ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିବା ପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ନୋଭା କାଖୋୱକା ଡ୍ୟାମ୍ ଭୁଶୁଡ଼ିବା ପରେ ୩୦ଟି ବସତି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଆହୁରି ୫୦ରୁ ଅଧିକ ସହର ଏବଂ ଗାଁରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ୟୁକ୍ରେନର ଋଷ ଅଧିକୃତ ଖେରସନ ପ୍ରଦେଶରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ, ୟୁକ୍ରେନର ଉଦ୍ଧାରକାରୀ ଦଳ ଖେରସନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ନିୟୋଜିତ ଅଛନ୍ତି। ଯାହାକୁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ପ୍ରଶଂସା କରିଛନ୍ତି।
ସେପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବନ୍ୟା ପ୍ରବଣ ଦକ୍ଷିଣ ଖେରସନ ଅଞ୍ଚଳ ବୁଲିଛନ୍ତି ଏବଂ ସ୍ଥିତି ସମୀକ୍ଷା କରିଛନ୍ତି। ନିପ୍ରୋ ନଦୀର ଉଭୟ ପାର୍ଶ୍ବରୁ ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଥଇଥାନ କରିବାରେ ନିୟୋଜିତ ରିଲିଫ ଏବଂ ଉଦ୍ଧାରକାରୀ ଦଳର କାର୍ଯ୍ୟକୁ ଦେଖି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।
ସୂଚନା ଥାଉକି, ଡ୍ୟାମ ଭାଙ୍ଗିବା ହେତୁ ଜେଲେନସ୍କି ଏହାକୁ ଋଷର ଆତଙ୍କବାଦ ନାମରେ ନାମିତ କରିଥିଲେ। ଜେଲେନସ୍କି ଏହି ଅଞ୍ଚଳର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ଅଧିକାରୀଙ୍କ ସହ ସାକ୍ଷାତ କରୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ, ଜେଲେନସ୍କି ଖେରସନରେ ପହଞ୍ଚିବା ପୂର୍ବରୁ ସେଠାରେ କଡା ସୁରକ୍ଷା ରହିଥିଲା। ରୁଷ୍ ପାର୍ଶ୍ୱରେ ସବୁଠାରୁ ଅଧିକ ପ୍ରଭାବିତ ସହର ହେଉଛି ନୋଭା କାଖୋୱକା। ରୁଷ୍ କର୍ତ୍ତୃପକ୍ଷମାନେ ଏଠାରେ ଏମର୍ଜେନ୍ସି ଜାରି କରିଛନ୍ତି। ସେପଟେ ବିଶ୍ୱ ବ୍ୟାଙ୍କ କହିଛି ୟୁକ୍ରେନରେ କ୍ଷତି ଆକଳନ କରିବା ପରେ ସହଯୋଗ ପ୍ରଦାନ କରିବ। ବନ୍ୟା ପ୍ରବଣ ଖେରସନ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବି ରୁଷ୍ ଗୁଳି ମାଡ଼ କରିଛି। ଏଥିଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହା ଏବେ ଚିନ୍ତାର ବିଷୟ ପାଲଟିଛି।
Comments are closed.