Latest Odisha News

BREAKING NEWS

ଲକଡାଉନ ସାଜିଲା ବରଦାନ: ଚିତ୍ରଶିଳ୍ପୀ ସାଜିଲେ ଯୁବତୀ

ଯାଜପୁର: କରୋନା କାହାପାଇଁ କାଳ ସାଜିଛି ତ ଆଉ କାହା ପାଇଁ ସୁଯୋଗ ସୃଷ୍ଟି କରିଛି । କାହା ନିକଟରୁ ନିଜ ଲୋକଙ୍କୁ ଛଡାଇ ନେଇଛି ତ ଆଉ କାହାକୁ ଆତ୍ମୀୟସ୍ୱଜନଙ୍କ ସହ ଯୋଡ଼ିଛି । ତେବେ ଏହି ମହାମାରୀ କରୋନା ପାଇଁ ଯାଜପୁର ସୁକିନ୍ଦା ଅଂଚଳର ଜଣେ ଯୁବତୀ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି ପାରିଛନ୍ତି । ଲକଡାଉନ୍ ରେ ଘରେ ରହି ବୋର ହେବାରୁ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଆଜି ଜଣେ ଭଲ ଚିତ୍ରକର ବନେଇ ଦେଇଛି । ତାଙ୍କ ପେନସିଲ ଓ ରଙ୍ଗ ତୁଳିରେ ସତେ ଯେମିତି କିଛି ଅଦୃଶ୍ୟ ଶକ୍ତି ରହିଛି । ଆଙ୍କୁଛନ୍ତି ଆଖି ଲାଗିଗଲା ଭଳି ମନୋରମ ଚିତ୍ର । ସେ ଆଙ୍କିଥିବା ଚିତ୍ର ହାତରେ ଅଙ୍କା ହୋଇଛି କି କଂପ୍ୟୁଟର ତିଆରି ଷ୍ଟିକର ତାହା ସହଜରେ ଜାଣି ହୁଏନି ।

ଇଚ୍ଛାଶକ୍ତି ଆଗରେ ସବୁକିଛି ସମ୍ଭବ । ଯାହା ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ଅଂଚଳର ମିନତୀ ହୋତା । ବାପା ଭାରତୀର ସ୍ଥଳ ସେନାର ଜଣେ କର୍ମଚାରୀ ହୋଇଥିବା ବେଳେ ମା ହାଇସ୍କୁଲ ଶିକ୍ଷୟିତ୍ରୀ । ମିନତୀ ସ୍ଥାନୀୟ ସୁକିନ୍ଦା କଲେଜରେ ବି.କମ୍ ସାରିବା ପରେ ଭୁବନେଶ୍ୱରରେ ରହି ବ୍ୟାଙ୍କ କୋଚିଂ ନେଉଥିଲେ । ହେଲେ କରୋନା ଜନିତ ବିଭିନ୍ନ କଟକଣା ଯୋଗୁ ଘରକୁ ପଳାଇ ଆସିଥିଲେ ।

ତେବେ ଘରେ ବସି ବସି ବୋର ହେବାରୁ କିଛି ନୂଆ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ମିନତୀ । ସେତେବେଳେ ଚିତ୍ର ଆଙ୍କିବା କଥା ତାଙ୍କ ମନକୁ ଆସିଥିଲା । ତେଣୁ ଡ୍ରଇଂ ବୋର୍ଡ ଆଣି ତା ଉପରେ ଆରମ୍ଭ କରିଥିଲେ ଚିତ୍ର ଆଙ୍କିବା । ତେବେ ଚିତ୍ର କରୁ କରୁ ତାଙ୍କ ତୁଳିର ସ୍ପର୍ଶରେ ଜୀବନ୍ତ ହୋଇଉଠିଥିଲା ଭଳିକି ଭଳି ଚିତ୍ର । ପରେ ତାଙ୍କ ହାତ ଆଉ ଅଟକି ନଥିଲା । ଆଙ୍କି ଚାଲିଥିଲେ ଗୋଟେ ପରେ ଗୋଟେ ସୁନ୍ଦର ସୁନ୍ଦର ଚିତ୍ର । ଯାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି ।

ସେ ଆଙ୍କିଥିବା ଚିତ୍ର ହାତରେ ଅଙ୍କା ହୋଇଛି କି କଂପ୍ୟୁଟର ତିଆରି ଷ୍ଟିକର ତାହା ସହଜରେ ଜାଣି ହୁଏନି । ଦେଖନ୍ତୁ ଘରର କାନ୍ଥ ଓ ସୁଇଚ୍ ବୋର୍ଡ ଉପରେ ଅଙ୍କା ଯାଇଥିବା ଏହି ଚିତ୍ର ଗୁଡିକୁ । ତେବେ କରୋନା ପାଇଁ ମିନତୀ ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନି ପାରି ଆଜି ଜଣେ ଭଲ ଚିତ୍ରକର ହୋଇପାରିଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ଏନେଇ ମିନତୀ ପୂର୍ବରୁ କେଉଁଠି ତାଲିମ ନେଇ ନାହାଁନ୍ତି ବା କୌଣସି କଳା ବିଦ୍ୟାଳୟରେ ପଢି ନାହାଁନ୍ତି । କଳା ପ୍ରତି ଥିବା ତାଙ୍କର ରୁଚି ଓ ଇଚ୍ଛାଶକ୍ତି ବଳରେ ସେ ଆଜି ଏତେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ପାରୁଛନ୍ତି । କେବଳ ଡ୍ରଇଂ ବୋର୍ଡ ନୁହେଁ ଘରର କାନ୍ଥ ରେ ମଧ୍ୟ ସେ ଭଳିକି ଭଳି ମନୋରମ ଚିତ୍ର ଆଙ୍କିଛନ୍ତି ।

ତେବେ ଝିଅର ହଠାତ୍ ଏଭଳି ପ୍ରତିଭା ଦେଖି ମୀନତୀଙ୍କ ମା ମଧ୍ୟ ବେଶ ଖୁସି । ଆଗାମୀ ଦିନରେ ଝିଅକୁ ଭଲ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ତାଲିମ ଦେବେ ବୋଲି ସେ କହିଛନ୍ତି । ସେପଟେ ନିଜ ପ୍ରତିଭାକୁ ନିଜ ପାଖରେ ସିମିତ ନରଖି ମିନତୀ ଏବେ ପାଖ ପଡିଶା ପିଲାଙ୍କୁ ଚିତ୍ର କରିବା ଶିଖାଉଛନ୍ତି । ତାଙ୍କ ଠାରୁ ଚିତ୍ର କରିବା ଶିଖି ପିଲାମାନେ ମଧ୍ୟ ବେଶ ଉତ୍ସାହିତ ।

Leave A Reply

Your email address will not be published.