Latest Odisha News

BREAKING NEWS

ବାର୍ବାଡୋସରେ ପାଗରେ ସୁଧାର ଆସିଲେ ଟିମ୍ ଇଣ୍ଡିଆ ଚାର୍ଟର ବିମାନରେ ଭାରତ ଫେରିବ!

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ସୋମବାର ସକାଳେ କ୍ୟାରିବିଆନ୍ ଦ୍ୱୀପପୁଞ୍ଜରେ କ୍ୟାଟେଗୋରୀ-୪ ବାତ୍ୟା ଆସିବା ପରେ ବାର୍ବାଡୋସରେ ଫସି ରହିଛି। ଶନିବାର ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ଦଳ ଏବେ ଏକ ପଞ୍ଚତାରକା ହୋଟେଲରେ ରହିଛି।

ବାତ୍ୟା କାରଣରୁ ବାର୍ବାଡୋସ୍ ସୋମବାରଠାରୁ ଜୀବନ ପ୍ରତି ବିପଦଜନକ ପବନ ଓ ଝଡ଼ର ସମ୍ମୁଖୀନ ହେଉଥିବା ବେଳେ ରବିବାର ସନ୍ଧ୍ୟାରୁ ଦେଶରେ ସବୁ କିଛି ବନ୍ଦ ରହିଛି। ଦ୍ୱୀପର ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବା ସହ ପାଣି ଓ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି। ପାଖାପାଖି ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବାର୍ବାଡୋସ ଏବେ ବି କ୍ଷୟକ୍ଷତିଆକଳନ କରି ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କାମ କରୁଛି। ଟିମ ଭାରତ ଫେରିବାରେ ଅନ୍ତତଃ ଆଉ ଗୋଟିଏ ଦିନ ବିଳମ୍ବ ହୋଇଛି।

“ଆପଣମାନଙ୍କ ଭଳି ଆମେ ମଧ୍ୟ ଏଠାରେ ଅଟକି ରହିଛୁ। ପ୍ରଥମେ ଖେଳାଳି ଓ ସମସ୍ତଙ୍କୁ କିପରି ସୁରକ୍ଷିତ ଭାବେ ଏଠାରୁ ବାହାର କରାଯାଇପାରିବ ତାହା ଦେଖିବାକୁ ପଡ଼ିବ ଏବଂ ତା’ପରେ ଭାରତରେ ପହଞ୍ଚିବା ପରେ ଆମେ ସମ୍ବର୍ଦ୍ଧନା ବିଷୟରେ ଚିନ୍ତା କରିବୁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି।

ଜୟ ଶାହଙ୍କ ସମେତ ବିସିସିଆଇର ଶୀର୍ଷ ଅଧିକାରୀଙ୍କ ସହ ଦଳ ସୋମବାର ଏକ ଚାର୍ଟର ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିବାର ଥିଲା। ବିମାନବନ୍ଦର ବନ୍ଦଥିବାରୁ ଏହି ଯୋଜନା ବାଧାପ୍ରାପ୍ତ ହୋଇଛି।

“ଆମେ ସୋମବାର ପାଇଁ ଏକ ଚାର୍ଟର୍ ବିମାନ ପାଇଁ ଚେଷ୍ଟା କରୁଥିଲୁ କିନ୍ତୁ ବିମାନବନ୍ଦର ବନ୍ଦ ଅଛି ତେଣୁ ସେହି ବିକଳ୍ପ ବ୍ୟବସ୍ଥା ନାହିଁ। ଆମେ ଏକାଧିକ ଚାର୍ଟର ଅପରେଟରଙ୍କ ସହ ଯୋଗାଯୋଗରେ ଅଛୁ କିନ୍ତୁ ଏହା ବିମାନବନ୍ଦର ପରିଚାଳନା ଉପରେ ନିର୍ଭର କରେ । ବର୍ତ୍ତମାନର ସ୍ଥିତି ଅନୁଯାୟୀ କୌଣସି ବିମାନ ଅବତରଣ କିମ୍ବା ଉଡ଼ାଣ କରିପାରିବ ନାହିଁ।

ଆମେରିକା କିମ୍ବା ୟୁରୋପରେ ଇନ୍ଧନ ଭର୍ତ୍ତି କରି ସିଧାସଳଖ ଭାରତକୁ ଉଡ଼ାଣ ଭରିବାକୁ ଯୋଜନା ରହିଛି। ଆମେ ବିମାନବନ୍ଦର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ। ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ବିମାନବନ୍ଦର ବନ୍ଦ ରହିବ ବୋଲି ଜଣାପଡ଼ିଛି। ପାଣିପାଗରେ ଯଥେଷ୍ଟ ସୁଧାର ଆସିଲେ ଏହା ପୂର୍ବରୁ ଖୋଲିପାରେ। ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ପବନର ବେଗ କମ୍ ରଖିବାକୁ ପଡ଼ିବ। ଆମକୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ଦେଖିବାକୁ ପଡ଼ିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.