Latest Odisha News

ଡାକୋଟା ବିମାନ ଦେଖି ଭାବବିହ୍ୱଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର: ଡାକୋଟା ବିମାନ ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ କ୍ରିଷ୍ଣମୂର୍ତ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ବିଜୁ ବାବୁଙ୍କ ଡାକୋଟା ଦେଖି ଅତୀତର ସ୍ମୃତି ରୋମନ୍ଥନ କଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ।  କ୍ରିଷ୍ଣମୂର୍ତ୍ତିଙ୍କ ସହ ଥିଲେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ  ।

ଉଭୟେ ରାଷ୍ଟ୍ରଦୂତ ଇନା ଏଚ କ୍ରିଷ୍ଣମୂର୍ତ୍ତିଙ୍କୁ ଉତ୍ତରୀୟ ଓ ସ୍ମାରକ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ ଡାକୋଟା ବିମାନ ବୁଲାଇ ଦେଖାଇଥିଲେ ।   ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଦେଖି ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ ଇନା ଏଚ କ୍ରିଷ୍ଣମୂର୍ତ୍ତି । ସେ କହିଥିଲେ,  ଡାକୋଟା ବିମାନ ଦେଖିବା ତାଙ୍କ ପାଇଁ ଏବଂ ପ୍ରତ୍ୟେକ ଇଣ୍ଡୋନେସିଆବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ବିମାନ ସହ ପ୍ରତିଟି ଇଣ୍ଡୋନେସିଆବାସୀଙ୍କର ଭାବଗତ ସଂପର୍କ ରହିଛି । ଇଣ୍ଡୋନେସିଆ ବିପ୍ଳବ ସମୟରେ ଏହି ବିମାନରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଡଚ୍‌ମାନଙ୍କ ଦ୍ୱାରା ଗୃହବନ୍ଦୀ ଥିବା ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣ,, ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟା ଏବଂ ପ୍ରଧାନମନ୍ତ୍ରୀ ସୁତନ ସାହରିୟାରଙ୍କୁ ମୁକ୍ତ କରିବା ପାଇଁ ଧର୍ମପତ୍ନୀ  ଜ୍ଞାନଦେବୀଙ୍କୁ ନେଇ ଜାକର୍ତ୍ତା ଅଭିମୁଖେ ବିଜୁବାବୁ ନିଜ ଡାକୋଟା ବିମାନରେ ଯାଇ ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ନେଇଆସିଥିଲେ । ବିଜୁବାବୁଙ୍କର ଏହି ସାହସିକତା ପାଇଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ରରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଆଜି  ଓଡ଼ିଶା ମାଟିରେ ସେହି ଡାକୋଟାକୁ ଦେଖି ଇଣ୍ଡୋନେସିଆ  ରାଷ୍ଟ୍ରଦୂତ  ଇତିହାସର ସ୍ମୃତିଚାରଣ କରିବା ସହ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଆଗାମୀ ଦିନରେ ସାମାଜିକ-ସାଂସ୍କୃତିକ ସଂପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ  ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଡାକୋଟା ବିମାନର ଇତିହାସ   ସଂପର୍କିତ ଏକ କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ମହାମହିମ ରାଷ୍ଟ୍ରଦୂତ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ପାଇଲଟ୍‌ ଟ୍ରେନିଂଇନ୍‌ଷ୍ଟିଚୁ୍ୟଟ୍‌ (ଗତି)ର ପ୍ରଶିକ୍ଷାର୍ଥୀ ଏବଂ ଡାକୋଟା ବିମାନକୁ ମୂଳରୂପକୁ ଫେରାଇ ଆଣିଥିବା ଇଂଜିନିୟରମାନଙ୍କ ସହ ଭାବବିନିମୟ କରି   ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ କୋଲକାତାଠାରେ ଅବସ୍ଥାପିତ ଇଣ୍ଡୋନେସିଆର କନ୍‌ସଲ ମହେଶ ସାହାରିଆ, ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ, ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଦେବଦତ୍ତା ସୁରଞ୍ଜିତା ଜେନା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.