Latest Odisha News

କିଛି ସମୟ ପରେ ବସିବ ମନ୍ତ୍ରୀପରିଷଦ ବୈଠକ, ଚିଠା ବଜେଟକୁ ମିଳିବ ଅନୁମୋଦନ

ଭୁବନେଶ୍ୱର: କିଛି ସମୟ ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ସକାଳ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ। ଆସନ୍ତା ୨୨ ତାରିଖରୁ ବଜେଟ ଅଧିବେଶନ ଥିବାରୁ ଚିଠା ବଜେଟକୁ ମନ୍ତ୍ରୀପରିଷଦ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡିଛି। ଏଥିରେ କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।

ନିର୍ବାଚନ ପୂର୍ବରୁ ପୂର୍ବର ବିଜେଡି ସରକାର ଆଣିଥିବା କାମଚଳା ବଜେଟରେ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବ୍ୟୟବରାଦ କରିଥିଲେ। ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଲେଖାନୁଦାନକୁ ବିଧାନସଭା ମଞ୍ଜୁରି ଦେଇଥିଲା। ଆସନ୍ତା ୨୫ ତାରିଖରେ ନୂଆ ସରକାର ନିଜର ପ୍ରଥମ ବଜେଟ ଆଣିବ। ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ ସରକାର ସୁଭଦ୍ରା ଯୋଜନା ସହ ଧାନ ଏମଏସପି ୩୧୦୦ ଟଙ୍କା କରିବାକୁ ଘୋଷଣା କରିଛନ୍ତି।

ଏହାଛଡା ଆଉ କିଛି ବଡ଼ ବଡ଼ ପ୍ରତିଶ୍ରୁତି ବଜେଟରେ ପ୍ରତିଫଳିତ ହୋଇପାରେ। କେନ୍ଦ୍ରସରକାରଙ୍କ ବଜେଟ ଏଯାଏ ଆଗତ ହୋଇନାହିଁ। ତଥାପି ରାଜ୍ୟକୁ କେତେ କେନ୍ଦ୍ରୀୟ ପାଣ୍ଠି ମିଳିବ, ସେ ସମ୍ପର୍କରେ ରାଜ୍ୟ ସରକାର କିଛି ସଙ୍କେତ ପାଇଥିବା ଅର୍ଥନୀତିଜ୍ଞମାନେ ଅନୁମାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚିଠା ବଜେଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

Comments are closed.