Latest Odisha News

BREAKING NEWS

କଂଗ୍ରେସର ୧୩୭ ବର୍ଷ; ସବୁଠୁ ଅଧିକ ୨୨ ଧରି ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ପାଇବ ନୂଆ ଅଧ୍ୟକ୍ଷ । ପାଖେଇ ଆସୁଛି ନିର୍ବାଚନ ତାରିଖ । ଆସନ୍ତା ୧୭ ତାରିଖରେ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେବାକୁ ଥିବା ବେଳେ ୧୯ରେ ଆସିବ ଫଳାଫଳ । ଅଧ୍ୟକ୍ଷ ପଦ ହାତେଇବା ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର୍ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ୧୩୭ ବର୍ଷର ପୁରୁଣା ଦଳ କଂଗ୍ରେସ ଆରମ୍ଭରୁ ଆଜ ଯାଏ ୮୮ ଜଣ ଅଧ୍ୟକ୍ଷ ପାଇଛି ।

୧୮୮୫ ମସିହାରେ କଂଗ୍ରେସ ଦଳ ଗଠନ ହୋଇଥିଲା । ସମୟର ପରିବର୍ତ୍ତନ ସହ ଦଳ ଉତ୍ଥାନ ପତ୍ତନ ଭିତରେ ଗତି କରୁଛି । ୧୩୭ ବର୍ଷର ଲମ୍ବା ଯାତ୍ରା ଭିତରେ ନେହରୁ-ଗାନ୍ଧୀ ପରିବାର ହାତରେ ଦଳର ମଙ୍ଗ ୫୦ ବର୍ଷ ରହିଛି । ସବୁଠୁ ଅଧିକ ୨୨ ଧରି ସୋନିଆ ଗାନ୍ଧୀ ଦଳର କମାଣ ସମ୍ଭାଳିଛନ୍ତି ।

୨୦୧୯ରେ ଦଳର ୮୭ତମ ଅଧ୍ୟକ୍ଷ ଭାବେ ପଦ ଛାଡ଼ିଥିଲେ ରାହୁଲ ଗାନ୍ଧୀ । ସେବେଠୁ ସୋନିଆ ଦଳର ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି । ୧୩ ଦଶନ୍ଧିର କଂଗ୍ରେସର ଯାତ୍ରାରେ ୧୯୧୯ରୁ ଯୋଡ଼ି ହୋଇଥିଲା ନେହରୁ-ଗାନ୍ଧୀ ପରିବାର । ସେତେବେଳେ ମୋତିଲାଲ୍ ନେହରୁ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ୫୮ ବର୍ଷ ବୟସରେ ଦଳର ୩୬ତମ ଅଧ୍ୟକ୍ଷ ହୋଇଥିଲେ ମୋତିଲାଲ୍ ।

ଏହାପରେ ୧୯୨୯ରେ ପଣ୍ଡିତ ଜବାହରଲାଲ୍ ନେହରୁ ୪୦ ବର୍ଷ ବୟସରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ନେହରୁଙ୍କ ପରେ ୧୯୫୯ରେ ଇନ୍ଦିରା ଗାନ୍ଧୀଙ୍କୁ ମିଳିଥିଲା କଂଗ୍ରେସ ଅଧ୍ୟକ୍ଷ ପଦ । ୪୨ ବର୍ଷ ବୟସରେ ଦଳର ୬୯ତମ ଅଧ୍ୟକ୍ଷ ହୋଇଥିଲେ ଇନ୍ଦିରା । ମୋଟ ୩ ଥର ଇନ୍ଦିରାଙ୍କ ହାତରେ ଥିଲା କଂଗ୍ରେସର କମାଣ ।

ଇନ୍ଦିରାଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ ଦଳର ଅଧ୍ୟକ୍ଷ ହୋଇଥିଲେ । ଏହାପରେ ଗାନ୍ଧୀ ପରିବାର ସୋନିଆ ଗାନ୍ଧୀଙ୍କୁ ଦାୟିତ୍ୱ ଦେଇଥିଲେ । ୧୯୯୮ରୁ ସୋନିଆ ଦଳର ମଙ୍ଗ ଧରିଛନ୍ତି । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ବ୍ୟାକଫୁଟରେ ଥିବା କଂଗ୍ରେସ ୨୦୧୮ରେ ରାହୁଲ ଗାନ୍ଧୀଙ୍କୁ ବାଛିଥିଲା । କିନ୍ତୁ ଦଳ ପାଇଁ ସେଭଳି କିଛି କରିସ୍ମା ଦେଖାଇ ପାରି ନଥିଲେ ରାହୁଲ ଗାନ୍ଧୀ । ଶେଷରେ ୨୦୧୯ ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ରାହୁଲ ଇସ୍ତଫା ଦେବାର ୬ ମାସ ଯାଏ ଦଳ ଅଧ୍ୟକ୍ଷ ଖୋଜୁଥିଲା । ଶେଷରେ ଅଗଷ୍ଟ ୧୦ରେ ସୋନିଆ ଦଳର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ । କଂଗ୍ରେସ ହାତରେ ଗାନ୍ଧୀ ପରିବାରକୁ ନେଇ ଇତି ମଧ୍ୟରେ ବେଶ୍ ବିବାଦ ହୋଇଥିବା ବେଳେ ଅନେକ ନେତା ଦଳ ଛାଡ଼ିଛନ୍ତି । ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱରେ ଥିବା କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଏବେ ଦଳକୁ ଦେବ କି ନୂଆ ବଳ ? ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.