବାସ ସାର୍ । ଏଇ ଗତ କିଛି ଦିନ ତଳେ ଶ୍ରୀନିବାସ ସାର୍ ଆକ୍କାପେଲିଗୁଡା ସ୍କୁଲକୁ ବଦଳି ହୋଇଥିଲେ । ଏହାପରେ ଛାତ୍ରଛାତ୍ରୀ ତାଙ୍କୁ ଛାଡିବାକୁ ନାରାଜ ହୋଇଥିଲେ। ଏହି ଖବରରେ ଭାବପ୍ରବଣ ହୋଇପଡିଥିଲେ । ଏମିତିକି ସ୍କୁଲ ଗେଟ୍ ରେ ତାଲା ମଧ୍ୟ ପକାଇଦେଇଥିଲେ । ହେଲେ ବଦଳି ତ ନିଶ୍ଚିତ । କାରଣ ନିୟମକୁ ବଦଳାଇବା ତାଙ୍କ ହାତରେ ନାହିଁ । ଶେଷରେ ତାଙ୍କ ପ୍ରିୟ ଶିକ୍ଷକଙ୍କ ବଦଳି ପରେ ପରେ ଉକ୍ତ ସ୍କୁଲର ୧୩୩ ଜଣ ଛାତ୍ରଛାତ୍ରୀ ସ୍କୁଲ ଛାଡି ସାର୍ ବଦଳିହୋଇଥିବା ନୂଆ ସ୍କୁଲରେ ନାମ ଲେଖାଇଥିଲେ।

ସେପଟେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍ ୟାଦାୟ କହିଛନ୍ତି, “ଏହା ଏକ ବିରଳ ଘଟଣା। ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କ ସହ ଜଡିତ ଥାଆନ୍ତି ଏବଂ ସେ ଚାଲିଯିବା ପରେ ଦୁଃଖପ୍ରକାଶ କରନ୍ତି। କିନ୍ତୁ ଶିକ୍ଷକଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଛାଡିଦେବା ଏକ ଅସ୍ୱାଭାବିକ ଘଟଣା।” ଶ୍ରୀନିବାସ ସାର୍‌ଙ୍କ ବଦଳି ନେଇ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତାଙ୍କୁ ଅବଗତ କରାଇଥିଲେ। ତାଙ୍କ ବଦଳି ଜୁଲାଇ ୧ରେ ହୋଇଥିବା ବେଳେ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ସ୍କୁଲର ମୋଟ ୨୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୩ ଜଣ ଛାତ୍ରଛାତ୍ରୀ ପୁରୁଣା ସ୍କୁଲ ଠାରୁ ୩ କିମି ଦୂର ଆକ୍କାପେଲିଗୁଡା ସ୍କୁଲରେ ନାମ ଲେଖାଇଥିଲେ।

ଏନେଇ ଶ୍ରୀନିବାସ ସାର୍ କହିଛନ୍ତି, ” ଅଭିଭାବକମାନେ ମୋ ଉପରେ ବିଶ୍ୱାସ କରିଛନ୍ତି। ମୁଁ ସେମାନଙ୍କ ପିଲାମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ଶିକ୍ଷା ଦେବାକୁ କର୍ତ୍ତବ୍ୟ ବୋଲି ଭାବିଥିଲି। ସେମାନେ ମୋର ପାଠପଢାକୁ ପସନ୍ଦ କରିଥିଲେ। ବର୍ତ୍ତମାନ ସରକାରୀ ବିଦ୍ୟାଳୟଗୁଡ଼ିକରେ ଉନ୍ନତମାନର ସୁବିଧା ରହିଛି। ତେଣୁ ମୁଁ ଅଭିଭାବକମାନଙ୍କୁ କହିବି ତା’ର ଭରପୂର ଫାଇଦା ଉଠାନ୍ତୁ ଓ ତାଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ପଢାନ୍ତୁ।”

ଆହୁରି ମଧ୍ୟ ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, “ଶ୍ରୀନିବାସ ବାସ୍ତବରେ ଜଣେ ଆଦର୍ଶ ଶିକ୍ଷକ । ସେ ତାଙ୍କ ଜୀବନର ୧୨ ବର୍ଷ ପୋନାକାଲ ସରକାରୀ ବିଦ୍ୟାଳୟକୁ ଦେଇଛନ୍ତି । ଯେଉଁଠି ଦିନେ ୩୨ ପିଲା ପଢୁଥିଲେ ସେଠି ବର୍ତ୍ତମାନ ୨୫୦ ପିଲା ଅଧ୍ୟୟନ କରୁଥିଲେ । ସେ ବାସ୍ତବରେ ତାଙ୍କ ପିଲାଙ୍କ ଧ୍ୟାନ ରଖନ୍ତି । ଯଦି କେହି ଛୁଟିରେ ଥାନ୍ତି ସେ ତାହାର କାରଣ ପଚାରି ବୁଝନ୍ତି । ଯେଉଁ ପିଲାମାନଙ୍କର ପାଠ ପଢିବାରେ ଅସୁବିଧା ହୁଏ, ସେ ସେମାନଙ୍କୁ ଅତିରିକ୍ତ କ୍ଲାସ କରି ପାଠ ପଢାନ୍ତି ।” ଯାହା ବାସ୍ତବରେ ଏକ ହୃଦୟସ୍ପର୍ଶୀ କାହାଣୀ ।

ତେବେ କହିରଖୁଛୁ ଏହି ଆକ୍କାପେଲିଗୁଡା ସ୍କୁଲରେ ପୁର୍ବରୁ ମୋଟ୍‌ ଛାତ୍ରଛାତ୍ରୀ ସଂଖ୍ୟା ୨୧ ଥିବା ବେଳେ, ଶ୍ରୀନିବାସ ସାର୍ ଯିବା ପରେ ଏବେ ଏହା ବୃଦ୍ଧି ପାଇ ୧୫୪ରେ ପହଞ୍ଚିଛି ।

Leave A Reply

Your email address will not be published.