Latest Odisha News

BREAKING NEWS

ଦେଶରେ ବିକ୍ରି ହେଲା ଟମାଟୋର ସର୍ବନିମ୍ନ ମୁଲ୍ୟ: କେଜି ମାତ୍ର ୧୪ ଟଙ୍କା

ଭୁବନେଶ୍ଵର: ଗୋଟିଏ ନିଷ୍ପତ୍ତି ଆଉ ଦେଶରେ ବଦଳିଗଲା ଟମାଟର ଦାମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବସିଡିରେ ଟମାଟର ଯୋଗାଇବା ପରେ ଏବେ ଦେଶରେ ଟମାଟର ଦାମ ନିୟନ୍ତ୍ରଣକୁ ଆସୁଛି । ଅର୍ଥାତ୍ ୧୫ ଦିନ ପୂର୍ବ ତୁଳନାରେ ଏବେ ଟମାଟର ଦର ଏକ ପ୍ରକାର ୮୦% ହ୍ରାସ ପାଇଛି । କିଛି ସପ୍ତାହ ପୂର୍ବରୁ ଯେଉଁଠାରେ ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୧୮୦ ରୁ ୨୦୦ ଟଙ୍କା ଥିଲା ଏବେ ସେଥିରେ ବିରାଟ ହ୍ରାସ ଦେଖିବାକୁ ମିଳୁଛି ।

ବର୍ତ୍ତମାନ ବିଭିନ୍ନ ସହରରେ ଟମାଟର କିଲୋଗ୍ରାମ ପ୍ରତି ମାତ୍ର ୨୦ ଟଙ୍କା ମଧ୍ୟରେ ରହିଛି । ମୈଶୁରରେ ତ ଟମାଟର କେଜି ମାତ୍ର ୧୪ ଟଙ୍କାରେ ମିଳୁଛି । ଯେଉଁଥିପାଇଁ ସାଧାରଣ ଲୋକମାନେ ଆଶ୍ଵସ୍ତି ପାଇଥିବାବେଳେ ବର୍ତ୍ତମାନ ଟମାଟୋ ଚାଷୀମାନେ ନିରାଶ ହୋଇଛନ୍ତି । ନେପାଳରୁ ଟମାଟୋ ଆମଦାନୀ କରିବାକୁ ମୋଦି ସରକାର ଅନୁମୋଦନ କରିଛନ୍ତି । ଏହା ପରେ ଉତ୍ତର ଭାରତ ବଜାରରେ ଶସ୍ତା ଟମାଟୋ ଆସିବା ହେତୁ ଦେଶର ବିଭିନ୍ନ ସହରରେ ଟମାଟର ମୂଲ୍ୟ ବେଶ୍‌ କମିଛି ।

ଓଡ଼ିଶା ଗଞ୍ଜାମ ଜିଲ୍ଲାରେ ଗତକାଲି ଟମାଟର କେଜି ପିଛା ସର୍ବନିମ୍ନ ୨୦ ଟଙ୍କା ରହିଥିବା ବେଳେ ସର୍ବାଧିକ ୩୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ସେହିଭଳି ଭୁବନେଶ୍ବରର କେଜି ୩୫ ରୁ ୪୦ ଟଙ୍କା ଏବଂ କିଛି ସ୍ଥାନରେ ୪୫ ଟଙ୍କାରେ ମିଳୁଥିଲା । ସେହିପରି ରବିବାର ମୈଶୁରରେ ଟମାଟୋ ମୂଲ୍ୟ କେଜି ପିଛା ମାତ୍ର ୧୪ ଟଙ୍କାରେ ବିକ୍ରି ହେଉଥିଲା । ସେହିଭଳି ସେଠାରେ ଶନିବାର ଟମାଟୋ କେଜି ୨୦ ଟଙ୍କାରେ ବିକ୍ରି ହେଉଥିଲା । ବେଙ୍ଗାଲୁରୁର ଖୁଚୁରା ମୂଲ୍ୟ ରବିବାର ଦିନ କେଜି ୩୦ ରୁ ୩୫ ଟଙ୍କା ମଧ୍ୟରେ ବିକ୍ରି କରାଯାଉଥିଲା ।

ମୁଖ୍ୟତଃ ନେପାଳରୁ ସର୍ବାଧିକ ପରିମାଣର ଟମାଟୋ ଉତ୍ତର ଭାରତକୁ ଆସିଥାଏ । ଏବେ ନେପାଳରୁ ପ୍ରଚୁର ପରିମାଣର ଟମାଟର ଆସୁଥିବାରୁ ଦାମ୍‌ ହ୍ରାସ ପାଇବାରେ ଲାଗିଛି । ଆଗାମୀ ଦିନରେ ଟମାଟର ଦାମ ଆହୁରି ମଧ୍ୟ ହ୍ରାସ ପାଇବା ନେଇ ଆଶଙ୍କା କରାଯାଉଛି ।

Comments are closed.