Latest Odisha News

ଐତିହାସିକ ବିଜୟ: ପର୍ଥରେ ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ ପ୍ରତିଶୋଧ ନେଲା ଭାରତ । ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଐତିହାସିକ ବିଜୟର ସ୍ବାଦ ଚଖାଇଲେ ଟିମ୍ ଇଣ୍ଡିଆ । ତେବେ ପର୍ଥରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆଠାରୁ ୧-୦ରେ ଆଗୁଆ ରହି ୫ ଟେଷ୍ଟ ସିରିଜ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବିଜୟ ନିଶ୍ଚିତ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ ଏଡିଲେଡରେ ଡିସେମ୍ବର ୬କୁ ଖେଳାଯିବ ।

ତେବେ ଭାରତୀୟ କ୍ରିକେଟ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ପର୍ଥ ଟେଷ୍ଟ ଜିତିବା ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳଙ୍କୁ ୫୩୪ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଚ୍ୟାଲେଞ୍ଜ ଦେଇଥିଲା । ହେଲେ ଟିମ୍ ଇଣ୍ଡିଆ ଅଧିନାୟକ ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଉଭୟ ଇନିଂସରେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ପରାସ୍ତ କରିପାରିଥିଲେ । ଫଳରେ ଲକ୍ଷ୍ୟନୁଯାୟୀ ରନ୍ କରିବାରେ ବିଫଳ ହୋଇଥିଲେ ଅଷ୍ଟ୍ରେଲୀୟ ଖେଳାଳୀ ।

ତେବେ କହିରଖୁଛୁ, ୨୦୧୮ରେ ସମାନ ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ- ଅଷ୍ଟ୍ରେଲିଆ । ଯେଉଁଥିରେ ଅଷ୍ଟ୍ରେଲିଆ ଭାରତକୁ ୧୪୬ ରନ ବ୍ୟବଧାନରେ ପରାସ୍ତ କରିଥିଲା । ଆଉ ଆଜି ୬ ବର୍ଷ ପରେ ସେହି ସମାନ ଷ୍ଟାଡିୟମରେ ବଦଲା ନେଇଛି ଭାରତୀୟ ଦଳ । ରେକର୍ଡ ସଂଖ୍ୟକ ମାର୍ଜିନରେ ଦ୍ବିଗୁଣ ରନ୍ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଯେଉଁଥିରେ ମାତ୍ର ୨୯ ରନ୍‌ରେ ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ପରାଜିତ ହୋଇଛି ।

ସୂଚନାଯୋଗ୍ୟ, ପର୍ଥ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ, ପ୍ରଥମ ଇନିଂସରେ ୧୫୦ ରନ୍ ଅତିକ୍ରମ କରିପାରିନଥିଲା । ୧୫୦ରେ ଅଲ୍ ଆଉଟ ହୋଇଥିଲା ଭାରତ । ଏହାର ଜବାବରେ ବୁମରା ୫ ୱିକେଟ୍ ନେଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସକୁ ୧୦୪ ରନରେ ଶେଷ କରିଦେଇଥିଲେ । ଯାହାପରେ ଭାରତ ପ୍ରଥମ ଇନିଂସରେ ୪୬ ରନ୍ ଆଗୁଆ ରହିଥିଲା ​ । ଏହା ପରେ ଦ୍ୱିତୀୟ ଇନିଂସରେ ଯଶସ୍ବୀ ଜୈସୱାଲ ଏବଂ ବିରାଟ କୋହଲିଙ୍କ ଶତକ ଆଧାରରେ ଭାରତ ୬ ୱିକେଟ୍ ପାଇଁ ୪୮୭ ରନ୍ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଯଶସ୍ବୀ ୧୬୧ ରନ୍ ସଂଗ୍ରହ କରିଥିବା ବେଳେ ବିରାଟ ୧୦୦ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ।

Leave A Reply

Your email address will not be published.