Latest Odisha News

ସରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ସୁରକ୍ଷା ବଳୟ ଭିତରେ ପୁରୀ ସହର

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ଶେଷ ହେବା ପରେ ଏହାର ସୁରକ୍ଷା ଓ ନିରାପତ୍ତା ଦାୟିତ୍ଵ ନେଇଛି ପୋଲିସ ପ୍ରଶାସନ । ଏନେଇ ପୋଲିସର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଟି K9 TEAM ମୁତୟନ ହେବେ । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ । ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସହ ସିସିଟିଭି ଓ ସର୍ଭେଲାନ୍ସ ଟିମ୍, ବୋମା ନିଷ୍କ୍ରିୟକାରୀ ଟିମ୍, ଫେସ ରିଡିଙ୍ଗ ଟିମ୍ ନିୟୋଜିତ ହେବେ ।

ସୁରକ୍ଷା ବ୍ୟବସ୍ଥା କୁ ୫ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶ୍ରୀମନ୍ଦିର ପରିକ୍ରମା ମାର୍ଗର ୯ ଟି ଗେଟ୍ ରେ ପୋଲିସ ମୁତୟନ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଦକ୍ଷ ଅଧିକାରୀ ନିୟୋଜିତ, ଯଜ୍ଞ ସ୍ଥଳର ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

୧୭ ତାରିଖ ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପାଇଁ ଅଧିକ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୬ ତାରିଖ ଯାଏଁ ୫ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଜଣ ଇନ୍ସପେକ୍ଟର ଓ ୧୪୦ ଜଣ ସବ ଇନ୍ସପେକ୍ଟର ଓ ଏଏସଆଇ ମୁତୟନ ରହିବେ । ଆଜି ପୋଲିସ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ନିୟୋଜିତ ଅଧିକାରୀଙ୍କୁ ବ୍ରିଫିଂ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଅପରାହ୍ନରେ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ନିଜ ନିଜ ସ୍ଥାନରେ ନିୟୋଜିତ ହୋଇଛନ୍ତି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯୁବ ଶକ୍ତି ‘ଆମ ପୋଲିସ ସ୍ବେଚ୍ଛାସେବୀ’ ର ୬୦୦ ସ୍ବେଚ୍ଛାସେବୀ ମୁତୟନ ହେବେ । ବଡ଼ଦାଣ୍ଡରୁ ବିସ୍ଥାପିତ ହୋଇଥିବା ୬ ଟି ବ୍ୟବସାୟୀ ସଂଘର ସମସ୍ତ ଯୁବକ ‘ଆମ ପୋଲିସ ସ୍ବେଚ୍ଛାସେବୀ’ ରେ ସାମିଲ ହୋଇଛନ୍ତି । ଟାଉନ ଥାନା ପରିସରରେ ସେମାନଙ୍କୁ ଆଜି ପ୍ରଶିକ୍ଷଣ ଦିଆଯାଇଛି । ଏମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସୁପରିଚାଳନା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଦର୍ଶନ ଓ ଜଳସେବା ଯୋଗାଇବା କାର୍ଯ୍ୟର ନିୟୋଜିତ ରହିବେ ।

ଅନ୍ୟପଟେ ଓବିସିସି ପକ୍ଷରୁ ନିର୍ମାଣ ଚାଲିଥିବା ଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ସେପଟେ ଶ୍ରୀ ସେତୁ ଓ ଶ୍ରୀ ଦାଣ୍ଡ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ୧୬ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ପାଇଁ କୌଣସି କଟକଣା ରହିବ ନାହିଁ । ସେହିପରି ଟ୍ରାଫିକ କଟକଣା ମଧ୍ୟ ରହିବ ନାହିଁ । ତେବେ ଭିଡ ଓ ଗହଳିକୁ ଦେଖି ଟ୍ରାଫିକ ପରିଚାଳନା କରାଯିବ । ୧୭ ତାରିଖ ପାଇଁ ଏକ ସ୍ବତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯିବ ।

Comments are closed.