ମୁମ୍ବାଇ: ଆଇସିସି ମହିଳା ବିଶ୍ୱକପ୍ ୨୦୨୫ରେ ଭାରତୀୟ ଦଳର ଫିଲ୍ଡିଂ ସବୁବେଳେ ପ୍ରଶ୍ନବାଚୀ ହୋଇ ରହିଥିଲା। କ୍ୟାଚ୍ ମିସ୍ ଓ ମିସ୍ଫିଲ୍ଡିଂ ଯୋଗୁଁ ଫାଇନାଲ ପହଞ୍ଚିବା ନେଇ ସନ୍ଦେହ ଥିଲା। କିନ୍ତୁ ବଡ଼ ମ୍ୟାଚ୍ରେ ଏହି ଦୁର୍ବଳତାକୁ ଶକ୍ତିରେ ବଦଳାଇ ଦଳ ପ୍ରଥମ ସଫଳତା ହାସଲ କରିଛି।
ନାଭି ମୁମ୍ବାଇରେ ୨ ନଭେମ୍ବର ରବିବାର ଖେଳାଯାଇଥିବା ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୯୮ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଭଲ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ଲରା ଉଲଭାର୍ଟ ଓ ଟାଜମିନ ବ୍ରିଟ୍ସ ସତର୍କତାର ସହ ଖେଳି ବାଉଣ୍ଡ୍ରି ମାରି ରନକୁ ଆଗକୁ ବଢ଼ାଇଥିଲେ। ଭାରତୀୟ ବୋଲରମାନେ ସେମାନଙ୍କୁ ଆଉଟ୍ କରିବାରେ ବିଫଳ ହେଉଥିଲେ।
ଏହି ସମୟରେ ଏକ ଜବରଦସ୍ତ ଫିଲ୍ଡିଂ ଦରକାର ଥିଲା। ୧୦ମ ଓଭରରେ ଦକ୍ଷିଣ ଆଫ୍ରିକା ୫୦ ରନ୍ ପୂରା କରିସାରିଥିଲା। ବ୍ରିଟ୍ସ ଫର୍ମରେ ଥିଲେ। କିନ୍ତୁ ଓଭରର ତୃତୀୟ ବଲ୍ରେ ମିଡ୍ଅନ୍ ଆଡ଼କୁ ଶଟ୍ ମାରି ରନ୍ ନେବାକୁ ଚେଷ୍ଟା କଲେ। ଏହା ଭୁଲ୍ ହୋଇଗଲା। ଯୁବ ଖେଳାଳି ଅମନଜୋତ କୌର ଗୋଟିଏ ଭଲ ଫିଲ୍ଡିଂ କରି ନନ୍-ଷ୍ଟ୍ରାଇକର ଷ୍ଟମ୍ପ୍ ଆଡ଼କୁ ଥ୍ରୋ କଲେ। ନିଶାନା ଏତେ ସଠିକ୍ ଥିଲା ଯେ ବ୍ରିଟ୍ସ କ୍ରିଜ୍ରେ ପହଞ୍ଚିବା ଆଗରୁ ଷ୍ଟମ୍ପରେ ବଲ୍ ହିଟ୍ ହେଲା । ବ୍ରିଟ୍ସ ୨୫ ରନ୍ରେ ଆଉଟ୍ ହେଲେ।
ଏହି ଡାଇରେକ୍ଟ ହିଟ୍ ଭାରତକୁ କମ୍ବ୍ୟାକ୍ କରାଇଦେଲା। ଦୁଇ ଓଭର ଭିତରେ ଦ୍ୱିତୀୟ ଝଟକା ମିଳିଗଲା। ଅନ୍ୟପଟେ ଭଲ ଫିଲ୍ଡିଂ କରୁଥିବା ଦକ୍ଷିଣ ଆଫ୍ରିକା ଫାଇନାଲରେ ତିନି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଡ୍ରପ୍ କଲା। ଏହାର ମୂଲ୍ୟ ସେମାନଙ୍କୁ ୨୯୯ ରନ୍ ଟାର୍ଗେଟ ପିଛା କରିବାରେ ଦେବାକୁ ପଡ଼ିଲା। ଟୁର୍ଣ୍ଣାମେଣ୍ଟ ଫିଲ୍ଡିଂ ଯୋଗୁଁ ସମାଲୋଚନା ସହିଥିବା ଭାରତ ଫାଇନାଲରେ ଏହାକୁ ହତିଆର ବନାଇ ବିଶ୍ୱକପ୍ ବିଜୟୀ ହୋଇଛି।
Comments are closed.