ଧୀରେଧୀରେ ପ୍ରତ୍ୟାବର୍ତ୍ତନ କରୁଛି ବିଲୁପ୍ତ ପ୍ରାୟ ଘରଚଟିଆ …!
ଭୁବନେଶ୍ୱର: ଘରଚଟିଆକୁ ମନୁଷ୍ୟର ଏକ ଉତ୍ତମ ବନ୍ଧୁ ଭାବେ ବିବେଚନା କରାଯାଏ । ଗାଁ ହେଉ ଅବା ସହର ସେ ସବୁବେଳେ ମନୁଷ୍ୟ ସାଥିରେ ରହିବାକୁ ଭଲପାଏ । ବିଶେଷ କରି ଏମାନେ ଗାଁରେ ଅଧିକ ଦେଖାଯାଆନ୍ତି । ଚାଳ ଘରର କାନ୍ଥରେ ଏମାନେ କୁଟାକାଠିର ବସାଟିଏ ତିଆରି କରି ରହିଥାନ୍ତି ।
ସକାଳୁ ସକାଳୁ ଘରଚଟିଆର କିଚିରି ମିଚିର ଶଦ୍ଦରେ ପାହାନ୍ତିଆର ଅଳସୁଆ ନିଦ ଭାଙ୍ଗିଯାଏ ଏବଂ ତା’ର ସେହି ମଧୁର ସ୍ୱର ମନରେ ଭରିଦେଇଥାଏ ଅପୂର୍ବ ଆନନ୍ଦ ଓ ଖୁସିର ଲହରି।
ସୂର୍ଯ୍ୟକିରଣ ପଡିବା ପୂର୍ବରୁ ଘରର ଅଗଣାରେ ନିଜ ପରିବାର ସହ ପ୍ରାତଃ ଭ୍ରମଣ କରି ସମସ୍ତଙ୍କୁ ନିଦରୁ ଉଠାଇବାରେ ସାହାଯ୍ୟ କରନ୍ତି କିଚିରି ମିଚିରି ଶଦ୍ଦ କରି ।
କୁନି କୁନି ଆଖି ଓ ରଙ୍ଗ ବେରଙ୍ଗର ସଜ୍ଜିତ ସୁନ୍ଦର ଡଉଲଡାଉଲ ଚେହେରାଟି ତା’ର ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଘରଚଟିଆ କୁ ଯେକେହି ବି ଦେଖିଲେ ଅଭିଭୂତ ହୋଇଯାଏ । ଏମାନେ ଧାନ,ଗହମ,ଜିଆ,କୀଟପତଙ୍ଗ ଆଦି ଖାଇ ଜୀବନ ନିର୍ବାହ କରିଥାନ୍ତି । ଏମାନେ ଭାଇଚାରାରେ ଆବଦ୍ଧ ହୋଇ ଶ୍ରେଣୀବଦ୍ଧ ଭାବେ ଅଗଣା,ଚାଷ ଜମି ବା ରାସ୍ତାଘାଟରୁ ଖାଦ୍ୟ ଖୁଣ୍ଟି ଖୁଣ୍ଟି ଖାଇଥାନ୍ତି ।
ଘରଚଟିଆ କ୍ଷେତରୁ ଖାଦ୍ୟଶସ୍ୟ ଖାଇବା ସହିତ କ୍ଷେତ ନଷ୍ଟ କରୁଥିବା କୀଟପତଙ୍ଗକୁ ମାରି ଖାଇଥାଏ ।ଯାହାଦ୍ୱାରା କୃଷକର ଫସଲ ନଷ୍ଟ ହୁଏନାହିଁ । ସେଥିପାଇଁ ଚାଷୀ ନିଜ ଚାଷ ଜମିର ମଝିରେ ମଝିରେ ବାଡି ପୋତିଥାଏ ଘରଚଟିଆ ପାଇଁ ।ଏହି କାରଣରୁ ଘରଚଟିଆକୁ ଚାଷୀର ଉତ୍ତମ ବନ୍ଧୁ ବୋଲି କୁହାଯାଇଛି ।
ଘରଚଟିଆ ବିଲୁପ୍ତିର କାରଣ:
ଘର ଚଟିଆ,ଏକଦା ଆମ ପରିବେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଥିଲା। ପ୍ରାୟ ଦୁଇ ଦଶନ୍ଧି ହେବ ଏହା ଉଭାନ ହୋଇଯାଇଛନ୍ତି ।
କୃଷକ ବନ୍ଧୁ କୁହାଯାଉଥିବା ଘରଚଟିଆ ବଂଶ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲାଣି । ଏହି ଏକ ଦଶନ୍ଧି ମଧ୍ୟରେ ଏମାନଙ୍କ ସଂଖ୍ୟା ୮୦% ହ୍ରାସ ପାଇଛି ।
ବୈଜ୍ଞାନିକଙ୍କ କହିବା ଅନୁସାରେ, ଘରଚଟିଆ ମାନେ ମଣିଷକୁ ସର୍ବଦା ଅନୁସରଣ କରନ୍ତି ଏବଂ ମଣିଷ ଯେଉଁଠାରେ ନଥାଉ ସେମାନେ ସେଠାରେ ରହିପାରନ୍ତି ନାହିଁ । ଗବେଷଣାରୁ ଜଣାପଡିଛି ଯେ କାହିଁ ପୁରାତନ କାଳରୁ ଘରଚଟିଆ ମନୁଷ୍ୟମାନଙ୍କ ସହିତ ଏହାର ବାସ ସ୍ଥାନ ବାଣ୍ଟି ଆସୁଥିଲା ।
୨୦୧୮ରେ ରୟାଲ୍ ସୋସାଇଟି ଅଫ୍ ଲଣ୍ଡନ ପ୍ରଦାନ କରିଥିବା ରିପୋର୍ଟ ଅନୁଯାୟୀ, ମଣିଷ ଏବଂ ଘରଚଟିଆଙ୍କ ମଧ୍ୟରେ ୧୧ ହଜାର ବର୍ଷ ତଳର ପୁରୁଣା ସମ୍ପର୍କ। ଅଧ୍ୟୟନରେ କୁହାଯାଇଛି ଯେ କୃଷି ତିନୋଟି ଭିନ୍ନ ପ୍ରଜାତି – କୁକୁର, ଘରଚଟିଆର ଏବଂ ମଣିଷରେ ସମାନ ଆଡାପସନ ଯୋଗୁଁ ସୃଷ୍ଟି ହୋଇଥିଲା ।
କୃଷି ଆରମ୍ଭରେ, ସହରୀ ଘରଚଟିଆ ବନ୍ୟ ପକ୍ଷୀମାନଙ୍କଠାରୁ ବିଭକ୍ତ ହେଲା; ଏହାର ଏକ ଯୁଗଳ ଜିନ୍ ଅଛି, AMY2A, ଯାହା ଜଟିଳ କାର୍ବୋହାଇଡ୍ରେଟ୍ ହଜମ କରିବାରେ ସାହାଯ୍ୟ କରେ ।
ବିଶେଷଜ୍ଞମାନେ ଘରଚଟିଆଙ୍କ ସଂଖ୍ୟା ହ୍ରାସକୁ ଆମ ଘରର ଅଣ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ, ଆମ ଫସଲରେ ରାସାୟନିକ ସାର, ଶବ୍ଦ ପ୍ରଦୂଷଣ ଯାହା ଶବ୍ଦଗତ ପରିବେଶକୁ ବିଚଳିତ କରେ ଏବଂ ଯାନବାହାନରୁ ବିଷାକ୍ତ ନିର୍ଗତ ଧୂଆଁକୁ ଦର୍ଶାଉଛି ।
କୃଷି କ୍ଷେତ୍ରରେ ରାସାୟନିକ ସାର ଓ ପୋକମରା ଔଷଧର ବହୁଳ ବ୍ୟବହାର ହେବା ଫଳରେ ଏହାର କୁପ୍ରଭାବ ଘରଚଟିଆ ମାନଙ୍କ ଉପରେ ପଡୁଚି । ସେମାନେ ଖାଦ୍ୟ ସଂଗ୍ରହ କଲାବେଳେ ରାସାୟନିକ ସାର ଓ କୀଟନାଶକ ଯୁକ୍ତ ଖାଦ୍ୟ ଖାଇ ଏମାନଙ୍କ ମୃତ୍ୟୁ ହେଉଛି । ଯାହାଫଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହା ବ୍ୟତୀତ ବାୟୁମଣ୍ଡଳ ପ୍ରଦୂଷିତ ହେବା ଫଳରେ ଏମାନଙ୍କ ବଂଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
ମାତ୍ର ସାଧାରଣ ଲୋକଙ୍କ କହିବା ଅନୁଯାୟୀ ୯୦ ଦଶକର ଶେଷ ଭାଗରେ ଯେତେବେଳେ ମୋବାଇଲ୍ ଫୋନ୍ ଭାରତକୁ ଆସିଲା ସେତେବେଳେ ଘରଚଟିଆ ଧୀରେ ଧୀରେ ଅଦୃଶ୍ୟ ହେବା ଆରମ୍ଭ ହେଲେ । ମୋବାଇଲ ଟାୱାରର ବାହାରୁଥିବା ବୈଦୁତିକ ତରଙ୍ଗ,ଯାନବାହାନ ଓ କଳକାରଖାନାରୁ ବାହାରୁଥିବା ବିଷାକ୍ତ ଧୂଆଁ ଏମାନଙ୍କ ପାଇଁ କାଳ ସାଜିଛି । ଆଜି ମଣିଷ ନିଜ ଅଜାଣତରେ ନିଜର ଏକ ପ୍ରିୟ ବନ୍ଧୁ ଘରଚଟିଆର ବିନାଶ କରିବାରେ ଲାଗିଛି ।
ଘରଚଟିଆକୁ ଫେରାଇ ଆଣିବା ପାଇଁ ମିଳିତ ଭାବେ ପ୍ରୟାସ କରାଯାଉଛି । ବୈଜ୍ଞାନିକ-ସଂରକ୍ଷଣବାଦୀ ମହମ୍ମଦ ଦିଲାୱାରଙ୍କ କହିବା ଅନୁଯାୟୀ, ଏହା ପୂର୍ବରୁ ଘରଚଟିଆ ଏବଂ ଅନ୍ୟାନ୍ୟ ସାଧାରଣ ପ୍ରଜାତିଙ୍କୁ ବୈଜ୍ଞାନିକମାନେ ସଂରକ୍ଷଣ ସାମଗ୍ରୀ ଭାବରେ ବିବେଚନା କରୁନଥିଲେ ଏବଂ ସାଧାରଣ ଲୋକମାନେ ସଂରକ୍ଷଣ ବିଷୟଠାରୁ ବହୁ ଦୂରରେ ରହିଥିଲେ।
ବେଳଥାଉଁ ଯଦି ଆମେ ସଚେତନ ନହେବା ହୁଏତ ଆମର ଆଗାମୀ ପିଢି ଏଭଳି ସୁନ୍ଦର ପକ୍ଷୀକୁ ଦେଖିବାକୁ ପାଇବେ ନାହିଁ ।
Comments are closed.