Latest Odisha News

BREAKING NEWS

ତିନି ଦେଶ, ଜଳ ରାଜନୀତି…କାହାଣୀ ବ୍ରହ୍ମପୁତ୍ରର

ନୂଆଦିଲ୍ଲୀ: ବନ୍ଧୁ ପାକିସ୍ତାନ ପାଇଁ ଚୀନ୍ ରୋକିବ କି ବ୍ରହ୍ମପୁତ୍ର ନଦୀ ଜଳ? ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ପରେ ଚୀନ୍ ମଧ୍ୟ ବ୍ରହ୍ମପୁତ୍ର ନଦୀ ପାଣି ବନ୍ଦ କରି ଦେଇପାରେ ବୋଲି ପାକିସ୍ତାନ କହୁଛି । ଜବାବରେ ବ୍ରହ୍ମପୁତ୍ର ଜଳପ୍ରବାହ ରୋକିଲେ ଆସାମକୁ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି । ଏହାଦ୍ବାରା ପ୍ରତିବର୍ଷ ଆସୁଥିବା ବନ୍ୟା କମାଇବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ ଭାରତରେ ପ୍ରବେଶ କରିବା ପୂର୍ବରୁ ବ୍ରହ୍ମପୁତ୍ରରେ କେବଳ ୧୪ପ୍ରତିଶତ ଜଳ ଥାଏ । ବାକି ଜଳ ଭାରତର ମୌସୁମୀ ବର୍ଷା ଯୋଗୁଁ ବଢିଯାଏ । ଚୀନ୍ ତିବ୍ବତରେ ଦୁନିଆର ସବୁଠୁ ବଡ଼ ହାଇଡ୍ରୋଇଲେକ୍ଟ୍ରିକ୍ ଡ୍ୟାମ ନିର୍ମାଣ କରିବାକୁ ଚାହୁଁଛି । ଏହାଯୋଗୁଁ ବ୍ରହ୍ମପୁତ୍ରର ପ୍ରବାହ କମିଲେ ଅଣମୌସୁମୀ ଋତୁରେ ଭାରତ ପାଇଁ ଚିନ୍ତା ବଢିପାରେ ।

ଏଇଠୁ ବାହାରିଛି ବ୍ରହ୍ମପୁତ୍ର

ଚେମାୟୁଙ୍ଗଡୁଙ୍ଗ ଗ୍ଲାସିୟରରୁ ଆରମ୍ଭ ହୋଇ ଚୀନ୍, ଭାରତ ଓ ବାଂଲାଦେଶ ଦେଇ ପ୍ରବାହିତ ହୁଏ ବ୍ରହ୍ମପୁତ୍ର । ଏହା ସ୍ରୋତରୁ ସମୁଦ୍ର ପର୍ଯ୍ୟନ୍ତ ୨୯ଶହ କିଲୋମିଟର ଗତି କରେ । ତିନିଟି ଦେଶ ଦେଇ ପ୍ରବାହିତ ହେବା ପରେ ବାଂଲାଦେଶରେ ପଦ୍ମା ନଦୀ ଓ ପରେ ମେଘନା ନଦୀ ସହ ଯୋଡି ହୋଇ ସୃଷ୍ଟି କରେ ବିଶ୍ବର ସବୁଠୁ ବଡ଼ ନଦୀ ସଂଗମସ୍ଥଳ । ଯାତ୍ରା ସହ ଭିନ୍ନ ଭିନ୍ନ ନାଁ ଧାରଣ କରେ ବ୍ରହ୍ମପୁତ୍ର । ଏହା ତିବ୍ବତରେ ୟାରଲୁଙ୍ଗ ତ୍ସାଙ୍ଗପୋ ତ ଅରୁଣାଚଳପ୍ରଦେଶରେ ସିୟାଙ୍ଗ ଓ ବାଂଲାଦେଶରେ ଯମୁନା ନଦୀ ନାଁରେ ଜଣାଶୁଣା । ଆସାମରେ ପ୍ରବେଶ କରିବା ସହ ନଦୀର ନାଁ ବ୍ରହ୍ମପୁତ୍ର ରହିଛି । ଆସାମରେ ନଦୀର ଓସାର ବଢିବା ସହ ଏହା ପ୍ରାୟ ୮ଶହ କିଲୋମିଟର ପର୍ଯ୍ୟନ୍ତ ପଶ୍ଚିମ-ଦକ୍ଷିଣ ଦିଗରେ ଗତି କରେ । ପରେ ବାଂଲାଦେଶରେ ପ୍ରବେଶ କରେ ।

ବ୍ରହ୍ମପୁତ୍ରକୁ ରୋକିପାରିବ କି ଚୀନ୍?

ବ୍ରହ୍ମପୁତ୍ରକୁ ସଂପୂର୍ଣ୍ଣ ଭାବେ ରୋକି ପାରିବା ଅସମ୍ଭବ । କାରଣ ଏହା ଭାରତରେ ପ୍ରବାହିତ ହେବା ବେଳେ ନିଜ ଜଳର ୪୦ପ୍ରତିଶତ ଏକାଠି କରେ । ବିଶାଳ ବେସିନରେ ପରିବର୍ତ୍ତନ ନକରାଯିବା ପର୍ଯ୍ୟନ୍ତ ଏହା ଭାରତ ଓ ବାଂଲାଦେଶରେ ପ୍ରବାହିତ ହେବ । ତେବେ ବ୍ରହ୍ମପୁତ୍ରର ଜଳ ପ୍ରବାହକୁ ଉପରମୁଣ୍ଡରେ ଚୀନ୍ ନିୟନ୍ତ୍ରଣ କରିପାରିବ ବୋଲି ବିଶେଷଜ୍ଞ କହିଛନ୍ତି । ଫଳରେ ଅଣମୌସୁମୀ ଋତୁରେ ଭାରତରେ କୃତ୍ରିମ ବନ୍ୟା ବା ମରୁଡି ସୃଷ୍ଟି କରିପାରିବ ଚୀନ୍ । ଏହାସହ ଗ୍ରେଟ୍ ବ୍ୟାଣ୍ଡ ନିକଟରେ ବ୍ରହ୍ମପୁତ୍ର ଉପରେ ଚୀନର ବିଶାଳ ନଦୀବନ୍ଧ ପ୍ରକଳ୍ପ ଭାରତ ପାଇଁ ଭୂକମ୍ପ ତଥା ରଣନୈତିକ ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି ।

କ’ଣ କହୁଛି ଚୀନ୍?

ଚୀନ୍ ନିଜ ପ୍ରସ୍ତାବିତ ଜଳବିଦ୍ୟୁତ ନଦୀବନ୍ଧ ପ୍ରକଳ୍ପକୁ ନେଇ କରାଯାଉଥିବା ଆଶଙ୍କାକୁ ଷଡ଼ଯନ୍ତ୍ର କହି ଖାରଜ କରିଛି । ଏହାଦ୍ବାରା ନଦୀର ପ୍ରବାହ ସେଭଳି ପ୍ରଭାବିତ ହେବନି କିମ୍ବା ତଳମୁଣ୍ଡରେ ଥିବା ଦେଶଙ୍କ ଅଧିକାର କ୍ଷୁର୍ଣ୍ଣ ହେବନି ବୋଲି ଚୀନ୍ କହିଛି । ତିବ୍ବତର ମେଦୋଗ କାଉଣ୍ଟିରେ ଥିବା ଏହି ନଦୀବନ୍ଧ ନେଇ ବର୍ଷ ବର୍ଷ ଧରି ବୈଜ୍ଞାନିକ ମୂଲ୍ୟାଙ୍କନ କରାଯାଇଛି । ଏଥିରେ ସୁରକ୍ଷା ତଥା ପରିବେଶ ସଂରକ୍ଷଣକୁ ଗୁରୁତ୍ବ ଦିଆଯାଇଥିବା ଗତବର୍ଷ ଡିସେମ୍ବରରେ ଚୀନ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ କହିଥିଲେ । ପ୍ରକଳ୍ପ ତଳମୁଣ୍ଡରେ ଥିବା ଦେଶ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇବନି । ତେବେ ବିଶେଷଜ୍ଞ ଚୀନର ଆଶ୍ବାସନାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ।

୨୦୨୪ରେ ଜର୍ଣ୍ଣାଲ ଅଫ୍ ଇଣ୍ଡୋ-ପ୍ୟାସିଫିକ ଅଫେୟାର୍ସ ଗବେଷଣା ଅନୁସାରେ  ପ୍ରକଳ୍ପ ଦ୍ବାରା ତଳମୁଣ୍ଡରେ ନଦୀର ଜଳ ପ୍ରବାହରେ ବାଧା ସୃଷ୍ଟି ହୋଇପାରେ । ଫଳରେ ଭାରତର ପୂର୍ବୋତ୍ତର ରାଜ୍ୟ ଓ ବାଂଲାଦେଶ ଡେଲଟାରେ ଚାଷ ଉପରେ ପ୍ରଭାବ ପଡିପାରେ । ବାଂଲାଦେଶର ପରିବେଶ ମନ୍ତ୍ରାଳୟର ୨୦୨୨ରିପୋର୍ଟ ଅନୁସାରେ ବ୍ରହ୍ମପୁତ୍ରର ପ୍ରବାହରେ ୫ପ୍ରତିଶତ ହ୍ରାସ ହେଲେ କିଛି ଅଞ୍ଚଳରେ କୃଷି ଉତ୍ପାଦନ ୧୫ପ୍ରତିଶତ କମିପାରେ । ଫଳରେ ଖାଦ୍ୟ ସୁରକ୍ଷାକୁ ବିପଦ ହୋଇପାରେ । ତେଣୁ ଭାରତକୁ ଚୀନ୍ ସହ ବ୍ରହ୍ମପୁତ୍ର ପ୍ରସଙ୍ଗରେ କୁଟନୈତିକ ମୁକାବିଲା କରିବାକୁ ପଡିବ । ଯେମିତିକି ପାକିସ୍ତାନକୁ ତ୍ରିପାକ୍ଷିକ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ସୁଯୋଗ ନମିଳେ ।

Comments are closed.