Latest Odisha News

BREAKING NEWS

Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ । ଶୁକ୍ରବାର ଦିନ ସୁପ୍ରିମକୋର୍ଟ କେରଳ ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ମନ୍ଦିର ପାଣ୍ଠି ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରି ଏକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମନ୍ଦିର ପାଣ୍ଠି ଠାକୁରଙ୍କ ସମ୍ପତ୍ତି । ତେଣୁ ଏହି ଟଙ୍କାକୁ ସଞ୍ଚୟ, ସଂରକ୍ଷଣ ଏବଂ କେବଳ ମନ୍ଦିରର ସ୍ୱାର୍ଥ ପାଇଁ ବ୍ୟବହାର କରାଯିବା ଉଚିତ।ଏହା କୌଣସି ସମବାୟ ବ୍ୟାଙ୍କ ପାଇଁ ଆୟ କିମ୍ବା ଜୀବିକାର ଉତ୍ସ ହୋଇପାରିବ ନାହିଁ।

ଥିରୁନେଲି ମନ୍ଦିର ଦେବସ୍ଵୋମ (Thirunelly Temple Devaswom)ର ଫିକ୍ସଡ୍ ଜମା ରାଶିକୁ ଫେରାଇବାକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କିଛି ସମବାୟ ବ୍ୟାଙ୍କ ଏକ ଆବେଦନ ଦାଖଲ କରିବା ପରେ ସୁପ୍ରିମକୋର୍ଟ ପକ୍ଷରୁ ଏହି ମନ୍ତବ୍ୟ ଦିଆଯାଇଛି।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ବ୍ୟାଙ୍କଗୁଡ଼ିକର ଯୁକ୍ତିକୁ ଖାରଜ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଯଦି ବ୍ୟାଙ୍କ ଆର୍ଥିକ ଦୃଷ୍ଟିରୁ ଦେବାଳିଆ ଅଛି ତାହେଲେ ମନ୍ଦିରର ଅର୍ଥ ରାଶିର ଉପଯୋଗ ସହାୟତା ଲାଗି କରାଯାଇ ପାରିବ ନାହିଁ । ମନ୍ଦିରର ଟଙ୍କା ଠାକୁରଙ୍କର ହୋଇଥାଏ ଏବଂ ଜମା ଅର୍ଥର ଉପଯୋଗ କେବଳ ମନ୍ଦିର ପାଇଁ କରାଯାଇ ପାରିବ ।

ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ପଚାରିଥିଲେ ଯେ ବ୍ୟାଙ୍କ ଟଙ୍କାକୁ ସାହାରା ଭାବେ ବ୍ୟବହାର କରିବାକୁ ଚାହୁଁଛି କି? କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ମନ୍ଦିରର ପାଣ୍ଠିକୁ ଏକ ସଙ୍ଗୀନ ପରିସ୍ଥିତିରେ ଥିବା ବ୍ୟାଙ୍କରେ କାହିଁକି ରଖାଯିବ, ଯେତେବେଳେ ସେଗୁଡ଼ିକୁ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସୁରକ୍ଷିତ ଭାବରେ ଜମା କରାଯାଇପାରିବ ଏବଂ ଅଧିକ ସୁଧ ପାଇପାରିବ? ସେ ଆହୁରି କହିଛନ୍ତି, “ମନ୍ଦିରର ଟଙ୍କା ଠାକୁରଙ୍କର । ତେଣୁ, ଏହାକୁ ସୁରକ୍ଷିତ, ସଂରକ୍ଷଣ ଏବଂ କେବଳ ମନ୍ଦିର ପାଇଁ ବ୍ୟବହାର କରାଯିବା ଉଚିତ। ଏହା କୌଣସି ସମବାୟ ବ୍ୟାଙ୍କର ଆୟ କିମ୍ବା ଅସ୍ତିତ୍ୱର ଆଧାର ହୋଇପାରିବ ନାହିଁ।”

ଆବେଦନକାରୀ ବ୍ୟାଙ୍କଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ଓକିଲ ମନୁ କୃଷ୍ଣନ୍ ଯୁକ୍ତି ଦର୍ଶାଇଥିଲେ ଯେ ଦୁଇ ମାସ ମଧ୍ୟରେ ଜମା ଫେରସ୍ତ କରିବା ପାଇଁ ହାଇକୋର୍ଟଙ୍କ “ହଠାତ୍” ନିର୍ଦ୍ଦେଶ ଅସୁବିଧା ସୃଷ୍ଟି କରୁଛି। ଏଥିରେ CJI କହିଥିଲେ, “ଆପଣଙ୍କୁ ଜନସାଧାରଣଙ୍କ ନିକଟରେ ଆପଣଙ୍କର ବିଶ୍ୱସନୀୟତା ସ୍ଥାପନ କରିବାକୁ ପଡିବ। ଯଦି ଆପଣ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ ନାହିଁ, ତେବେ ତାହା ଆପଣଙ୍କର ସମସ୍ୟା।”

ସୁପ୍ରିମକୋର୍ଟ ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି, ଯାହା ଦ୍ୱାରା ଆବେଦନକାରୀମାନଙ୍କୁ ସମୟ ବୃଦ୍ଧି ପାଇଁ କେରଳ ହାଇକୋର୍ଟର ଦ୍ୱାରସ୍ଥ ହେବାର ସ୍ୱାଧୀନତା ଦିଆଯାଇଛି।

Comments are closed.