Latest Odisha News

BREAKING NEWS

ଭାରତକୁ ୟୁରୋପୀୟ ସଂଘର ଝଟକା

ନୂଆଦିଲ୍ଲୀ: ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଦୁଃସମ୍ବାଦ । ବର୍ଷ ୨୦୨୬ର ଆରମ୍ଭରୁ ହିଁ ଭାରତକୁ ୟୁରୋପୀୟ ସଂଘ, EU ପକ୍ଷରୁ ମିଳିଛି ଏକ ଶକ୍ତ ଝଟକା । ୟୁରୋପୀୟ ସଂଘ ଭାରତ ପାଇଁ GSP ବା Generalized Scheme of Preferences ସୁବିଧାକୁ ଆଗାମୀ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଛି । ଏହାର ସିଧାସଳଖ ଅର୍ଥ ହେଉଛି – ଏବେ ୟୁରୋପକୁ ଯାଉଥିବା ଭାରତର ୮୭ ପ୍ରତିଶତ ରପ୍ତାନି ଉପରେ ଅଧିକ ଟିକସ ବା ଟ୍ୟାରିଫ୍ ଲାଗିବ । କାରଣ, ୟୁରୋପୀୟ ନିୟମ ଅନୁସାରେ, ଯଦି କୌଣସି ଦେଶର ରପ୍ତାନି ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରେ, ତେବେ ରିହାତି ପ୍ରତ୍ୟାହାର କରାଯାଏ । ଏହି ଅବଧି ୧ ଜାନୁଆରୀ ୨୦୨୬ ରୁ ୩୧ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ରହିବ । ଫଳରେ ଭାରକୁ ଏବେ ପୂର୍ବଭଳି ରିହାତି ବଦଳରେ ପୂରା ଟ୍ୟାରିଫ୍ ଦେବାକୁ ପଡ଼ିବ ।

ଜାନୁଆରୀ ପହିଲାରୁ ଲାଗୁ ହୋଇଥିବା ଏହି ନିଷ୍ପତ୍ତି ଭାରତୀୟ ବଜାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଗୋଟିଏ ପଟେ କାର୍ବନ ଟ୍ୟାକ୍ସ ବା CBAM ର ବୋଝ ଏବଂ ଅନ୍ୟପଟେ GSP ସୁବିଧା ଛଡ଼ାଇ ନେବା, ଭାରତୀୟ ପୋଷାକ, ରସାୟନ ଏବଂ ଯନ୍ତ୍ରପାତି ଶିଳ୍ପକୁ କ୍ଷତି ପହଞ୍ଚାଇବ । ଯେଉଁ କପଡ଼ା ଉପରେ ପୂର୍ବରୁ ୯.୬% ଟିକସ ଲାଗୁଥିଲା, ଏବେ ତାହା ବଢ଼ି ୧୨% ହୋଇଯାଇଛି ।

ଏହି ନିଷ୍ପତ୍ତି ପରେ ବାଂଲାଦେଶ ଏବଂ ଭିଏତନାମ ଭଳି ଦେଶଗୁଡ଼ିକ ୟୁରୋପୀୟ ବଜାରରେ ଭାରତ ଅପେକ୍ଷା ଅଧିକ ଶସ୍ତାରେ ସାମଗ୍ରୀ ବିକ୍ରି କରିପାରିବେ, ଯାହା ଭାରତର ପ୍ରତିଦ୍ୱନ୍ଦ୍ୱିତା ଶକ୍ତିକୁ ଦୁର୍ବଳ କରିଦେବ।

ଏବେ ଟେକ୍ସଟାଇଲ୍ ଏବଂ ପୋଷାକ, ଲୁହା, ଇସ୍ପାତ ଏବଂ ଧାତୁ ସାମଗ୍ରୀ, ପ୍ଲାଷ୍ଟିକ୍, ରବର ଏବଂ କେମିକାଲ୍ସ, ମେସିନାରୀ ଏବଂ ଇଲେକ୍ଟ୍ରିକାଲ୍ ଉପକରଣ, ଅଟୋମୋବାଇଲ୍ ଏବଂ ରେଳବାଇ ପାର୍ଟସ୍ ଭଳି ସାମଗ୍ରୀ ମହଙ୍ଗା ହେବ ?

ତେବେ ଆସନ୍ତା ସପ୍ତାହରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା ରହିଛି । ଯଦିଓ ଏହା ଲାଗୁ ହେବାକୁ ସମୟ ଲାଗିବ, କିନ୍ତୁ ଏହା ହିଁ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଶେଷ ଆଶାର କିରଣ ।

Leave A Reply

Your email address will not be published.