Latest Odisha News

BREAKING NEWS

ରାଜ୍ୟରେ ଖରାଦିନେ ଜଳ ସଙ୍କଟ ଦୂର କରିବାକୁ ସରକାରଙ୍କ ପଦକ୍ଷେପ, ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ  

ଭୁବନେଶ୍ବର: ରାଜ୍ୟରେ ଖରାଦିନେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦିଏ । ପାଣିର ଅଭାବ ନେଇ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଖରା ଦିନ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାସହ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ୩ଟି ଟୋଲ୍-ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ।

BjdElectrycity

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ ଦାୟିତ୍ଵରେ ଥିବା ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ‌ହୋଇଥିବା ଜଣାପଡିଛି । ଗ୍ରାମାଞ୍ଚଳ ପାଇଁ ୧୯୧୬, ସହରାଞ୍ଚଳ ପାଇଁ ୧୫୫୩୫୯ ଓ ୧୮୦୦୩୪୫୬୭୮୩ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ପ୍ରତି ଶନିବାର ବ୍ଲକ୍ସ୍ତରରେ ଓ ପ୍ରତି ମଙ୍ଗଳବାର ଜିଲାସ୍ତରରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ରାଜ୍ୟର ଅଚଳ ହୋଇ ପଡିଥିବା ସୌର ଚାଳିତ ପମ୍ପଯୁକ୍ତ ନଳକୂପଗୁଡ଼ିକୁ ୧୫ ଦିନ ଭିତରେ ତିଆରି କରିବାକୁ ଓରେଡାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୧୧୪ଟି ପୌରାଞ୍ଚଳରେ ନଳକୂଅ ମରାମତି ପାଇଁ ୧୬୧ଟି ସ୍ବତନ୍ତ୍ର ସ୍କ୍ବାଡ ରେଡି ଅଛନ୍ତି । ୧୧୪ଟି ପୌରାଞ୍ଚଳରେ ୧୫୬ଟି କଣ୍ଟ୍ରୋଲ ରୁମ୍‌ ଓ ମୋ ସରକାର ସେଲ ଖୋଲାଯାଇଛି । ଏହି ସେଲ ୨୪ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ୧୧୪ଟି ପୌରାଞ୍ଚଳରେ ୬୫୦ଟି ସ୍ଥାନରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଛି । ଏଗୁଡ଼ିକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ତୁରନ୍ତ ଏହି ସବୁ ଅଞ୍ଚଳରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । 

Leave A Reply

Your email address will not be published.