ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଗତ ଆର୍ଥିକ ବର୍ଷର ୬.୮୧ ଲକ୍ଷ କୋଟି ଟଙ୍କା ତୁଳନାରେ ଏକ ବଡ଼ ବୃଦ୍ଧି। ଯାହା ଦେଶର ମୋଟ ଜିଡିପି (GDP)ର ପ୍ରାୟ ୧୧ ପ୍ରତିଶତ ଅଟେ ।
‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ବଜେଟ ବୃଦ୍ଧି କରାଯାଇଛି । ଏଥିରେ ମୁଖ୍ୟତଃ ସେନାର ଆଧୁନିକୀକରଣ ତଥା ନୂତନ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ବ୍ୟୟବରାଦକୁ ୨୧.୮୪ ପ୍ରତିଶତ ବୃଦ୍ଧି କରାଯାଇ ୨.୧୯ ଲକ୍ଷ କୋଟି ଟଙ୍କା କରାଯାଇଛି । ସେଥିମଧ୍ୟରୁ କେବଳ ବିମାନ ଏବଂ ଏରୋ-ଇଞ୍ଜିନ୍ ପାଇଁ ୬୩,୭୩୩ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।
ସେନାର ପରିଚାଳନା, ମରାମତି ଏବଂ ଦରମା ପାଇଁ ବ୍ୟୟବରାଦରେ ୧୭.୨୪ ପ୍ରତିଶତ ବୃଦ୍ଧି କରାଯାଇଛି । ସେହିପରି ପ୍ରତିରକ୍ଷା ପେନସନ୍ ପାଇଁ ୧.୭୧ ଲକ୍ଷ କୋଟି ଟଙ୍କା ବରାଦ ହୋଇଛି । ଏଥିସହିତ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ବିମାନର ମରାମତି ଓ ନିର୍ମାଣ ପାଇଁ ଆମଦାନୀ ହେଉଥିବା କଞ୍ଚାମାଲ ଉପରୁ ମୌଳିକ ସୀମା ଶୁଳ୍କ ଛାଡ଼ କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।