Latest Odisha News

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା; ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ହାତ ଥିବା କହିଲେ ବିହାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ମାମଲା ଉପରେ ବଡ ଅଭିଯୋଗ ଆଣିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା । ସେ ଅଭିଯୋଗ କରିଛନ୍ତି ଯେ, ପରୀକ୍ଷା ପତ୍ର ଲିକ୍ ହେବା ପଛରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ କୁମାରଙ୍କ ହାତ ରହିଛି ।

ସେ ଆହୁରି କହିଛନ୍ତି ତେଜସ୍ୱୀଙ୍କ ବ୍ୟକ୍ତିଗତ ସଚିବ ଏହି ପେପର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ଥିବା ସିକନ୍ଦର ପାଇଁ ରୁମ୍ ବୁକ୍ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ଅଭିଯୁକ୍ତ ସିକନ୍ଦର କୁମାର ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବେଶ ନିକଟତର ଅଟନ୍ତି । ଦେଶରେ ନିଟ୍ ପରୀକ୍ଷା ର ଚାରି ଦିନ ପୂର୍ବରୁ ପ୍ରୀତମ କୁମାର ସଡକ ନିର୍ମାଣ ବିଭାଗର ଜଣେ କର୍ମଚାରୀ ପ୍ରଦୀପ ନାମକ ଜଣେ ବ୍ୟକ୍ତିଙ୍କୁ ଏନଏଚଏଆଇର ଗେଷ୍ଟ ହାଉସ୍ ରୁମ୍ ବୁକ୍ କରିବାକୁ କହିଥିଲେ ।

ଘଟଣାର ବିଭାଗୀୟ ତଦନ୍ତ କରିବା ପରେ ଆମେ ଏହା ଜାଣିବାକୁ ପାଇଛୁ ବୋଲି ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଦାବି କରିଛନ୍ତି । କଲ୍ ର ଡିଟେଲ ମଧ୍ୟ ଆମ ପାଖରେ ଅଛି। ଏହି ପ୍ରସଙ୍ଗ ଉପରେ ମୁଁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ନିଟ୍ ପେପର ଲିକ୍ ମାମଲାରେ ଅନୁରାଗ ଯାଦବ ନାମକ ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି । ଯେଉଁଥିରୁ ପେପର ଲିକ୍ କରିଥିବା ବ୍ୟକ୍ତି ଏନଏଚଏଆଇ ଗେଷ୍ଟ ହାଉସରେ ରହିଥିବା ନେଇ ଖୁଲାସା ହେଇଥିଲା । ତେବେ ଗେଷ୍ଟ ହାଉସରେ ଜଣେ ମନ୍ତ୍ରୀଙ୍କ ନାଁରେ ରୁମ୍ ବୁକ୍ କରାଯାଇଥିଲା କୁହାଯାଉଥିବାବେଳେ ଏହା ତେଜସ୍ୱୀ ଯାଦବଙ୍କ ନାଁରେ ରହିଛି ବୋଲି ବିଜୟ ସିହ୍ନା ଦାବି କରିଛନ୍ତି ।

ଅନ୍ୟପଟେ, ଅନୁରାଗ ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ପେପର୍ ଲିକର ସବୁ ବ୍ୟବସ୍ଥା କରିଥିଲେ ।

Comments are closed.