Latest Odisha News

ସରିଗଲା ଶୀତ: ଆରମ୍ଭ ହେଲାଣି ଖରା, ବଢୁଛି ଦିନ ସହ ରାତିର ତାପମାତ୍ରା

ଭୁବନେଶ୍ବର: ଶୀତଋତୁରେ ଶୀତ ଉଭାନ। ରାଜ୍ୟରେ ନାହିଁ ସେମିତି ଥଣ୍ଡା। ସରିଗଲା ଶୀତ। ମାଘ ମାସ ଆହୁରି ୧୫ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା । ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକା ରହିବ।

ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିବ। କିଛି ସ୍ଥାନରେ ଗରମ ଅନୁଭବ ହୋଇଛି। ଗତକାଲି ଦିନ ସାଢେ ୧ଟା ସୁଦ୍ଧା ୩୧ ଡିଗ୍ରୀ ଅତିକ୍ରମ କରିଥିଲା ରାଜଧାନୀ ଭୁବନେଶ୍ୱର ତାପମାତ୍ରା। ଆଗାମୀ ୫ ରୁ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତି ତାପମାତ୍ରା କମିବ ନାହିଁ କି ଥଣ୍ଡା ଅନୁଭୂତ ହେବନାହିଁ ।

ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ଦିନ ତାପମାତ୍ରା । ଉପକୂଳ ଓଡ଼ିଶାରେ ଅହେତୁକ ବଢିବ ରାତିର ତାପମାତ୍ରା। ମେଘମୁକ୍ତ ଆକାଶ ପାଇଁ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତାପମାତ୍ରା ବୃଦ୍ଧି ସହ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ଅସ୍ତବ୍ୟସ୍ତ କରିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆସନ୍ତା ୧ ତାରିଖରେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ ।

Comments are closed.