Latest Odisha News

କାହିଁକି ଭାରତ ବିରୋଧୀ ଆଭିମୁଖ୍ୟ ନେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ବଢିବାରେ ଲାଗିଛି କୂଟନୈତିକ ତିକ୍ତତା। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନରଙ୍କୁ ପଚରାଉଚରା ପାଇଁ କାନାଡା ସରକାରଙ୍କ ଉଦ୍ୟମ ପରେ କଠୋର ହୋଇଛି ଭାରତ । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ଭୋଟ୍ ବ୍ୟାଙ୍କକୁ ସନ୍ତୁଷ୍ଟ କରିବାକୁ ଭାରତ ବିରୋଧୀ ପଦକ୍ଷେପ ନେଉଛନ୍ତି ବୋଲି କଡା ଭାଷାରେ କହିଥିଲା । କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଂଜୟ ବର୍ମା ଓ ଅନ୍ୟ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା ଭାରତ। କାନାଡାର କାମଚଳା ହାଇକମିଶନରଙ୍କୁ ସମନ କରି ଭାରତ ବିରୋଧୀ ପଦକ୍ଷେପର ଦୃଢ ପ୍ରତିବାଦ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଟ୍ରୁଡୋ ସରକାରଙ୍କ ଉପରେ ଭାରତର ବିଶ୍ୱାସ ନାହିଁ ବୋଲି ରୋକଠୋକ୍ ଶୁଣାଇବା ସହ କାନାଡାର ୬କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ନୂଆଦିଲ୍ଲୀ । ଏଣେ ଭାରତର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଥିବା କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏବେ ପ୍ରଶ୍ନ ଯେ, କାହିଁକି କାନାଡା ପ୍ରଧାନମନ୍ତ୍ରୀ ଭାରତ ବିରୋଧୀ ଉଗ୍ର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ।

ଶିଖ୍ ସଂପ୍ରଦାୟ ଭୋଟ୍ ହାତେଇବାକୁ ଉଦ୍ୟମ

କାନାଡାରେ ଜଷ୍ଟିନ ଟ୍ରୁଡୋ ସରକାରର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଟ୍ରୁଡୋଙ୍କୁ ଘାରିଛି କୁର୍ସି ଯିବା ଭୟ । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ କାନାଡାର ଆଖିଦୃଶିଆ ଶିଖ୍ ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ଟ୍ରୁଡୋ ପ୍ରୟାସ କରୁଛନ୍ତି। କାନାଡାର କିଛି ଶିଖ୍ ଖଲିସ୍ତାନୀ ସମର୍ଥକ ଓ ଭାରତ ବିରୋଧୀ । ତେଣୁ ଉଗ୍ର ଖଲିସ୍ତାନୀ ସମର୍ଥକଙ୍କୁ ସନ୍ତୁଷ୍ଟ କରିବାକୁ ବାରମ୍ବାର ଭାରତ ବିରୋଧୀ ପଦକ୍ଷେପ ନେଉଛନ୍ତି ପ୍ରଧାନମନ୍ତ୍ରୀ ଟ୍ରୁଡୋ ।

କାନାଡାରେ ଶିଖ୍ ଭୋଟ୍‌ର ଗୁରୁତ୍ୱ 

ଜଷ୍ଟିନ ଟ୍ରୁଡୋଙ୍କ ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟିକୁ କାନାଡା ନିର୍ବାଚନରେ ଜବରଦସ୍ତ ଝଟକା ଲାଗିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ବ୍ରିଟେନର କଂଜରଭେଟିଭ ପାର୍ଟି ଭଳି ଦଶା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ପାର୍ଟି ଭୋଗିବ ବୋଲି ଭବିଷ୍ୟବାଣୀ କରାଯାଉଛି । ଏ ଦୃଷ୍ଟିରୁ ସହଯୋଗୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପାଇଁ ଟ୍ରୁଡୋଙ୍କୁ କହିସାରିଲେଣି । ପାର୍ଲାମେଂଟରେ ଦୁଇ ଦୁଇ ଥର ଅଳ୍ପକେ ଅନାସ୍ଥା ପ୍ରସ୍ତାବରୁ ବର୍ତ୍ତି ଯାଇଛନ୍ତି ଟ୍ରୁଡୋ ସରକାର । ସ୍ଥିତି ଟଳମଳ ହୋଇଥିବା ବେଳେ ଶିଖ୍ ଭୋଟ୍ ଜରିଆରେ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଟ୍ରୁଡୋ । କାନାଡାରେ ୭ ଲକ୍ଷରୁ ଅଧିକ ଶିଖ୍ ଅଛନ୍ତି । ଶିଖ୍ ସଂପ୍ରଦାୟର ଗୋଟିଏ ବର୍ଗ ଖଲିସ୍ତାନ ଦାବିକୁ ସମର୍ଥନ କରୁଛନ୍ତି । ସେମାନଙ୍କୁ ସୁହାଇବା ପାଇଁ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତ ବିରୋଧୀ ପଦକ୍ଷେପ ନେଉଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ଓ ସଂଗଠନକୁ ମୁଣ୍ଡରେ ବସାଇଛନ୍ତି ଟ୍ରୁଡୋ ।

ଖଲିସ୍ତାନ ଜନମତ ସଂଗ୍ରହ ଉପରେ ରୋକ୍ ଲଗାଇ ନଥିଲେ ଟ୍ରୁଡୋ

ବାରମ୍ବାର ଭାରତ ବିରୋଧୀ ଓ ଖଲିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରିଛନ୍ତି ଟ୍ରୁଡୋ ସରକାର । ଶିଖ୍ ଫର୍ ଜଷ୍ଟିସ ପକ୍ଷରୁ ଖଲିସ୍ତାନ ନେଇ ଜନମତ ସଂଗ୍ରହ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ ଟ୍ରୁଡୋ ସରକାର । ଭାରତୀୟ ବାଣିଜ୍ୟ ଦୂତାବାସ ବାହାରେ ଖଲିସ୍ତାନୀ ସମର୍ଥକଙ୍କ ଉଗ୍ର ବିରୋଧ ପ୍ରଦର୍ଶନ ପ୍ରତି ଆଖି ବୁଜି ଦେଇଥିଲେ କାନାଡା ସରକାର।

୨୦୨୩ରେ ତିକ୍ତତା ବୃଦ୍ଧି

୨୦୨୩ରେ ସବୁ ସୀମା ଅତିକ୍ରମ କରିଥିଲେ କାନାଡା ପ୍ରଧାନମନ୍ତ୍ରୀ। ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟାରେ ଭାରତୀୟ ଏଜେଂଟ ସାମିଲ ଥିବା ନେଇ ଅଭିଯୋଗ କରିଥିଲା କାନାଡା। ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଫେରିବା ପରେ ଭାରତ ବିରୋଧରେ ଏହି ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ । ଅଭିଯୋଗର ଜୋରଦାର ଖଣ୍ଡନ କରିଥବା ସହ ଠୋସ୍ ପ୍ରମାଣ ମାଗିଥିଲା ଭାରତ । କିନ୍ତୁ କାନାଡା ପ୍ରମାଣ ଦେବାକୁ ମନା କରିଥିଲା । କେବଳ ଜଷ୍ଟିନ ଟ୍ରୁଡୋ ନୁହନ୍ତି , ତାଙ୍କ ବାପା ପିୟର ଟ୍ରୁଡୋ ମଧ୍ୟ ପ୍ରଧାନମନ୍ତ୍ରୀ ଥିବା ବେଳେ ଅଶୀ ଦଶକରେ ଶିଖ୍ ଚରମପନ୍ଥୀଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିଲେ ।

Leave A Reply

Your email address will not be published.