ଭୁବନେଶ୍ୱର: କେବେ କେବେ ସାଇକେଲରେ ତ କେବେ ସ୍କୁଟି ଚଳାଇ ପେଟପାଟଣା ଲାଗି ସମସ୍ତଙ୍କ ଲାଗି ଆଦର୍ଶ ପାଲଟିଥିବା ଏହି ମହିଳା ରାତିର ଅନ୍ଧାରରେ ହଜିଯାଆନ୍ତି । ଏକୁଟିଆଅନ୍ଧାର ନିଛାଟିଆ ରାତି ତିନିଟାରୁ ଉଠି ଏକୁଟିଆ ସାଇକେଲ୍ରେ ବାହାରି ପଡନ୍ତି ଶୋଭାରାଣୀ, ସହିଦ ନଗରରେ ଥିବା ତାଙ୍କ ଘରଠୁଁ ଦୁଇ କି.ମି ଦୂର ମାଷ୍ଟର୍କ୍ୟାଣ୍ଟିନ୍ ଛକକୁ । ରାଜଧାନୀର ଅଧିକାଂଶ ଖବରକାଗଜ ହକର୍ ଏହିଠାରୁ ହିଁ ସବୁଦିନ ସଂଗ୍ରହ କରିଥାନ୍ତି ତାଜା ଖବରକାଗଜ । ସାଇକେଲ୍ ପଛରେ ପାଞ୍ଚଶହରୁ ଉଦ୍ଧ୍ୱର୍ ଖବରକାଜର ବୋଝକୁ ବୋହି ବୋହି ମାଷ୍ଟର୍କ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ବାଣ୍ଟି ଚାଲନ୍ତି ସେ । କେବଳ ଆଜି ନୁହେଁ, ଦୀର୍ଘ ବାର ବର୍ଷ ଧରି ସମାଜର ଅଙ୍ଗୁଳିଠାରକୁ ଭୃକ୍ଷେପ ନକରି ଏମିତି ଏକୁଟିଆ ସାଇକେଲ୍ରେ ଜୀବନ ଓ ଯନ୍ତ୍ରଣାର ବୋଝ ବୋହି ଚାଲିଛନ୍ତି ଶୋଭାରାଣୀ । ତାଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ଏବେ ଅବଶ୍ୟ ମିଳିଛି ସତ । କିନ୍ତୁ ଏବେ ଶୋଭାରାଣୀ ଜୀବନ, ଯନ୍ତ୍ରଣା ଓ ସଂଘର୍ଷର କର୍ଷଣରେ ପାଲଟିଯାଇଛନ୍ତି ଜଣେ ସଫଳ ବିଜୟୀ ସୈନିକ । ପରିବାରରେ ତାଙ୍କ କାନ୍ଧ ସହିତ କାନ୍ଧ ମିଳାଇଛନ୍ତି ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବଡ଼ଝିଅ ଆରାଧନା ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନଝିଅ ଜ୍ୟୋତିର୍ମୟୀ । ଆଖି ସାମ୍ନାରେ ଝଲସି ଉଠୁଛି ନିଜ ପିଲାଙ୍କୁ ଭଲ ମଣିଷ କରିବାର ସ୍ୱପ୍ନ ତ ପୁଣି ନିଜ ଗୋଡରେ ନିଜେ ସ୍ୱାବଲମ୍ବୀ ହେବାର ପ୍ରୟାସ, ସେ ବର୍ତ୍ତମାନ ପୁରୁଷ ପ୍ରଧାନ ସମାଜରେ ସ୍ୱାମୀଙ୍କ ପାଦରେ ପାଦ ମିଶାଇ ରୋଜଗାରର ନୂଆ ପନ୍ଥା ଯୋଗାଡ କରି ଅନ୍ୟ ମହିଳାଙ୍କ ଲାଗି ପ୍ରେରଣା ସାଜିଛନ୍ତି ।
ଏକ ଛୋଟିଆ ଦୁର୍ଘଟଣା: ପରିବାରରେ ଆଣିଦେଲା କଳା ବାଦଲ
ଶୋଭାରାଣୀ ଦାସ ୨୦୦୦ ମସିହାରେ ଭୁବନେଶ୍ୱର ମହର୍ଷି ମହାବିଦ୍ୟାଳୟ ନିକଟରେ ବାସ କରୁଥିବା ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ବିବାହ କରିଥିଲେ । ଏକ ଛୋଟିଆ ଭଡ଼ାଘରେ ରହୁଥିବା ଏହି ଦମ୍ପତ୍ତି ସ୍ୱଳ୍ପ ରୋଜଗାର କରି କଷ୍ଟ ହେଲେ ବି ଚଳି ଯାଉଥିଲେ । ସ୍ୱାମୀ ସହିଦନଗରରେ ସକାଳେ ଖବରକାଗଜ ବାଣ୍ଟି ଦିନରେ ଏକ ପ୍ରେସ୍ରେ ବନ୍ଧାଇ କାର୍ଯ୍ୟ କରୁଥିଲେ । ଏକଦା ତାଙ୍କ ସ୍ୱାମୀ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଲେ । ସବୁଦିନ ସକାଳେ ସାଇକେଲ୍ରେ ପେପର୍ ବାଣ୍ଟୁଥିବା ତାଙ୍କ ସ୍ୱାମୀ ପ୍ରକାଶ କିନ୍ତୁ ସେଦିନ ଗଭୀର କ୍ଷତ ଯୋଗୁଁ ଉଠି ବସି ପାରିନଥିଲେ । କଥାହେଲା ସେଦିନ ୧୦୦ ଗ୍ରାହକଙ୍କୁ ସବୁଦିନ ପରି ପେପର୍ ବଣ୍ଟନ କରିବ କିଏ? ରାତି ତିନିଟାରେ ମାଷ୍ଟର୍କ୍ୟଣ୍ଟିନ୍ ଯାଇ ସାଇକେଲ୍ରେ କିଏ ପେପର୍ ସଂଗ୍ରହ କରି ଆଣିବ? ଦମ୍ପତ୍ତି ଦୁହେଁ ଦୁହିଁଙ୍କୁ ଚାହିଁ ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ବେଳେ ଅଣ୍ଟା ଭିଡ଼ିଲେ ସ୍ତ୍ରୀ ଶୋଭାରାଣୀ ।
ପେପର୍ ବାଣ୍ଟିବାକୁ ଅଣ୍ଟା ଭିଡ଼ିଲେ: ଆରମ୍ଭ ହେଲା ସଂଘର୍ଷମୟ ଜୀବନ
ସେଦିନ ରାତି ସାଢେ ତିନିଟାର ଅନ୍ଧାର ରାତିରେ ହିଁ ଶୋଭାରାଣୀ ବାହାରିଲେ ଦୁଇ କି.ମି ଦୂର ମାଷ୍ଟର୍କ୍ୟାଣ୍ଟିନ୍ ଛକ । ସେଠାରେ ଖବରକାଗଜ ବଣ୍ଡଲ୍ ସଂଗ୍ରହ କରୁଥିବା ସମସ୍ତ ହକର୍ ଥିଲେ କେବଳ ପୁରୁଷ । ପୁରୁଷ ହକର୍ଙ୍କ ମଧ୍ୟରେ ଏକୁଟିଆ ମହିଳା ଶୋଭାରାଣୀ ନିଜକୁ ଅସହାୟ ବୋଧ କରୁଥିଲେ । ତାଙ୍କୁ ସେଦିନ ଅଧିକ ବ୍ୟଥିତ କରିଥିଲା ଗୋଟିଏ କଥା, ଅସହାୟ ଭାବେ ସାଇକେଲ୍ରେ ପେପର୍ ବଣ୍ଡଲ୍ ସଂଗ୍ରହ କରୁଥିବା ବେଳେ ପୁରୁଷମାନଙ୍କର ତାଙ୍କ ପ୍ରତି ଟାହି-ଟାପରା ସାଙ୍ଗକୁ ଅଶାଳୀନ ମନ୍ତବ୍ୟ ସେ ମୁଣ୍ଡପାତି ସହିଥିଲେ । ଭାଙ୍ଗି ପଡ଼ି ନଥିଲେ ଦୃଢମନା ଶୋଭାରାଣୀ । ସାଇକେଲ୍ ପଛରେ ଓଜନିଆ ସମ୍ବାଦପତ୍ର ବଣ୍ଡଲ୍ ବୋଝେଇ କରି ଚାଲିଲେ ସହିଦ ନଗର ଅଭିମୁଖେ ଗ୍ରାହକଙ୍କ ଘରେ ଘରେ ବାଣ୍ଟିବାକୁ । ଏହି ପ୍ରଥମ ଦିନର ଅନୁଭୁତି ସଂପର୍କରେ ସେ କହନ୍ତି – “ ସେଦିନ ରାତି ପ୍ରାୟ ତିନିଟା ସମୟରେ ମୁଁ ସ୍ୱାମୀଙ୍କ ସାଇକେଲ୍ ନେଇ ବାହାରିଲି ମାଷ୍ଟର୍କ୍ୟାଣ୍ଟିନ୍ ଛକ । ସେଠି ଶହ ଶହ ପେପର୍ ବଣ୍ଡଲ୍ର ଗହଳି ଭିତରେ କେବଳ ପୁରଷ ହକର୍ମାନେ ଥିଲେ । ବଡ଼ି ଭୋର୍ରୁ ମୋ ପରି ଏକ ମହିଳାକୁ ପେପର୍ ବଣ୍ଡଲ୍ ସଂଗ୍ରହ କରୁଥିବା ଦେଖି ସମସ୍ତେ କେମିତି କେମିତି ଅନଉଥିଲେ । କେହି କେହି ପଚାରୁଥିଲେ ଏତିକି ବେଳେ ତୁମେ ଜଣେ ମହିଳା ହୋଇ ଏଠିକି କାହିଁକି ଆସିଛ? ମୋ ସ୍ୱାମୀଙ୍କ ଅସୁସ୍ଥତା ଯୋଗୁଁ ମୁଁ ପେପର୍ ବାଣ୍ଟିବା ଜାଣି ମଧ୍ୟ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଟାହି-ଟାପରା କରିବାକୁ ପଛାଇନଥିଲେ । ମୁଁ ଆଖିବୁଜି ସେଗୁଡ଼ିକୁ ସହ୍ୟ କରିଥିଲି । ମୋ ବଡ଼ଝିଅକୁ ସେବେ ମାତ୍ର ଚାରି ବର୍ଷ ବୟସ । ଝିଅକୁ ସାଙ୍ଗରେ ନେଇ ମୁଁ ସହିଦ ନଗରରେ ସେଦିନ ସକାଳେ ପେପର୍ ବାଣ୍ଟି ଚାଲିଲି । ମୋତେ ପେପର୍ ବାଣ୍ଟିବା ଦେଖି ସମସ୍ତେ ହସିବାକୁ ଲାଗିଲେ ତ ପାଖ ପଡ଼ିଶା ଲୋକମାନେ ନାକ ଟେକିଲେ । ଲୋକମାନଙ୍କର ଏତାଦୃଶ ଆଚରଣ ଦେଖି ମୁଁ ପ୍ରଥମେ ଅବଶ୍ୟ ଖୁବ୍ ଭାଙ୍ଗି ପଡ଼ିଥିଲି । କିନ୍ତୁ ସ୍ୱାମୀଙ୍କ ଅସୁସ୍ଥତା ତଥା ପରିବାରର ଆର୍ôଥକ ପରିସ୍ଥିତି ଦେଖି ପେପର୍ ବାଣ୍ଟିବାର ବୃତ୍ତିକୁ ସବୁଦିନ ଲାଗି ଆପଣେଇ ନେଲି” ।
ଛୋଟିଆ କ୍ୟାବିନରେ ଆଠବର୍ଷ: ଶୋଭାରାଣୀଙ୍କ ଅକୁହା କାହାଣୀ
ପ୍ରକାଶଙ୍କ ଅସୁସ୍ଥତା ପରେ ସ୍ୱାମୀ-ସ୍ତ୍ରୀ ଦୁଇଜଣ ଓ ଦୁଇ ଝିଅଙ୍କୁ ନେଇ ଏହି ଛୋଟିଆ ପରିବାରଟି ଏବେ ଅଧିକ ଆର୍ôଥକ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲା । ରାତି ତିନିଟାରୁ ସକାଳ ୭ଟା ଯାଏଁ ପେପର୍ ବାଣ୍ଟିବା ପରେ ଶୋଭାରାଣୀ ଦିନ ତମାମ ଟେଲରିଂ କରି ଧିରେ ଧିରେ ଉପାର୍ଜନ ବଢାଇବାକୁ ଲାଗିଲେ । ସଂଧ୍ୟାବେଳେ ଆଖପାଖର ଛୋଟ ଛୋଟ ପିଲାମାନଙ୍କୁ ଟିୟୁସନ କଲେ । ଏପରିକି ପଡ଼ୋଶୀ ଘରମାନଙ୍କରେ ରନ୍ଧନ କାର୍ଯ୍ୟ କରି ରୋଜଗାର ବଢାଇବାକୁ ଲାଗିଲେ । ଦିନକୁ ଦିନ ପରିବାରର ଖର୍ଚ୍ଚ ବଢିବାରୁ ରହୁଥିବା ଭଡ଼ାଘରର ବକେୟା ପଇସା ଦେବାକୁ ଅକ୍ଷମ ହେଲେ ପ୍ରକାଶ ଓ ଶୋଭାରାଣୀ । ଦିନେ ରାତି ଅଧରେ ସଂପୂର୍ଣ୍ଣ ପରିବାର ଭଡ଼ାଘରୁ ସବୁ ଜିନିଷପତ୍ର ନେଇ ଚାଲିଆସିଲେ ପ୍ରକାଶଙ୍କ ପାନ ଦୋକାନ କ୍ୟାବିନ୍କୁ । ସେହି ଛୋଟିଆ କ୍ୟାବିନ୍ରେ ତିନି ବର୍ଷ ଏବଂ କିଛିଦିନ ପରେ ଏକ ବଡ଼ କ୍ୟାବିନ୍ରେ ଦୀର୍ଘ ଆଠବର୍ଷ ଧରି ଅତ୍ୟନ୍ତ ଦୁଃଖ ଓ କଷ୍ଟରେ ଯନ୍ତ୍ରଣାର ଲହୁ ଲୁହ ପିଇ ରୋଜଗାର କରିବାକୁ ଲଢି ଚାଲିଥିଲେ ଶୋଭାରାଣୀ ଓ ତାଙ୍କର ପରିବାର । ଏହି କ୍ୟାବିନ ଦୁଇଟି ଆଜି ମଧ୍ୟ ସହିଦ ନଗର ମହର୍ଷି କଲେଜ ପାଖ ପଡ଼ିଆ ନିକଟରେ ରହିଛି । ଛୋଟିଆ କ୍ୟାବିନ୍ ଭିତରେ ଦୀର୍ଘ ଆଠ ବର୍ଷ ଧରି ସଂଘର୍ଷର ଜୀବନ ଜୀଇଁଥିବା ଶୋଭାରାଣୀ ତାଙ୍କର ସେମୟର ଦୁଃଖର କାହାଣୀ ବର୍ଣ୍ଣନା କରୁଥିବା ବେଳେ ଯେକେହି କୋହ ସମ୍ବରଣ କରିପାରିବ ନାହିଁ । ଏ ସଂପର୍କରେ ଛଳଛଳ ହୋଇ ଶୋଭାରାଣୀ କହନ୍ତି, “ଜୀବନରେ ଦୁର୍ଦଶା, ଦୁଃଖ, ଯନ୍ତ୍ରଣା, ଭୋକ ଓ କଷ୍ଟ କଣ ତାହା ମୁଁ ଅଙ୍ଗେ ନିଭେଇ ଜାଣି ପାରିଛି । ଘରମାଲିକଙ୍କ ବକେୟା ପଇସା ଅନେକ ଦିନ ଧରି ନଦେଇ ପାରିବାରୁ ମୁଁ ଚାହିଁଲି କ୍ୟାବିନ୍ରେ ରହି ଖର୍ଚ୍ଚ-କାଟ କରି ପଇସା ସୁଝିଦେବି । ଝିଅକୁ ସେବେ ୫ ବର୍ଷ, ଗୋଟିଏ ଛୋଟିଆ କ୍ୟାବିନ୍ରେ ସେ ଶୋଇଲା ବେଳେ ଆମେ ରାତି ରାତି ବସି ଚେଇଁ ରହିଛୁ । ବେଳେ ବେଳେ ଖାଇବାକୁ କିଛି ନଥିଲେ ବି ଝିଅକୁ ଚୁଡ଼ା ଦେଇ ଆମେ ରାତି ରାତି ଉପାସରେ ଭୋକିଲା ରହିଛୁ” ।
ସଫଳ କାହାଣୀର ମୂର୍ତ୍ତିମନ୍ତ ପ୍ରତୀକ: ପେପର୍ ବିକାଳି ଶୋଭାରାଣୀ
ଶୋଭାରାଣୀ ତାଙ୍କ ଜୀବନ କାହାଣୀ କହିଲା ବେଳେ ଛଳଛଳ ହୋଇଉଠନ୍ତି, କିନ୍ତୁ ସେ କେବେବି ଭାଙ୍ଗି ପଡ଼ିନାହାନ୍ତି । ସେ କହନ୍ତି, “ଆମେ ଦୁହେଁ ଦୁହିଁଙ୍କର ସାହାରା ହୋଇ ହାତରେ ହାତ ମିଶାଇ କଠିନ ପରିଶ୍ରମ କରିଚାଲିଲୁ । ସେବେଠାରୁ ଏଯାଏଁ ଆମେ ମାଆ ଝିଅ ତିନି ଜଣ ସକାଳୁ ପେପର୍ ବାଣ୍ଟିଥାଉ । ଦୁଇ ଝିଅଙ୍କ ମଧ୍ୟରୁ ସାନଝିଅ ଅଷ୍ଟମ ଶ୍ରେଣୀରେ ଏବଂ ମୋ ବଡ଼ ଝିଅ ଆରାଧନା ଦ୍ୱାଦଶ ଶ୍ରେଣୀରେ ଅତି ଭଲ ପଢୁଛି । ସେ ଏକୁଟିଆ ଟିୟୁସନ୍ କରି ସାତହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛି । ମୋ ସ୍ୱାମୀ ପ୍ରେସ୍ରେ ବାଇଣ୍ଡିଂ କାର୍ଯ୍ୟ କରି ଏବେ ପୂର୍ବାପେକ୍ଷା ଭଲ ରୋଜଗାର କରିପାରୁଛନ୍ତି । ମୁଁ ମଧ୍ୟ ଘରେ ଟିୟୁସନ୍ କରିବା ସହିତ ଟେଲରିଂ କାର୍ଯ୍ୟ ଏବଂ ଦୁହେଁ ମିଶି କ୍ୟାଟରିଂ କାର୍ଯ୍ୟ କରିଥାଉ । କ୍ୟାବିନ୍ରେ ରହିଥିବା ସମୟରେ ଆମକୁ ସମସ୍ତେ ଭିନ୍ନ ଚକ୍ଷୁରେ ଦେଖିଥିଲେ । ଏବେ ସମସ୍ତେ ଆମ ପରିବାରର କଠିନ ପରିଶ୍ରମ ତଥା ବଡ଼ଝିଅର ସଫଳତାକୁ ଦେଖି ପ୍ରଶଂସା କରିବାକୁ ପଛଉନାହାଁନ୍ତି” ।
ହଁ, ଏବେ ଆର୍ଥୀକ ସ୍ଥିତି ପୂର୍ବାପେକ୍ଷା ସୁଧୁରିଛି ସତ, ହେଲେ ଏତିକିରେ ଶେଷ ହୋଇନାହିଁ ତାଙ୍କର ସଂଘର୍ଷ ଜୀବନର କାହାଣୀ । ନିଜର ଦୁଇ ଝିଅଙ୍କୁ ଭଲ ସ୍କୁଲ ପାଠ ପଢାଇ ଭଲମଣିଷ କରିବାର ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ ବରଂ ଏହି ଯନ୍ତ୍ରଣାଯୁକ୍ତ ଜୀବନ-ଯୁଦ୍ଧରେ ସଫଳତାର ଦ୍ୱାରଦେଶରେ ପହଞ୍ଚି ପାରିଛନ୍ତି ସେ । ପେପର୍ ବାଣ୍ଟିବାର ପ୍ରଥମ ଦିନରେ ଯେଉଁମାନେ ତାଙ୍କୁ ଟାହି-ଟାପରା କରୁଥିଲେ ଏବେ ସେମାନଙ୍କର ଆଦର୍ଶ ପାଲଟିଛନ୍ତି ସଫଳତମ ମହିଳା ଶୋଭାରାଣୀ ।
(ଲେଖକ ଅମିୟ ଭାନୁ ଧଳ ଜଣେ କବି, ସାମ୍ବାଦିକ ତଥା ସ୍ତମ୍ଭକାର । ଲେଖକଙ୍କ ଆଧ୍ୟାତ୍ମିକ ତଥା ସାମାଜିକ ଫିଚରଧର୍ମୀ ଅନେକ ଲେଖା ବିଭିନ୍ନ ପତ୍ର ପତ୍ରିକା ଏବଂ ସମ୍ବାଦପତ୍ରରେ ପ୍ରକାଶିତ )
Comments are closed.