Latest Odisha News

BREAKING NEWS

ମହକୁଥିଲା ମାଟି, ଝଲସୁଥିଲା ଚମକ: ଦେଖିବା ଲୋକେ କହୁଥିଲେ..‘ଏତେ ସୁନ୍ଦର’

ଭୁବନେଶ୍ୱର:ମାଟିର ମହକରେ ଝଲସୁଥିଲା ପ୍ରଦର୍ଶନୀ ପଡିଆ । କେଉଁଠି ରଙ୍ଗବେରଙ୍ଗର ଦୀପ ତ କେଉଁଠି ଚିକମିକ ଦୀପଦାନୀ  । କେଉଁଠି କାରୁକାର୍ଯ୍ୟ ବିମଣ୍ଡିତ ଚାବି ଷ୍ଟାଣ୍ଡ ତ କେଉଁଠି ଆକର୍ଷଣୀୟ  ଚୂଲି। ପୁଣି କେଉଁଠି ସୁନ୍ଦର ମନଲୋଭା ଗାର୍ଡେନ ପଟ୍ ଆଉ ଘରସଜା ଉପକରଣ ।   ସତେ  ଯେମିତି ଦର୍ଶକର ହାତଧରି ଟାଣି ନେଉଥିଲା ଏ ମହକ । ଯିଏ ଦେଖୁଥିଲା ସିଏ କହୁଥିଲା,  ସତରେ, ମାଟିରେ ଲୁଚି ରହିଛି ଏତେ ସୌନ୍ଦର୍ଯ୍ୟ ?

ଏ ପ୍ରଦର୍ଶନୀ ଉପରେ ଥରେ ଆଖି ବୁଲାଇ ନିଅନ୍ତୁ । ଟେରାକୋଟର ଏହି ନିଖୁଣ କାମ ଦେଖି ଆପଣଙ୍କ ଆଖି ବି ଘଡିଏ ଅଟକି ଯିବ । ଏ ହେଉଛି ଭୁବନେଶ୍ୱର ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଚାଲିଥିବା ମୃର୍ତ୍ତିକା-୨୦୨୩ ପ୍ରଦର୍ଶନୀ ।  ପଡିଥିଲା ୧୬୨ ଷ୍ଟଲ । ସବୁଠାରୁ ବଡ କଥା ହେଉଛି, ୩୦୦ରୁ ଅଧିକ କାରିଗରଙ୍କୁ ବିନା ଦେୟରେ ଏହି ଷ୍ଟଲ ପ୍ରଦାନ କରାଯାଇଥିଲା ସେମାନଙ୍କ କଳାକୃତିର ପ୍ରଦର୍ଶନ   ପାଇଁ ।

ମାଟିର ଏହି ମହକକୁ  ବାଣ୍ଟିବାକୁ ଆସିଥିଲେ ସାରା ରାଜ୍ୟର ବିନ୍ଧାଣୀ । କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ, ରାୟଗଡା, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ, କୋରାପୁଟ, ଗଜପତି, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନୂଆପଡାର କାରିଗର ।

ଶୁକ୍ରବାର ସନ୍ଧ୍ୟାରେ ଏହି ପ୍ରଦର୍ଶନୀ ହସ୍ତତନ୍ତ୍ର ମନ୍ତ୍ରୀ ରୀତା ସାହୁ ଏହାକୁ ଉଦଘାଟନ କରିଥିଲେ । ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରଦର୍ଶନୀ । ଏହି ୮ ଦିନ ଭିତରେ ପ୍ରାୟ ୨୨୫ ଲକ୍ଷ ଟଙ୍କାର କାରବାର ହେବ ବୋଲି ଆକଳନ କରାଯାଉଛି ।  ଉଦଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢୀ, ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.