ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏ ଭଳି ଜଣେ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏ କି ଦଳ ପାଇଁ ୧ରୁ ୧୧ତମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ କରିଛନ୍ତି । ୧୯୮୩ ବିଶ୍ୱକପ ବିଜୟ ପରେ କପିଳ ଦେବଙ୍କୁ ଭାରତର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ । ତେବେ ଏହି ଯୁଗ ଆରମ୍ଭ ହେବା ପୂର୍ବରୁ ଭିନୁ ମଙ୍କଡଙ୍କୁ ଭାରତର ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ଅଲରାଉଣ୍ଡର କୁହାଯାଉଥିଲା । ସେ ଚମତ୍କାର ସ୍ପିନ ବୋଲିଂ କରିବା ସହ ଦଳ ପାଇଁ ଆବଶ୍ୟକ ମୁତାବକ ବ୍ୟାଟିଂ କରୁଥିଲେ । ଭିନୁ ୧୯୩୫ରୁ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।
୧୯୩୭ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଅନଅଫିସିଆଲ ଟେଷ୍ଟ କ୍ରିକେଟରେ ସେ ଚର୍ଚ୍ଚାକୁ ଆସିଥିଲେ । ଭିନୁ ୬୨ରୁ ଊର୍ଦ୍ଧ୍ୱ ଆଭରେଜରେ ରନ ସଂଗ୍ରହ କରିବା ସହ ୧୪.୫୩ ହାରରେ ୱିକେଟ ନେଇଥିଲେ । ୧୯୪୬ରେ ଲର୍ଡସରେ ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ପଦାର୍ପଣ ଟେଷ୍ଟରେ ୬୩ ରନ କରିବା ସହ ୨ଟି ୱିକେଟ ନେଇଥିଲେ । ୧୯୫୨ରେ ଟିମ ଇଣ୍ଡିଆର ଐତିହାସିକ ଟେଷ୍ଟ ବିଜୟରେ ମଧ୍ୟ ସେ ନାୟକ ସାଜିଥିଲେ । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ସେ ୧୨ଟି ୱିକେଟ ଅକ୍ତିଆର କରିଥିଲେ ।
୧୯୫୬ରେ ଭିନୁ ଓ ପଙ୍କଜ ରାୟ ପ୍ରଥମ ୱିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୧୩ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଭିନୁ ୨୩୧ ଓ ପଙ୍କଜ ୧୭୩ ରନ କରିଥିଲେ । ୨୦୦୮ରେ ସେମାନଙ୍କ ଏହି ରେକର୍ଡକୁ ଦକ୍ଷିଣ ଆଫ୍ରିକାର ନୀଲ ମ୍ୟାକେଞ୍ଜି ଓ ଗ୍ରେମ ସ୍ମିଥ ଭାଙ୍ଗିଥିଲେ । ଭିନୁ ଏବଂ ଅଷ୍ଟ୍ରେଲିଆର ଏଡୱାର୍ଡ ଗ୍ରେଗରୀ ୧ରୁ ୧୧ତମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ କରିଛନ୍ତି । ଫାରୁଖ ଇଞ୍ଜିନିୟର ଓ ରବି ଶାସ୍ତ୍ରୀ ୧୦ ନମ୍ବର ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ କରିଛନ୍ତି । ୧୩ ବର୍ଷ ଆନ୍ତର୍ଜାତୀୟ କ୍ରିକେଟରେ ଭିନୁ ୪୪ ଟେଷ୍ଟ ଖେଳିଥିଲେ । ସେ ୨୧୦୯ ରନ ଓ ୧୬୨ ୱିକେଟ ଅକ୍ତିଆର କରିଥିଲେ ।
୨୧ ଅଗଷ୍ଟ ୧୯୭୮ରେ ମୁମ୍ବାଇରେ ସେ ୬୧ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଥିଲେ । ତାଙ୍କ ପୁଅ ଅଶୋକ ମଙ୍କଡ ଭାରତ ପକ୍ଷରୁ ୨୨ ଟେଷ୍ଟ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳିଛନ୍ତି । ଅତୁଲ ମଙ୍କଡ ଓ ରାହୁଲ ମଙ୍କଡ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ୧୯୪୭ରେ ଭିନୁ ଅଷ୍ଟ୍ରେଲିଆର ୱିଲ ବ୍ରାଉନଙ୍କୁ ବୋଲିଂ କରୁଥିବା ଅବସରରେ ରନ ଆଉଟ କରିଥିଲେ । ସେବେଠାରୁ ତାଙ୍କ ନାମ ଅନୁସାରେ ଏହାକୁ ମାଙ୍କଡିଙ୍ଗ ଆଉଟ କୁହାଯାଏ ।
Comments are closed.