ଭୁବନେଶ୍ଵର: ପରିବେଶ ପରିସ୍ଥିତି ଏବେ ମଣିଷକୁ ବଦଳେଇ ଦେଇଛି। ମଣିଷ ଭିତରେ ଆସିଛି ପରିବର୍ତ୍ତନ, ଯାହାକୁ ନିହାତି ଭାବରେ ସକାରାତ୍ମକ କୁହାଯାଇପାରେ। କାରଣ ଗଛ କାଟୁଥିବା ମଣିଷ ଏବେ ଶୁଦ୍ଧବାୟୁଟିକେ ପାଇବା ପାଇଁ ପୁଣିଥରେ ଆରମ୍ଭ କରିଛି ଗଛ ଲଗାଇବା। ତେବେ ମାଳମାଳ ଘର କରିବାପରେ ଏବେ କିନ୍ତୁ ଗଛଟିଏ ପାଇଁ ଜାଗାର ଅଭାବ । ଯେଉଁଥି ପାଇଁ ଘର ଭିତରେ ଗଛ (ଇଣ୍ଡୋର୍ ପ୍ଲାଣ୍ଟ) ଲଗାଇବାର ଟ୍ରେଣ୍ଡ ଏବେ ବଢିଚାଲିଛି । ଇଣ୍ଡୋର୍ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ଏଥିସହ ଘରର ତାପମାତ୍ରା ମଧ୍ୟ କମ୍ କରିଥାଏ ଏହି ଗଛ । ଆସନ୍ତୁ ଜାଣିବା ସେହିପରି କିଛି ଗଛ ବିଷୟରେ…
ଏଲୋବେରା
ଏହାକୁ ଘିକୁଆଁରୀ ନାମରେ ଜାଣିଛୁ । ଏହା କମ୍ ପାଣିରେ ବଢି ଥାଏ । ବାୟୁକୁ ବିଶୋଧିତ କରିବା ସହ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତରେ ସହାୟକ ହୋଇଥାଏ । ଏହା କେବଳ ଚର୍ମ ଏବଂ କେଶ ପାଇଁ ଲାଭଦାୟକ ନୁହେଁ, ବରଂ ଏହା ଘର ଚାରିପାଖର ପରିବେଶକୁ ଥଣ୍ଡା କରିବାର କ୍ଷମତା ମଧ୍ୟ ରଖେ। ଏହାର ପତ୍ର ଘନ, ଯାହା ଆର୍ଦ୍ରତା ବଜାୟ ରଖେ, ଏବଂ ଏହା ଚାରିପାଖର ତାପମାତ୍ରାକୁ ସନ୍ତୁଳିତ ରଖେ।
ସ୍ପାଇଡର ପ୍ଲାଣ୍ଟ
ସ୍ପାଇଡର ପ୍ଲାଣ୍ଟ କେବଳ ବାୟୁକୁ ଶୁଦ୍ଧ କରେ ନାହିଁ ବରଂ ଆର୍ଦ୍ରତା ବଜାୟ ରଖି ଘରର ପରିବେଶକୁ ମଧ୍ୟ ଥଣ୍ଡା କରିଥାଏ। ଏହାକୁ ରକ୍ଷଣାବେକ୍ଷଣ କରିବା ସହଜ ଏବଂ ଘରର ଯେକୌଣସି କୋଣରେ ଲଗାଯାଇପାରିବ।
ସ୍ନେକ୍ ପ୍ଲାଣ୍ଟ୍
ଏହି ଗଛଟି କମ୍ ଖରା, କମ୍ ପାଣିରେ ଆରାମ୍ରେ ବଢିଥାଏ । ଅଫିସ୍ର ଘରର ଏକ କୋଣରେ ରୋପଣ କରାଯାଇ ପାରିବ । ସ୍ନେକ ପ୍ଲାଣ୍ଟ ରାତିରେ ମଧ୍ୟ ଅମ୍ଳଜାନ ଛାଡିଥାଏ, ଯାହା ଘରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖେ। ଏହି ଗଛଟି ତାପ ଶୋଷଣ କରିବାରେ ସକ୍ଷମ ଏବଂ କୋଠରୀକୁ ପ୍ରାକୃତିକ ଭାବରେ ଥଣ୍ଡା କରିଥାଏ।
ତୁଳସୀ ଗଛ
ତୁଳସୀ ଗଛକୁ ଆୟୁର୍ବେଦିକ ଔଷଧ ଭାବରେ ଜଣାଶୁଣା, କିନ୍ତୁ ଏହା ବାୟୁକୁ ଶୁଦ୍ଧ ଏବଂ ଥଣ୍ଡା ମଧ୍ୟ କରିଥାଏ। ଏହାର ସୁଗନ୍ଧ ପରିବେଶକୁ ମଧ୍ୟ ସତେଜ କରିଥାଏ। ଏହା ସହିତ, ଏହାର ପତ୍ର ଶରୀରର ଅନେକ ପ୍ରକାରର ସମସ୍ୟା ଦୂର କରିବା ପାଇଁ ବ୍ୟବହୃତ ହୁଏ।
ଏରେକା ପାମ୍
ଏରିକା ଗଛ ଏକ ପ୍ରାକୃତିକ ଆର୍ଦ୍ରତାପ୍ରଦ ଭାବରେ କାର୍ଯ୍ୟ କରେ। ଏହା ବାୟୁରେ ଆର୍ଦ୍ରତା ବଜାୟ ରଖେ ଏବଂ ପାରିପାର୍ଶ୍ୱିକ ତାପମାତ୍ରାକୁ ହ୍ରାସ କରେ। କାର୍ବନ୍ ଡାଇ ଅକ୍ସାଇଡ୍କୁ ଏହା ଅକ୍ସିଜେନ୍ରେ ପରିଣତ କରିଥାଏ । ଏହି ଗଛର ବୃଦ୍ଧି ନିମନ୍ତେ ଟିକେ ଯତ୍ନ ନେବାକୁ ପଡିଥାଏ । ଯେପରି ପ୍ରତିଦିନ ଏହାର ପତ୍ର ସଫା କରିବା ସହ ଗଛକୁ ୩/ ୪ ମାସରେ ଥରେ ଖରା ଦରକାର ପଡିଥାଏ । ତେବେ ଗଛ ମୂଳ ଓଦା ରହିବା ନିହାତି ଜରୁରୀ ହୋଇଥାଏ ।
Comments are closed.