Latest Odisha News

BREAKING NEWS

ଏକ୍ସପାଏରୀ ଇଞ୍ଜେକସନକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାପା ଉତ୍ତେଜନା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏମ.ଭି ୧୯ ଗ୍ରାମରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକସନ ଦେବା ନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗୋପାଳ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅସୁସ୍ଥତା କାରଣରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ପରବର୍ତ୍ତି ସମୟରେ ତାଙ୍କୁ ମ୍ୟାଲେରିଆ ହୋଇଥିବା ନେଇ ପରୀକ୍ଷାରୁ ଜଣାପଡିଥିଲା ।

ସେପଟେ ଗୋପାଳଙ୍କ ଚିକିତ୍ସା ପାଇଁ ପରିବାରବର୍ଗଙ୍କୁ ୨ଟି ଇଞ୍ଜେକସନ ଆଣିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଭିତରେ ରହିଥିବା ଏକ ମେଡିସିନ ଷ୍ଟୋରରୁ ପରିବାର ଲୋକେ ଇଞ୍ଜେକସନ ଆଣିଥିଲେ ।

ଉକ୍ତ ଇଞ୍ଜେକସନକୁ ଗୋପାଳଙ୍କୁ ଦିଆଯାଇଥିଲା ଏବଂ ଦ୍ୱିତୀୟ ଇଞ୍ଜେକସନ ଦେବାବେଳେ ଏହା ଏକ୍ସପାଏରୀ ହୋଇଯାଇଥିବା ଜଣାପଡିଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ଔଷଧ ଦୋକାନୀ ଏକ୍ସପାଏରୀ ଇଞ୍ଜେକସନ ଦେଇଥିବା ନେଇ ସମ୍ପୃକ୍ତ ରୋଗୀଙ୍କ ପରିବାର ସନ୍ଦେହ କରୁଥିବାବେଳେ ମେଡିସିନ ଦୋକାନୀ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ନେଇ ଜଣାପଡିଛି । ଅନ୍ୟପକ୍ଷରେ ଇଞ୍ଜେକସନ ଦେବା ବେଳେ ଡାକ୍ତର ଏକ୍ସପାଏରୀ ତାରିଖ କିପରି ଦେଖିଲେ ନାହିଁ ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି ।

ଗୋପାଳଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କ ପରିବାର ସଦସ୍ୟ ସ୍ଥାନାନ୍ତରିତ କରିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ଜଣାପଡିଛି ।

Leave A Reply

Your email address will not be published.