ମୁମ୍ବାଇ: ଦୀର୍ଘ ସମୟ ବିବାଦ ଘେରରେ ରହିବା ପରେ ଶେଷରେ ରିଲିଜ ହୋଇଛି ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ବେଙ୍ଗଲ ଫାଇଲ୍ସ’ । ବେବେକ ଅଗ୍ନିହୋତ୍ରୀଙ୍କର ଫାଇଲ୍ସ ଟ୍ରିଓଲଜି ‘ଦ ତାସକେଣ୍ଡ ଫାଇଲ୍ସ’ ଏବଂ ‘ଦ କଶ୍ମୀର ଫାଇଲ୍ସ’ର ତୃତୀୟ ଏବଂ ଶେଷ ଭାଗ ‘ଦ ବେଙ୍ଗଲ ଫାଇଲ୍ସ’ । ଫିଲ୍ମ ଶୁକ୍ରବାର ରିଲିଜ ହେବା ପରେ ଦିନକରେ ଭାରତୀୟ ମୁଦ୍ରାରେ ୧.୭୫ କୋଟି ଆଦାୟ କରିଛି ଯାହାକି ମଧ୍ୟମ ଧରଣର ରୋଜଗାର ବେଲି କହିହେବ । ଦେଶ ବିଦେଶ ସବୁ ସିନେମା ଘରେ ଏହି ଫିଲ୍ମ ରିଲିଜ ହୋଇଥିଲେ ହେଁ ପଶ୍ଚିମବଙ୍ଗରେ ପ୍ରତିବନ୍ଧକ ଲଗ଼ାଯାଇଛି ।
ଫିଲ୍ମର ପୃଷ୍ଠଭୂମି ୧୯୪୬-୪୭ ପଶ୍ଚିମବଙ୍ଗ ଦଙ୍ଗା ଉପରେ ଆଧାରିତ । ଫିଲ୍ମଟି ଦର୍ଶକଙ୍କୁ ଅଶାନ୍ତ ବଙ୍ଗଳାକୁ ନେଇଯାଇଛି ଯେଉଁଠି କୋଲକାତା ନରସଂହାର, ଡାଇରେକ୍ଟ ଆକ୍ସନ ଡେ ଏବଂ ନୂଆଖାଲିର ଦଙ୍ଗା ପରି ଭୟାନକ ଘଟଣା ଘଟିଥିଲା ।
ଫିଲ୍ମରେ ଦୁଇଟି ସମାନ୍ତରାଳ କାହାଣୀ ଭିତର ଦେଇ ଦର୍ଶକଙ୍କୁ ଯିବାକୁ ପଡିବ । କାହାଣୀର ମୁଖ୍ୟ ପ୍ରସଙ୍ଗ କୋଲକାତା ଦଙ୍ଗାର ଲୋମଟାଙ୍କୁରା ଘଟଣା । ହେଲେ ଏବେ ବି ଏଠାରେ ସାଂପ୍ରଦାୟିକ ସଂକୀର୍ଣ୍ଣ ମାନସିକତା କେମିତି ତାର ନିଅଁ ପକେଇ ସାରିଲାଣି ତାହାର ସମାନ୍ତରାଳ ଦୃଶ୍ୟ ମଧ୍ୟ ଦର୍ଶକଙ୍କୁ ଦେଖିବାକୁ ମିଳିବ ।
ସିବିଆଇ ଅଫିସର ଶିବା ପଣ୍ଡିତ (ଦର୍ଶନ କୁମାର) ପଶ୍ଚିମବଙ୍ଗର ଜଣେ ଦଳିତ ଯୁବତୀ ସୀତା ନିଖୋଜ ଘଟଣାର ଯାଞ୍ଚ କରିବାକୁ ଯାଇଛନ୍ତି । ତଦନ୍ତ ସମୟରେ ତାଙ୍କର ଦେଖା ହୁଏ ଭାରତୀ (ପଲ୍ଲବୀ ଯୋଶୀ)ଙ୍କ ସହ ଯିଏ କି ଇଂରେଜମାନଙ୍କ ବିରୋ଼ଧରେ ଲଢିଛନ୍ତି ଆଉ ୧୯୪୬ର ଡାଇରେକ୍ଟ ଆକ୍ସନ ଡେକୁ ଅଙ୍ଗେ ନିଭାଇଛନ୍ତି ।
ଭାରତୀଙ୍କ ଠାରୁ ଆରମ୍ଭ ହୁଏ କାହାଣୀର ୨ୟ ଭାଗ । ଦେଶ ବିଭାଜନ, ନୂଆଖଲି ଦଙ୍ଗାକୁ ନେଇ କାହାଣୀ ଆଗକୁ ଯାଏ । ଭାରତୀ ବାନାର୍ଜୀଙ୍କ ଯୁବାବସ୍ଥା (ସିମରନ କୌର ରନ୍ଧବା) ଏବଂ ଅମରଜିତ ଅରୋଡା (ଏକଲବ୍ୟ ସୁଦ)ଙ୍କ ସହିତ ନୂଆଖାଲି ଦଙ୍ଗାର ବର୍ବର କାଣ୍ଡର ଦୃଶ୍ୟ ଦେଖିବାକୁ ମିଳେ ।
ନିର୍ଦ୍ଦେଶକ ବଙ୍ଗଳା ଦଙ୍ଗର ବର୍ବରତା ସହ ଆଜି କ୍ଷମତାରେ ଥିବା ଅଳ୍ପ ସଂଖ୍ୟକ ବିଧାୟକ ସରଦାର ହୁସୈନୀ( ଶାଶ୍ୱତ ଚାଟାର୍ଜୀ)ଙ୍କ ଦୋମୁହାଁ ରାଜନୀତି ଆଉ ତାଙ୍କର ଦଙ୍ଗା ଅସ୍ତ୍ରକୁ ନେଇ କିପରି ଅଶାନ୍ତ ହୋଇଛି ବଙ୍ଗଳା ତାର ଦୃଶ୍ୟ ଖୁବ ସୁନ୍ଦର ଭାବେ ଦର୍ଶାଇଛନ୍ତି । ତେବେ ଦଙ୍ଗାର ଦୃଶ୍ୟ ଦେଖାଇବାବେଳେ ନିର୍ଦ୍ଦେଶକ ଟିକେ ବେଶି ଖୋଲା ହୋଇଯିବା ପରି ଲାଗିଲା । ଧାର୍ମିକ ହିଂସା ଏବଂ ନର ସଂହାରର ଦୃଶ୍ୟ କେତେକ ଜାଗାରେ ଛାତି ଥରାଇ ଦେବା ପରି ହୋଇଥିଲା ଯାହା ହେବା ଉଚିତ ନ ଥିଲା ।
ଦେଶ ବିଭାଜନରେ ମହମ୍ମହ ଅଲି ଜିନ୍ନାଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ ଦର୍ଶକ ଅପେକ୍ଷା କରିଥିଲେ । ହେଲେ ନିର୍ଦ୍ଦେଶକ ଦର୍ଶକଙ୍କୁ ହତାଶ କରିଛନ୍ତି । କେତେକ ସ୍ଥାନରେ ଗାନ୍ଧିଜୀଙ୍କ ଡାଇଲଗ ଆବଶ୍ୟକତାଠାରୁ ଅଧିକ ନେଗେଟିଭ ହୋଇଯାଇଥିବା ପରି ମନେ ହେଇଛି । ଫିଲ୍ମରେ ଆଉ ଏକ ଦୃଶ୍ୟ ଥିଲା, ଯେଉଁଠି ଜଣେ ମହିଳା ଗାନ୍ଧୀଙ୍କ ସାମ୍ନାକୁ ହାଡ ଖଣ୍ଡେ ଧରି ଆସିଥିବା ଦେଖିବାକୁ ମିଳିଥିଲା । ହଲ ବାହାରକୁ ଆସିବା ପରେ ସେ ଚରିତ୍ରକୁ ପ୍ରାୟ ଭୁଲି ଯାଇଥିଲେ ଦର୍ଶକ । ଯେମିତି ଏହି ପ୍ଲଟକୁ ଫିଲ୍ମରେ ଜବରଦସ୍ତ ଭର୍ତ୍ତି କରା ଯାଇଥିବା ପରି ମନେ ହୋଇଥିଲା ।
ସବୁ କଳାକାରଙ୍କ ଅଭିନୟ ଉଚ୍ଚକୋଟିର ଥିଲା । ତେବେ ପ୍ଲଟର ଗମ୍ଭୀରତା ଅନୁସାରେ ଡାଇଲଗ ଆଉଟିକେ ଦମଦାର ହେବାର ଥିଲା । ଅନୁପମ ଖେରଙ୍କ ଗାନ୍ଧୀ ଭୂମିକା ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଖନା ଭୂମିକା ବେଶ ଦମଦାର ହୋଇ ପାରିଛି ।
ବିବେକ ଅଗ୍ନିହୋତ୍ରୀଙ୍କ କହିବା ଅନୁସାରେ ଫିଲ୍ମଟି ଡକ୍ୟୁମେଣ୍ଟେସନ ଉପରେ ଆଧାରିତ ହୋଇଥିଲେ ହେଁ ଖିବ ଲମ୍ବା ହୋଇଛି । ୩ ଘଣ୍ଟା ୨୪ ମିନିଟର ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଧୈର୍ଯ୍ୟ ରହିବା ଦରକାର । ପ୍ରଥମରୁ କିଛି ଭାଗ ଫିଲ୍ମର ଗତିଶୀଳତା ସାମାନ୍ୟ ସ୍ଲୋ ଥିବବେଳେ ପରବର୍ତ୍ତୀ ଭାଗ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ତେବେ ଫିଲ୍ମରେ ଅତୀତ-ବର୍ତ୍ତମାନର ଧାଁ-ଧଉଡ ଦର୍ଶକଙ୍କୁ ଟିକିଏ ଟିକିଏ ଦ୍ୱନ୍ଦ୍ୱରେ ପକାଇ ଦେଉଛି ।
ଫିଲ୍ମରେ ‘କିଚୁ ଦିନ ମୋନେ ମୋନେ’ର ସ୍ଲୋ ମ୍ୟୁଜିକ ବେଶ ହୃଦୟସ୍ପର୍ଶୀ ହୋଇ ପାରିଛି । ମୋଟ ଉପରେ କହିବାକୁ ଗଲେ ବିବେକ ଅଗ୍ନିହୋତ୍ରୀଙ୍କ ବେଙ୍ଗଲ ଫାଇଲ ଭଲ ହୋଇଛି । ଅତୀତର ସତ୍ୟ ସାମ୍ନାକୁ ଆଣିବାରେ ନିର୍ଦ୍ଦେଶକ ସଫଳ ହୋଇଛନ୍ତି । କଶ୍ମୀର ଫାଇଲ ପରି ଯଦିଓ ଏହା ଦର୍ଶକଙ୍କୁ ବୁ଼ଡେଇ ପାରିନି ତେବେ ସାଢେ ତିନି ଘଣ୍ଟା ଦର୍ଶକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇ ପାରିଛି । ପ୍ରଥମ ଦିନରେ ବୋଙ୍ଗଲ ଫାଇଲ ୧.୭୫ କୋଟି ଆଦାୟ କରିଥିଲେ ହେଁ, ପରବର୍ତ୍ତୀ ଦୁଇଦିନ ଶନିବାର, ରବିବାର ଥିବାରୁ ଆଦାୟ ବଢିବ କି କମିବ ତାହା ଦେଖିବାର ଅଛି ।
Comments are closed.