Latest Odisha News

BREAKING NEWS

ଦରମା ଓ ଭତ୍ତା ବୃଦ୍ଧିକୁ କାହିଁକି ସମର୍ଥନ କଲେନି ଏହି ବିଧାୟକ..

ଭୁବନେଶ୍ୱର: ଚାରିଥର ବିଧାୟକ ସାଜିଥିବା ସିପିଏମ ବିଧାୟକ ବୋନାଇ ଲକ୍ଷ୍ମଣ ମୁଣ୍ଡା ଙ୍କ ଆପତ୍ତି ଯୋଗୁଁ ବିଧାୟକ ମାନଙ୍କର ଦରମା ସଂଶୋଧନ ନିୟମ ଆବେଦନ ମଞ୍ଜୁରି ପାଇବାରେ ବିଳମ୍ବ ହୋଇ ଚାଲିଥିବା ନେଇ ସୂଚନା ମିଳିଛି।

ତେବେ ନୂତନ ନିୟମ ଅନୁଯାୟୀ ବିଧାୟକ ମାନଙ୍କର ମାସିକ ଦରମା ବର୍ତ୍ତମାନ୍ ତିନି ଗୁଣ ବୃଦ୍ଧି ହୋଇଛି। ଗତ ଡିସେମ୍ବର ୯ ତାରିଖରେ ବିଧାୟକ ମାନଙ୍କ ମାସିକ ଦରମା ୧.୧୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩.୪୫ ଲକ୍ଷ ଟଙ୍କା ରେ ପହଞ୍ଚିବା ସହ ଆହୁରି ଚାରୋଟି ପୃଥକ ବିଲ୍ ଗୃହୀତ ହୋଇଥିଲା। ସେହି ସମୟରେ ଲକ୍ଷ୍ମଣ ମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ସହିତ ଥିଲେ ବୋଲି ପ୍ରକାଶ କରିଛନ୍ତି ସିପିଏମ୍ ରାଜ୍ୟ ୟୁନିଟ୍ ସଚିବ ସୁରେଶ ଚନ୍ଦ୍ର ପାଣିଗ୍ରାହୀ। ଯେଉଁମାନେକି ଦରମା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ରାଜ୍ୟ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିଥିଲେ।

ସେହିପରି ଏନେଇ ସିପିଆଇର ଓଡ଼ିଶା ୟୁନିଟର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ବୁଧବାର କହିଛନ୍ତି ଯେ ସରକାରୀ କର୍ମଚାରୀ ବୋଲି କହୁଥିବା ବିଧାୟକମାନେ ନିଜର ଭତ୍ତା ତିନି ଗୁଣ କରିବାର ନିଷ୍ପତ୍ତି ନେଲେ କିନ୍ତୁ ଆଜି ମଧ୍ୟ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ସର୍ବନିମ୍ନ ମଜୁରୀ ରୁ ବଞ୍ଚିତ ଅଛନ୍ତି। ଏଥିସହିତ ହଜାର ହଜାର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ପାଚିକା-ସହାୟିକା, ଶିକ୍ଷା ସହାୟକ, ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଗାନ୍ଧୀ ମାର୍ଗ ରାସ୍ତାରେ ପ୍ରବଳ ଶୀତ ସତ୍ୱେ ମଧ୍ୟ ନିଜର ଅଧିକାର ଓ ପ୍ରାପ୍ୟ ଦାବି କରି ପ୍ରତିବାଦରେ ବସିଛନ୍ତି।ସେମାନଙ୍କ ପ୍ରତି କାହାର ନଜର ନାହିଁ। ସେହିପରି ମଣ୍ଡି ମାନଙ୍କରେ ଚାଷୀମାନେ ଶୀତ କାକରରେ ବସି ଧାନ ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି କିନ୍ତୁ ସରକାର ଏପର୍ଯ୍ୟନ୍ତ ସେଥିପ୍ରତି ମଧ୍ୟ କୌଣସି ଧ୍ୟାନ ଦେଉନାହାଁନ୍ତି।

ତେବେ ରାଜ୍ୟ ରାଜକୋଷକୁ ଲୁଟି ବିଧାୟକଙ୍କ ଦରମା ତିନି ଗୁଣ ବୃଦ୍ଧି କରିବାର ନିଷ୍ପତ୍ତି ପ୍ରତ୍ୟାହାର କରି ଚାଷୀମାନଙ୍କୁ କୃଷି ଉତ୍ପାଦର ଲାଭଦାୟକ ମୂଲ୍ୟ ଏବଂ ଶ୍ରମିକମାନଙ୍କୁ ମାସିକ ୨୬,୦୦୦ ଟଙ୍କା ସର୍ବନିମ୍ନ ମଜୁରୀ ଦେଇ ଏହି ଟଙ୍କାର ଉପଯୁକ୍ତ ବ୍ୟବହାର କରାଯିବା ଉଚିତ ବୋଲି ସେ କହିଛନ୍ତି।

Leave A Reply

Your email address will not be published.