Latest Odisha News

BREAKING NEWS

ଆଶ୍ଚର୍ଯ୍ୟ: ଶବ ନାହିଁ, ହେଲେ ରୀତିନୀତି ଅନୁଯାଇ ହେଲା ଶବଦାହ

ଭଦ୍ରକ: ୬ ଖଣ୍ଡ ବାଉଁଶରେ ବନ୍ଧା ହୋଇଛି କୋକେଇ । ବନ୍ଧୁ ବାନ୍ଧବ ସହିତ ସାହି ପଡିଶା ମଧ୍ୟ ଘର ସାମ୍ନାରେ ରୁଣ୍ଡ ହୋଇଛନ୍ତି । କୋକେଇ ଉପରେ ବନ୍ଦା ହୋଇଛି ପାଳ ଦଉଡି । ନାତି, ନାତୁଣୀ ମାନେ ଘିଅ ସଳିତା ଧରି ଜଳେଇବା ସହ ଶବକୁ ୪ କାନ୍ଦ ଦେଇ ଖଇ କଉଡ଼ି ପକେଇ ‘ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ’ ବୋଲି ଶବଦାହ କରିବାକୁ ଶ୍ମଶାନକୁ ଯାଉଛନ୍ତି । ଶ୍ମଶାନରେ ପହଞ୍ଚି ସମସ୍ତ ହିନ୍ଦୁ ରୀତିନୀତି ଅନୁଯାଇ ଧୋବା ବାରିକ, ବ୍ରାହ୍ମଣଙ୍କ ସମସ୍ତ କର୍ମ ପରେ ଶେଷରେ ଶବକୁ କାଠ ଉପରେ ରଖିବା ପରେ ପୁଅ କୋହଭରା କଣ୍ଠରେ ବାପାଙ୍କ ମୁହଁରେ ଦେଇଛନ୍ତି ମୁଖାଗ୍ନି । ଆଉ ତାପରେ ହୋଇଛି ଶବ ଦାହ ।

ସାଧାରଣତଃ କୋକେଇରେ ମୃତ ମଣିଷର ଶବ ଯାଉଥିବା ଆପଣମାନେ ଦେଖିଥିବେ । କିନ୍ତୁ ଶବ ବିନା ଶବ ଦାହ ହେବା କେବେ ଦେଖିଛନ୍ତି କି ? କିନ୍ତୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହର ନିକଟ ନରିପୁର ଗ୍ରାମର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଗଗନ ଦାସଙ୍କ ଘରେ । ୨୦୦୪ ମସିହାରୁ ଘରୁ ହଠାତ୍ କେଉଁଆଡେ ନିଖୋଜ ହୋଇଗଲେ ଗଗନଙ୍କ ବାପା । ବହୁ ଖୋଜାଖୋଜି ପରେ ଶେଷରେ ଥାନାରେ ବାପାଙ୍କ ମିସିଙ୍ଗ ରିପୋର୍ଟ ଦେଇଥିଲେ ।  ସେହିଦିନ ଠାରୁ ଖୋଜାଖୋଜି କରି କରି  ୨୦ ବର୍ଷ ବିତି ଯାଇଥିବା ବେଳେ ଆଜି ଯାଏଁ ଗଗନଙ୍କ ବାପା ବିଦ୍ୟାଧର ଦାସଙ୍କ କୌଣସି ସନ୍ଧାନ ପାଇ ପାରି ନାହାନ୍ତି ପୋଲିସ କି ପରିବାର ଲୋକେ । ବର୍ତ୍ତମାନ ବିଦ୍ୟାଧରଙ୍କ ବୟସ ପାଖାପାଖି ୮୮ ବର୍ଷ ହେବ । ଏପଟେ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆରପାରିକୁ ଚାଲିଗଲେ ଗଗନଙ୍କ ମା । କିନ୍ତୁ ବାପାଙ୍କ କୌଣସି ଖବର ନ ମିଳିବାରୁ ବାପାଙ୍କୁ ମୃତ ଭାବି ଶେଷରେ ହିନ୍ଦୁ ରୀତି ନୀତି ଅନୁଯାଇ ବାପାଙ୍କ ଆତ୍ମାକୁ ଶାନ୍ତି ଦେବାପାଇଁ ତାଙ୍କର ମଲା କର୍ମ କରିବାକୁ ଇଚ୍ଛା ପ୍ରକାଶ କଲେ ପରିବାର ଲୋକେ ।

ସେଥିପାଇଁ ପୁଅ ଗଗନ ଯାଜପୁରରେ ଥିବା ମା’ ବିରଜା ମନ୍ଦିରର ପଣ୍ଡିତ ବିଧାନ ମଣ୍ଡଳୀଙ୍କ ପାଖକୁ ଯାଇ ପଣ୍ଡିତଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପରି ନିଆରା କର୍ମକାଣ୍ଡ କରିଛନ୍ତି ପୁଅ । ଗାଁରେ ଶୋଭାଯାତ୍ରା କରି ଗାନ୍ଧୀ ପଡିଆ ନିକଟରେ ଥିବା ଶ୍ମଶାନ ଘାଟରେ ଶବ ଦାହ କରାଯାଇଛି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ପୁଅ ଗଗନ କହିଛନ୍ତି ଯେ, ‌ଆଜିର କ୍ରିୟାକର୍ମ ପରେ ଆସନ୍ତା କାଲି କଷା ଖାଇବା ପରେ ଦଶଦିନରେ ଦଶତୁଠ ଓ ଏଗାର ଦିନରେ କ୍ରିୟାକର୍ମ ସହ ବ୍ରାହ୍ମଣ ଭୋଜନ ଦେଇ ମୋ ବାପାଙ୍କର ଆତ୍ମାକୁ ଶାନ୍ତି କରିବି । ମୋ ବାପା ଯେଉଁଠି ଅଛନ୍ତି ଭଲରେ ଥାଆନ୍ତୁ ବୋଲି କହିଛନ୍ତି ପୁଅ ଗଗନ । ଅନ୍ୟପଟେ ତାଙ୍କର ଏପରି କାର୍ଯ୍ୟପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.