Latest Odisha News

ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବେ ଡାକ୍ତର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଡାକ୍ତର ଲେଖିବେ ସ୍ପଷ୍ଟ ପ୍ରେସକ୍ରିପସନ। ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଡାକ୍ତରଙ୍କୁ ସ୍ପଷ୍ଟ ହସ୍ତାକ୍ଷର ଲେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସମସ୍ତେ ପଢ଼ି ପାରୁଥିଲା ପରି ଅକ୍ଷର ଲେଖିବେ ଡାକ୍ତର।

ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ କହିଛନ୍ତି।ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଏନେଇ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ୍‌ ସମ୍ବନ୍ଧୀୟ ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।
ଅନେକ ସମୟରେ କେବଳ ଡାକ୍ତର ବା ମେଡିସିନ ଦୋକାନୀ ସେହି ହସ୍ତାକ୍ଷର ପଢି ଔଷଧ ଦିଅନ୍ତି। ମାତ୍ର ସାଧାରଣ ଲୋକ ଏହା ବୁଝିବାରେ ସକ୍ଷମ ହୁଏ ନାହିଁ। କୋର୍ଟ କହିଛନ୍ତି ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ ।

୨୦୧୫ରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଣସରା ଗାଁର ଜଣେ ବ୍ୟକ୍ତିଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଅସ୍ପଷ୍ଟ ହସ୍ତାକ୍ଷର ପାଇଁ କ୍ଷତିପୂରଣ ମିଳିନଥିଲା । ଏନେଇ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ହାଇକୋର୍ଟ ମାମଲାକୁ ଗୁରୁତର ସହ ନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଥିଲେ। ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ୍ ରେ ଉଲ୍ଲେଖ ଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ ପଢ଼ି ପାରିନଥିବାରୁ କ୍ଷତିପୂରଣ ଦିଆ ଯାଇନି। ରିପୋର୍ଟ ଦେଇଥିବା ଡାକ୍ତର କୋର୍ଟରେ ରିପୋର୍ଟ ପଢିବା ପରେ ସାପକାମୁଡାରେ ମୃତ୍ଯୁ ହୋଇଥିବା କହିଥିଲେ। କୋର୍ଟ ଏଥିରେ ଉଦବେଗ ପ୍ରକାଶ କରିବା ସହିତ ସ୍ପଷ୍ଟ ଭାବେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

 

 

Comments are closed.