ନୂଆଦିଲ୍ଲୀ: ଗାଜାରେ ହମାସର କାଉଣ୍ଟଡାଉନ୍ ଆରମ୍ଭ ! ହମାସକୁ ଜୋରଦାର ବିରୋଧ । ହମାସ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ । ଲଗାଇଲେ ହମାସ ଆଉଟ୍ ନାରା। ଯେଉଁ ଗାଜା ଉପରେ ହମାସକୁ ଶରଣ ଦେବା ନେଇ ଆରୋପ ଲାଗୁଥିଲା, ଏବେ ସେଇ ଗାଜାର ଲୋକେ ହମାସ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଗାଜାରେ ଚରମପନ୍ଥୀ ଗୋଷ୍ଠୀ ହମାସ ବିରୋଧରେ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି । ହମାସକୁ କ୍ଷମତା ଛାଡିବା ସହ ଇସ୍ରାଏଲ ସହ ଯୁଦ୍ଧ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ହମାସ ବିରୋଧରେ ଗାଜାର ବେତ ଲାହିଆ, ଶୈଜେୟା, ସବରା, ନୁସରତ ଶରଣାର୍ଥୀ ଶିବିର ଭଳି ବିଭିନ୍ନ ଅଞ୍ଚଳରେ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଗାଜାରୁ ହିଁ ହମାସର ସୃଷ୍ଟି
ବିଶ୍ବର ଅଧିକାଂଶ ଦେଶ ହମାସକୁ ଆତଙ୍କବାଦୀ ସଂଗଠନ ମାନୁଥିବା ବେଳେ ଗାଜାବାସୀଙ୍କର ଏହା ପ୍ରତି ସମବେଦନା ରହିଥିଲା । ଅଶୀ ଦଶକରେ ପାଲେଷ୍ଟାଇନ ବିଦ୍ରୋହ ବେଳେ ହମାସର ଗଠନ କରାଯାଇଥିଲା । ପ୍ରଥମେ ଏକ ଧାର୍ମିକ ଓ ସମାଜସେବୀ ସଂଗଠନରୁ ଆରମ୍ଭ ହୋଇଥିବା ହମାସ ପରେ ସଶସ୍ତ୍ର ସଂଗଠନରେ ପରିଣତ ହୋଇଥିଲା । ୧୯୪୮ପୂର୍ବର ଅଂଶ ସହ ପୂରା ପାଲେଷ୍ଟାଇନକୁ ସ୍ବାଧୀନ କରି ହମାସ ଇସଲାମୀୟ ଦେଶ କରିବାକୁ ଚାହୁଁଥିଲା । ସ୍ଥାନୀୟ ଲୋକଙ୍କୁ ନେଇ ହମାସର ଗଠନ କରାଯାଇଥିଲେ ବି ଏହାକୁ ବିଦେଶରୁ ଅର୍ଥ ଓ ସେନା ସହାୟତା ମିଳୁଥିଲା । ଇରାନରୁ ହମାସକୁ ଅର୍ଥ, ହତିଆର ଓ ଟ୍ରେନିଂ ମିଳୁଥିବା ବେଳେ ସିରିଆ ଓ ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲା ମଧ୍ୟ ସହଯୋଗ କରୁଥିଲା । ତୁର୍କୀ, କତର ଭଳି ଦେଶ ଆର୍ଥିକ ସାଙ୍ଗକୁ ରାଜନୈତିକ ସମର୍ଥନ ବି ଦେଉଥିଲେ ।
କାହିଁକି ହମାସକୁ ନେଇ ଅସନ୍ତୋଷ?
ସମୟ ସହ ହମାସର ଆକ୍ରମଣ ଯୋଗୁଁ ଗାଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଇସ୍ରାଏଲ୍ ସହ ଯୁଦ୍ଧ ହମାସ ପକ୍ଷରୁ ହିଁ ଆରମ୍ଭ ହୋଇଥିଲା । ୨୦୨୩ରେ ହମାସ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ଅନେକଙ୍କୁ ବନ୍ଧକ ବନାଇଥିଲା । ଏହାପରଠୁ ଇସ୍ରାଏଲ୍ ଗାଜା ଉପରେ ଲଗାତର ଆକ୍ରମଣ କରିଥିଲା । ଯାହାର ପରିଣତି ଗାଜାର ଲୋକଙ୍କୁ ଭୋଗିବାକୁ ପଡୁଛି । ଗତ ୧୭ମାସ ଧରି ଚାଲିଥିବା ଯୁଦ୍ଧରେ ଗାଜାର ଅଧିକାଂଶ ଅଞ୍ଚଳ ଧ୍ବସ୍ତ ହୋଇଯାଇଛି । ହଜାର ହଜାର ଲୋକଙ୍କ ଜୀବନ ଯାଇଛି ତ ଘର ଦ୍ବାର ମାଟିରେ ମିଶି ଯାଇଛି । ବୋମାମାଡ, ହିଂସା, ହତ୍ୟା ଓ ବିସ୍ଥାପନ ଯୋଗୁଁ ଦୀର୍ଘ ଦିନ ଧରି ସମସ୍ୟା ଭୋଗୁଥିବା ଗାଜାବାସୀ ଏବେ ହମାସ ବିରୋଧରେ ଠିଆ ହୋଇଛନ୍ତି ।
ନିର୍ବାଚିତ ସରକାର କି ହମାସ ?
୨୦୦୬ ଜାନୁଆରୀରେ ଗାଜା ଓ ଓ୍ବେଷ୍ଟବ୍ୟାଙ୍କରେ ମିଳିତ ଭାବେ ସଂସଦୀୟ ନିର୍ବାଚନ ହୋଇଥିଲା । ଏଥିରେ ଦୁଇ ବଡ଼ ଦଳ ଫତହ ଓ ହମାସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଏଥିରେ ହମାସକୁ ବହୁମତ ମିଳିଥିଲା । ତେବେ ରାଷ୍ଟ୍ରପତି ମହମୁଦ ଅବ୍ବାସ ଫତହ ଦଳର ଥିଲେ । ତେଣୁ ମହମୁଦ ଅବ୍ବାସ ଓ ହମାସ ମଧ୍ୟରେ ଟକ୍କର ହେଲା । ହମାସ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା କଥା କହୁଥିବା ବେଳେ ଫତହ ଶାନ୍ତିକୁ ସମର୍ଥନ କରୁଥିଲା । ତେଣୁ ଆମେରିକା, ୟୁରୋପ ଓ ଇସ୍ରାଏଲ ହମାସ ସରକାରକୁ ମାନ୍ୟତା ଦେଲେନି । ତେବେ ପରେ ହମାସ ଗାଜା ଉପରେ ଜୋର ଜବରଦସ୍ତି କବଜା କରିଥିଲା । କେବଳ ଓ୍ବେଷ୍ଟବ୍ୟାଙ୍କରେ ସୀମିତ ରହି ଯାଇଥିଲା ଅବ୍ବାସ ସରକାର । ଏହାପରଠୁ ସେଠାରେ ନିର୍ବାଚନ ହୋଇନି । ପ୍ରାୟ ୧୭ବର୍ଷ ଧରି ଗାଜା ହମାସ ଅକ୍ତିଆରରେ ରହିଛି । ତେଣୁ ହମାସ ଗାଜାରୁ ଚାଲିଗଲେ, ଯୁଦ୍ଧରେ ଧ୍ବସ୍ତ ହୋଇଥିବା ଗାଜାର ଭବିଷ୍ୟତକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ହଠାତ୍ ଗାଜାରୁ ହମାସକୁ ହଟାଇବା ଦ୍ବାରା ସେଠାରେ ରାଜନୈତିକ ଅସ୍ଥିରତା ଦେଖା ଦେଇପାରେ । ଫତହ ଓ ପାଲେଷ୍ଟାଇନୀୟ ଅଥରିଟିଙ୍କୁ ଦାୟିତ୍ବ ମିଳିପାରେ । ତେବେ ଇସ୍ରାଏଲକୁ ନେଇ ନରମ ଆଭିମୁଖ୍ୟକୁ ନେଇ ଫତହର ଗାଜାରେ ଲୋକପ୍ରିୟତା କମ୍ । କିଛି ସମୟ ପାଇଁ ଜାତିସଂଘର ଅନ୍ତର୍ଜାତୀୟ ଶାନ୍ତି ସେନା ସେଠାରେ ପହଞ୍ଚିପାରେ । ହମାସ ହଟିବା ପରେ ବି ଗାଜାରେ ମଜବୁତ ସରକାର ନଆସିଲେ ଏହା ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନ କବଜାକୁ ଯିବାର ବି ଆଶଙ୍କା ରହିଛି ।
Comments are closed.