Latest Odisha News

BREAKING NEWS

ଥାଇଲାଣ୍ଡ, କାମ୍ବୋଡିଆ ମୁହାଁମୁହିଁ

ନୂଆଦିଲ୍ଲୀ: ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି । ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ବିପଜ୍ଜନକ ରୂପ ନେଇଛି । ସୀମାରେ ଗୁଳିବିନିମୟ ପରେ ଫାଇଟର ଜେଟ୍ ଏଫ୍-୧୬ ମୁତୟନ କରିଛି ଥାଇଲାଣ୍ଡ। ଏହାସହ ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟ କରିଛି । ଥାଇଲାଣ୍ଡର ବୋମାମାଡ଼ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ଫଳରେ ଭାରତର ପଡିଶାରେ ଭୀଷଣ ଯୁଦ୍ଧ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ବିବାଦ ନୂଆ ନୁହେଁ । ଉଭୟ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ସୀମା ବିବାଦ ଲାଗିରହିଛି ।

ଯୁଦ୍ଧ ସ୍ଥିତି ନେଇ କଣ କହୁଛନ୍ତି ଦୁଇ ଦେଶ?

ଥାଇଲାଣ୍ଡ ସେନା କାମ୍ବୋଡିଆର ଦୁଇଟି ପ୍ରାନ୍ତ ଉପରେ ଗୁଳିମାଡ଼ କରିଥିବା କାମ୍ବୋଡିଆର ପୂର୍ବନେତା ହୁନ ସେନ ଫେସବୁକ ପୋଷ୍ଟରେ ଲେଖିଛନ୍ତି । ତେବେ ଏନେଇ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । କାମ୍ବୋଡିଆ ସବୁବେଳେ ଶାନ୍ତିପୂର୍ଣ୍ଣ ଭାବେ ପ୍ରସଙ୍ଗ ସମାଧାନ ପାଇଁ ଆଗ୍ରହ ଦେଖାଇଛି । ତେବେ ଦେଶ ଉପରେ ଆକ୍ରମଣ ହେଲେ, କାମ୍ବୋଡିଆ ପାଖରେ ଏହାର ଜବାବ ଦେବା ଛଡା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି । ସେପଟେ କାମ୍ବୋଡିଆ ସହ ବିବାଦ ସମ୍ବେଦନଶୀଳ ସ୍ଥିତିରେ ରହିଛି । ଏହାକୁ ସାବଧାନତାର ସହ ଅନ୍ତର୍ଜାତୀୟ ଆଇନ ଅନୁସାରେ ସମାଧାନ କରିବା ଉଚିତ୍ ବୋଲି ଥାଇଲାଣ୍ଡର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଫୁମଥମ ବେଚାୟାଚାଇ କହିଛନ୍ତି । ଗତ କିଛି ମାସ ଧରି ଦୁଇ ଦେଶ ମଧ୍ୟରେ ଅଶାନ୍ତି ବଢିଥିଲା । ଏବେ ଗୁଳିବିନିମୟ ହୋଇଥିବା ବେଳେ ଦୁଇ ଦେଶ ପରସ୍ପର ଉପରେ ଅଭିଯୋଗ ଆଣିଛନ୍ତି।

ରାଷ୍ଟ୍ରଦୂତ ଫେରାଇଲେ, ଏବେ ଗୁଳିମାଡ଼

ଗୁରୁବାର ଦୁଇ ଦେଶ ମଧ୍ୟରେ ସଂଘର୍ଷ ହୋଇଛି । ତେବେ ଏହାର ଦିନକ ପୂର୍ବରୁ କାମ୍ବୋଡିଆରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଥିଲା ଥାଇଲାଣ୍ଡ । ପୂର୍ବରୁ ସୀମାରେ ବାରୁଦ ସୁଡ଼ଙ୍ଗ ବିସ୍ଫୋରଣରେ ଜଣେ ଥାଇ ସୈନିକ ଆହତ ହୋଇଥିଲେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଅଶାନ୍ତି ବଢିଥିଲା ଓ ଥାଇଲାଣ୍ଡ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଥିଲା । ବୁଧବାର କାମ୍ବୋଡିଆ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ନିଷ୍କାସିତ କରିବାକୁ କହିଥିଲା ଥାଇଲାଣ୍ଡ । ଦେଶର ଏୟାରସ୍ପେସ୍ ମଧ୍ୟରେ ଥାଇଲାଣ୍ଡ ଆକାଶ ମାର୍ଗରୁ ଆକ୍ରମଣ କରିଥିବା କାମ୍ବୋଡିଆର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କାହିଁକି ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଶତ୍ରୁତା?

ଗତ ମେ ୨୮ତାରିଖରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ କାମ୍ବୋଡିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଘଟଣାଟି ଏମରାଲଡ ଟ୍ରାଏଙ୍ଗଲ ନାମକ କ୍ଷେତ୍ରରେ ହୋଇଥିଲା । ଏହା ଥାଇଲାଣ୍ଡ, କାମ୍ବୋଡିଆ ଓ ଲାଓସର ସୀମାରେ ରହିଛି । ଏହି ଅଞ୍ଚଳକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ରହିଛି । ଗତ ଦୁଇ ମାସ ମଧ୍ୟରେ ଉଭୟ ଦେଶ ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇବା ସହ ସୀମାରେ ସେନା ବଢାଇଛନ୍ତି । କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ୮୧୭କିଲୋମିଟର ସୀମା ରହିଛି । ୧୮୬୩ରୁ ୧୯୫୩ ପର୍ଯ୍ୟନ୍ତ କାମ୍ବୋଡିଆ ଉପରେ କବଜା କରିଥିଲା ଫ୍ରାନ୍ସ । ତେଣୁ ଅଧିକାଂଶ ସୀମା ଫ୍ରାନ୍ସ ହିଁ ନିର୍ଦ୍ଧାରଣ କରିଛି । ୧୯୦୭ରେ ଥାଇଲାଣ୍ଡ ଓ କାମ୍ବୋଡିଆର ପ୍ରାକୃତିକ ଜଳବିଭାଜିକା ରେଖା ବୁଝାମଣା ଆଧାରରେ ସୀମା ସ୍ଥିର ହୋଇଥିଲା। ହେଲେ ଡାଙ୍ଗରେକ ପର୍ବତ ଉପରେ ଥିବା ୧୧ଶହ ଶତାବ୍ଦୀର ପ୍ରିହ ବିହିୟର ମନ୍ଦିର କାମ୍ବୋଡିଆରେ ରଖାଯାଇଥିବା ନେଇ ଆପତ୍ତି କରିଥିଲା ଥାଇଲାଣ୍ଡ । ନକ୍ସାରେ ମତଭେଦକୁ ନେଇ ସୀମା ବିବାଦ ଦେଖାଦେଇଥିଲା ।

୧୯୫୯ରେ ମନ୍ଦିର ବିବାଦକୁ ନେଇ ଥାଇଲାଣ୍ଡକୁ ଅନ୍ତର୍ଜାତୀୟ କୋର୍ଟକୁ ଟାଣିଥିଲା କାମ୍ବୋଡିଆ । ୧୯୬୨ରେ ପ୍ରିହ ବିହିୟର ମନ୍ଦିର କାମ୍ବୋଡିଆରେ ଆସୁଥିବା କୋର୍ଟ ରାୟ ଶୁଣାଇଥିଲେ । ଥାଇଲାଣ୍ଡ ସେତେବେଳେ ରାୟକୁ ସ୍ବୀକାର କରିଥିଲେ ମଧ୍ୟ ଏହାର ଆଖପାଖ ସୀମା ବିବାଦିତ ବୋଲି କହିଥିଲା । ୨୦୦୮ରେ ପ୍ରିହ ବିହିୟର ମନ୍ଦିରକୁ କାମ୍ବୋଡିଆ ୟୁନେସ୍କୋ ବିଶ୍ବ ଐତିହ୍ୟ ମାନ୍ୟତା ଦାବି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଥିଲା । ଜୁଲାଇରେ ମାନ୍ୟତା ମିଳିବା ପରେ ଉଭୟ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ୨୦୧୧ରେ ସଂଘର୍ଷ ଯୋଗୁଁ ୩୬ହଜାର ଲୋକ ବିସ୍ଥାପିତ ହୋଇଥିଲେ । ସୀମା ବିବାଦର ସମାଧାନ ପାଇଁ ଯୁଗ୍ମ ସୀମା ଆୟୋଗ ବି ସ୍ଥାପନ କରାଗଲା, ହେଲେ ସମାଧାନ ହୋଇପାରିଲାନି । ଏବେ ବିବାଦ ଯୋଗୁଁ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇଛି ।

Comments are closed.