ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଆଉ ୩ ସପ୍ତାହରୁ କମ ସମୟ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଶେଷ ହେବା ପରେ ନଭେମ୍ବର ୫ ପରେ ଭାରତ ଏହି ଗସ୍ତରେ ଯିବ । ନଭେମ୍ବର ୨୨ରୁ ଏହି ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତ ପର୍ଥରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଥିଲା । ଏବେ ଏହି ୱାର୍ମଅପ ମ୍ୟାଚ ଖେଳିବାକୁ ଭାରତ ମନା କରିଦେଇଛି । ଏହି ୩ ଦିନ ନେଟ୍ସରେ କଡା ଅଭ୍ୟାସ କରାଯିବ ବୋଲି କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି ।
ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ ପାଇଁ ଭାରତ ନିମନ୍ତେ ଏହି ସିରିଜ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ପର୍ଥ ପିଚରେ ବଲ ଅଧିକ ବାଉନ୍ସ କରୁଥିବାରୁ ଖେଳାଳିମାନଙ୍କୁ ଅଭ୍ୟାସ ଜରୁରୀ ବୋଲି ଗମ୍ଭୀର କହିଛନ୍ତି । ନ୍ୟୁଜିଲାଣ୍ଡ ନିକଟରୁ ସିରିଜ ପରାଜୟବରଣ କରି ଟିମ ଇଣ୍ଡିଆ ଏବେ ଚାପରେ ରହିଛି । ଦଳ ସମସ୍ତ ବିଭାଗରେ ଫେଲ ମାରିଛି । ପୂର୍ବରୁ ୨୦୧୮ରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ଏକାଦଶ ସହ ୪ ଦିନିକିଆ ୱାର୍ମଅପ ମ୍ୟାଚ ଖେଳିଥିବା ବେଳେ ୨୦୨୦ରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିଥିଲା ।