Latest Odisha News

ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର

ଆସାମ: ବିଜେପି ସାଂସଦଙ୍କ ବାସଭବନରୁ ଉଦ୍ଧାର ହୋଇଛି ଏକ ୧୦ ବର୍ଷୀୟ ବାଳକର ମୃତଦେହ । ଆସାମ ସିଲଚର ଲୋକସଭା ଆସନର ବିଜେପି ସାଂସଦ ରାଜଦୀପ ରାୟଙ୍କ ବାସଭବନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ବାଳକର ମୃତଦେହ ମିଳିଥିଲା। ବାଳକର ବୟସ ୧୦ ବର୍ଷ ହେବ ବୋଲି କୁହାଯାଉଛି । ବାଳକ ଜଣକ ନିଜ ମାଆ ଏବଂ ଭଉଣୀ ସହ ସାଂସଦଙ୍କ ବାସଭବନରେ ରହୁଥିଲେ।

ଏନେଇ ସାଂସଦ ରାଜଦୀପ ରୟ ଗଣମାଧ୍ୟମକୁ କହିଛନ୍ତି, ”ଶନିବାର ଦିନ ମୁଁ ବିଜେପି ପାର୍ଟି ଅଫିସରେ ଥିବାବେଳେ ଏ ବିଷୟରେ ଶୁଣିଲି । ମୋ ବାସଭବନରୁ ଜଣେ ନାବାଳକର ମୃତଦେହ ମିଳିଛି ବୋଲି ଜଣେ ସହକର୍ମୀ ଫୋନ କରି ଜଣାଇଥିଲେ । ଏହାପରେ ମୁଁ ଘର ପହଞ୍ଚି ମୃତଦେହ ଝୁଲୁଥିବାର ଦେଖିଲି । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ମୃତଦେହ ଉଦ୍ଧାର କରିଥିଲା । ନାବାଳକକୁ ସିଲଚର ମେଡିକାଲ କଲେଜ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।’

ବିଜେପି ସାଂସଦ କହିଛନ୍ତି ଯେ, ମୃତ ପିଲାଟିର ପରିବାର ଲୋକେ କିଛି ବର୍ଷ ହେଲା ତାଙ୍କ ସିଲଚର ସ୍ଥିତ ଘରେ ରହିଆସୁଛନ୍ତି । ନାବାଳକର ମାଆ ଘରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରନ୍ତି । ପିଲାଟିର ବଡ ଭଉଣୀ ଘରେ ଥିଲେ । ସମସ୍ତେ କାଲି ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ମାଆ ଓ ଭଉଣୀ ବଜାରକୁ ଚାଲି ଯାଇଥିଲେ । ଘରକୁ ଫେରି କବାଟ ବାଡେଇବାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ଭୟରେ ନାବାଳକର ମାଆ କାନ୍ଦି କାନ୍ଦି ଅନ୍ୟମାନଙ୍କୁ ସହାୟତା ମାଗିଥିଲେ । କିଛି ଲୋକେ ଆସି କବାଟ ଭାଙ୍ଗି ଘରେ ପଶିବାରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପିଲାଟି ନିଜେ ଜୀବନ ହାରିଥିବା ରାଜଦୀପ ରୟ ଦାବି କରିଛନ୍ତି । ତେବେ ଯଦି ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି ତାହାହେଲେ ଏତେ ଛୋଟ ପିଲାଟି କେମିତି ଏତେ ବଡ଼ ଚରମ ନିଷ୍ପତ୍ତି ନେଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.